October 7, 2026

୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ହଠାତ୍ ଝାଡ଼ାବାନ୍ତି ଓ ପେଟବ୍ୟଥାରେ ଆକ୍ରାନ୍ତ

1 min read

ବାରିପଦା, ୭।୧୦ : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ମାଣତ୍ରୀସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ (ଏସ୍‌ଏସ୍‌ଡି) ବାଳିକା ହାଇସ୍କୁଲ ହଷ୍ଟେଲରେ ଅଭାବନୀୟ ଘଟଣା ଘଟିଛି। ହଷ୍ଟେଲରେ ରହୁଥିବା ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ହଠାତ୍ ଝାଡ଼ାବାନ୍ତି ଓ ପେଟବ୍ୟଥାରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାକୁ ନେଇ ଅଭିଭାବକ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ହଷ୍ଟେଲରେ ରାତ୍ରିଭୋଜନ ସାରି ଛାତ୍ରୀମାନେ ଶୋଇବା ପରେ ବିଳମ୍ବିତ ରାତିରୁ କିଛି ଛାତ୍ରୀଙ୍କଠାରେ ବାନ୍ତି, ଝାଡ଼ା ଓ ପେଟବ୍ୟଥା ଭଳି ଲକ୍ଷଣ ଦେଖାଦେଇଥିଲା। ଧୀରେ ଧୀରେ ଆକ୍ରାନ୍ତ ଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇ ୫୦ରୁ ଊର୍ଦ୍ଧ୍ୱରେ ପହଞ୍ଚିଥିଲା। ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଆମ୍ବୁଲାନ୍ସ ଓ ଅନ୍ୟ ଗାଡ଼ି ଯୋଗେ ଅସୁସ୍ଥ ଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ନିକଟସ୍ଥ ମାଣତ୍ରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସ୍ଥାନାଭାବ ଏବଂ କିଛି ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ତୁରନ୍ତ ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା।

ଡାକ୍ତରଖାନାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଆକ୍ରାନ୍ତ ଛାତ୍ରୀମାନଙ୍କୁ ଚିକିତ୍ସା ଯୋଗାଇ ଦେଉଛନ୍ତି। ବର୍ତ୍ତମାନ ସମସ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏବଂ ସେମାନେ ବିପଦମୁକ୍ତ ଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି। ଖାଦ୍ୟରେ ଅପମିଶ୍ରଣ, ଖାଦ୍ୟ ବିଷକ୍ରିୟା (ଫୁଡ୍ ପଏଜନିଂ) କିମ୍ବା ଦୂଷିତ ପାନୀୟ ଜଳ ବ୍ୟବହାର ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ସନ୍ଦେହ କରାଯାଉଛି।

ଘଟଣା ସମ୍ପର୍କରେ ଖବର ପାଇ ମୟୂରଭଞ୍ଜ ଜିଲାପାଳ ହେମକାନ୍ତ ସୟ ତୁରନ୍ତ ଡାକ୍ତରଖାନାରେ ପହଞ୍ଚି ଅସୁସ୍ଥ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଲାପାଳ ସିଧାସଳଖ ମାଣତ୍ରୀ ଏସ୍‌ଏସ୍‌ଡି ବାଳିକା ହଷ୍ଟେଲ ପରିଦର୍ଶନ କରି ରୋଷେଇ ଘର, ଡାଇନିଂ ହଲ୍‌ ଏବଂ ପାନୀୟ ଜଳ ବ୍ୟବସ୍ଥା ତଦାରଖ କରିଥିଲେ।

ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ହଷ୍ଟେଲରେ ଦିଆଯାଉଥିବା ଖାଦ୍ୟ ଓ ପାଣିର ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କର୍ତ୍ତବ୍ୟରେ ଅବହେଳା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।