October 6, 2026

ଛାତ୍ରଛାତ୍ରୀଙ୍କ ଭୋଜିଭାତ ଉପରେ ନଜର ରଖିବ ପୁଲିସ

1 min read

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଡିଜିପି ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଛି। ବୈଠକରେ ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ, ପର୍ବପର୍ବାଣୀ ସମୟରେ ଆଇନଶୃଙ୍ଖଳା, ମହିଳା ସୁରକ୍ଷା, ସାଇବର ଅପରାଧ, ଅପରାଧ ନିୟନ୍ତ୍ରଣ ଏବଂ ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଡିଜିପି ବିସ୍ତୃତ ସମୀକ୍ଷା କରିଥିଲେ।ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ ଡିଜିପି କହିଥିଲେ ଯେ, ଛାତ୍ରଛାତ୍ରୀମାନେ ଏକ ସମ୍ବେଦନଶୀଳ ସମ୍ପ୍ରଦାୟ ହୋଇଥିବାରୁ ସେମାନଙ୍କ ସହ ପୋଲିସର ନିୟମିତ ଓ ବ୍ୟକ୍ତିଗତ ଯୋଗାଯୋଗ ରହିବା ଆବଶ୍ୟକ। ଥାନା ଭାରପ୍ରାପ୍ତ ଅଧିକାରୀ ଓ ଏସ୍‌ଡିପିଓମାନେ ଛାତ୍ର ନେତାମାନଙ୍କ ସହ ବୈଠକ କରି ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସମନ୍ୱୟ ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

କଲେଜ ପରିସରକୁ ଅଣଛାତ୍ର ଓ ଅସାମାଜିକ ବ୍ୟକ୍ତିଙ୍କ ପ୍ରବେଶ ରୋକିବା, ଛାତ୍ରାବାସ ଓ ମେସ୍‌ଗୁଡ଼ିକ ଉପରେ ନଜର ରଖିବା ଏବଂ ଛାତ୍ରଛାତ୍ରୀଙ୍କ ସହ ନିୟମିତ ସମ୍ପର୍କ ରଖିବାକୁ ସେ କହିଥିଲେ। ହିଂସାର ଆଶଙ୍କା ନଥିଲେ ଅନାବଶ୍ୟକ ଭାବେ ପୋଲିସ ବଳ ମୁତୟନ ନକରିବାକୁ ମଧ୍ୟ ଡିଜିପି ପରାମର୍ଶ ଦେଇଥିଲେ। ଏହା ବ୍ୟତୀତ ଛାତ୍ରଛାତ୍ରୀଙ୍କ ଭୋଜିଭାତ ଓ ଅନ୍ୟାନ୍ୟ ଆୟୋଜନ ଉପରେ ମଧ୍ୟ ନଜର ରଖିବାକୁ ସେ କହିଥିଲେ। ନିର୍ବାଚନ ସମୟରେ ସମନ୍ୱୟ ବଜାୟ ରଖିବା ପାଇଁ ଜିଲ୍ଲାପାଳ, ଏସ୍‌ପି, ଉପଜିଲ୍ଲାପାଳ ଓ କଲେଜ ଅଧ୍ୟକ୍ଷଙ୍କ ମଧ୍ୟରେ ବୈଠକ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ। ନିର୍ବାଚନ ଫଳାଫଳ ପରେ ହିଂସାର ସମ୍ଭାବନା ଥିବାରୁ ସେ ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ କହିଥିଲେ।