ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ବ୍ରଜମୋହନ ରାମ ଶପଥ ଗ୍ରହଣ କରିଛନ୍ତି
1 min read
ଭୁବନେଶ୍ବର: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ବ୍ରଜମୋହନ ରାମ ଶପଥ ଗ୍ରହଣ କରିଛନ୍ତି। ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱରସ୍ଥିତ ଲୋକଭବନର ନବନିର୍ମିତ ଅଭିଷେକ ହଲ୍ରେ ଆୟୋଜିତ ସ୍ୱତନ୍ତ୍ର ଶପଥ ଗ୍ରହଣ ସମାରୋହରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ନୂଆ ରାଜ୍ୟପାଳଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରୀପରିଷଦର ସଦସ୍ୟ, ସାଂସଦ, ବିଧାୟକ ଏବଂ ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗଦେଇଛନ୍ତି। ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଓ ଉପବାଚସ୍ପତି ଭବାନୀଶଙ୍କର ଭୋଇ ଓ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ବି ଏଥିରେ ଯୋଗ ଦେଇଛନ୍ତି।
ଶପଥ ଗ୍ରହଣ ପୂର୍ବରୁ ଓ ପରେ ନୂଆ ରାଜ୍ୟପାଳଙ୍କୁ ସଶସ୍ତ୍ର ବାହିନୀ ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି। ସମାରୋହକୁ ଦୃଷ୍ଟିରେ ରଖି ଲୋକଭବନ ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଶପଥ ଗ୍ରହଣ ପରେ ବ୍ରଜମୋହନ ରାମ ଆନୁଷ୍ଠାନିକ ଭାବେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ସହ ରାଜ୍ୟର ରାଜ୍ୟପାଳ ପଦରେ ନୂଆ ଅଧ୍ୟାୟ ଆରମ୍ଭ ହେବ ।
ସୂଚନାଯୋଗ୍ୟ, ଗତକାଲି ମଧ୍ୟାହ୍ନରେ ଶ୍ରୀ ରାମ ଓ ତାଙ୍କ ପତ୍ନୀ ସ୍ବତନ୍ତ୍ର ବିମାନରେ ଓଡ଼ିଶା ଆସିଥିଲେ। ଭୁବନେଶ୍ବର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ସଚିବ ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ପୁଲିସ ଡିଜି ବିନୟତୋଷ ମିଶ୍ର, ରାଜ୍ୟପାଳଙ୍କ ସଚିବ ରୂପାରୋଶନ ସାହୁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ବିଜେପିର ବରିଷ୍ଠ ନେତାମାନେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ।
ଏହାପରେ ଶ୍ରୀ ରାମ ସପତ୍ନୀକ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହ ପୁରୀ ଲୋକଭବନରେ କିଛି ସମୟ ବିତାଇଥିଲେ। ସଂଧ୍ୟାରେ ଭୁବନେଶ୍ବରସ୍ଥିତ ଲୋକଭବନରେ ପହଞ୍ଚିବା ପରେ ସେଠାରେ ବି ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।


