October 30, 2026

ବିଜ୍ଞାନ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ

1 min read

ଶ୍ରୀହରିକୋଟା: ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ ଲକ୍ଷ୍ୟରେ ଭାରତ। ଦେଶର ନିଜସ୍ୱ ଉପଗ୍ରହ ଭିତ୍ତିକ ଦିଗ ନିର୍ଣ୍ଣୟ ବ୍ୟବସ୍ଥା ‘ନାଭିକ୍‌’କୁ ଅଧିକ ସୁଦୃଢ଼ କରିବା ପାଇଁ ଆଜି ରାତି ୧୧ଟା ୫୧ ମିନିଟ୍‌ରେ ଏନ୍‌ଭିଏସ୍‌-୦୩ ଉପଗ୍ରହ ଉତ୍‌କ୍ଷେପଣ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଜିଏସ୍‌ଏଲ୍‌ଭି-ଏଫ୍‌୧୮ ରକେଟ୍‌ ମାଧ୍ୟମରେ ଏହାକୁ ପଠାଯିବ।

ଆମେରିକାର ଜିପିଏସ୍‌ ଭଳି ଭାରତର ନାଭିକ୍‌ ମଧ୍ୟ ଅବସ୍ଥାନ ଓ ଦିଗ ନିର୍ଣ୍ଣୟ କରିଥାଏ। ଏହା ଭାରତ ସମେତ ଦେଶର ସୀମାଠାରୁ ପ୍ରାୟ ୧,୫୦୦ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳରେ ସେବା ଯୋଗାଇଥାଏ। ରେଳ ଚଳାଚଳ, ଯାନବାହନ ନିରୀକ୍ଷଣ, ଜାହାଜ ଚଳାଚଳ, ମତ୍ସ୍ୟଜୀବୀଙ୍କ ସୁରକ୍ଷା ଓ ସାମରିକ କାର୍ଯ୍ୟରେ ବ୍ୟବହାର ରହିଛି।

କକ୍ଷପଥରେ ପହଞ୍ଚିବାରେ ବିଫଳ
ପୂର୍ବରୁ ନାଭିକ୍‌ର କେତେକ ଉପଗ୍ରହରେ ପରମାଣୁ ଘଣ୍ଟା ଖରାପ ହେବା ଓ ଉତ୍‌କ୍ଷେପଣ ପରେ ଉପଗ୍ରହ ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚି ନପାରିବା ଭଳି ସମସ୍ୟା ଦେଖାଦେଇଥିଲା। ୨୦୨୫ରେ ଉତ୍‌କ୍ଷେପିତ ଏନ୍‌ଭିଏସ୍‌-୦୨ ମଧ୍ୟ କକ୍ଷପଥରେ ପହଞ୍ଚିବାରେ ବିଫଳ ହୋଇଥିଲା।
ଏନ୍‌ଭିଏସ୍‌-୦୩ରେ ସ୍ୱଦେଶୀ ପରମାଣୁ ଘଣ୍ଟା ସହ ଅନ୍ୟ ଘଣ୍ଟା ମଧ୍ୟ ରହିଛି। ଏଥିରେ ନୂଆ ଏଲ୍‌-୧ ସଙ୍କେତ ବ୍ୟବସ୍ଥା ଯୋଡ଼ାଯାଇଛି। ଏହା ସଫଳ ହେଲେ ନାଭିକ୍‌ ପୁଣି ସ୍ୱତନ୍ତ୍ର ଭାବେ ଅବସ୍ଥାନ ନିର୍ଣ୍ଣୟ ସେବା ଯୋଗାଇବାରେ ସକ୍ଷମ ହେବ। ଏହି ଅଭିଯାନ ଭାରତର ମହାକାଶ ଆତ୍ମନିର୍ଭରତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।