September 30, 2026

ଦନ୍ତାହାତୀ କବଳରୁ ଅଳ୍ପକେ ବର୍ତ୍ତିଲେ ୪ ଯୁବକ

1 min read

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ଭାଲେରି ଛକ ନିକଟରେ ଦନ୍ତାହାତୀ କବଳରୁ ଅଳ୍ପକେ ଜୀବନ ବଞ୍ଚାଇଛନ୍ତି ୪ ଯୁବକ। ରାତିରେ କାମ ସାରି ଦୁଇଟି ବାଇକ୍‌ରେ ଘରକୁ ଫେରୁଥିବା ବେଳେ ହଠାତ୍‌ ଏକ ଦନ୍ତାହାତୀ ସେମାନଙ୍କ ସାମ୍ନାକୁ ଆସିଯିବାରୁ ଭୟଭୀତ ହୋଇ ବାଇକ୍‌ ଛାଡ଼ି ଦୌଡ଼ି ପଳାଇଥିଲେ। ଗତକାଲି ରାତି ପ୍ରାୟ ୧୦ଟା ସମୟରେ କଲ୍ୟାଣସିଂହପୁରରୁ କାମ ସାରି ବଳରାମ ବାଗ, ବଙ୍ଗା ସିକକା, ଗୋବିନ୍ଦ ବାଗ ଓ ମାଲତି ସିକକା ଦୁଇଟି ବାଇକ୍‌ରେ ନିଜ ଘରକୁ ଫେରୁଥିଲେ। ଭାଲେରି ଛକ ନିକଟରେ ପହଞ୍ଚିବା ବେଳେ ହଠାତ୍‌ ଏକ ଦନ୍ତାହାତୀ ସେମାନଙ୍କ ସାମ୍ନାକୁ ଆସିଥିଲା। ହାତୀକୁ ଦେଖି ଚାରିଜଣ ଭୟଭୀତ ହୋଇପଡ଼ିଥିଲେ। ହାତୀଟି ସେମାନଙ୍କ ଆଡ଼କୁ ବୁଲି ପଡ଼ିବାରୁ ଜୀବନ ବଞ୍ଚାଇବା ପାଇଁ ଦୁଇଟି ବାଇକ୍‌ ଛାଡ଼ି ଚାରିଜଣ ଦୌଡ଼ି ପଳାଇଥିଲେ। ଫଳରେ ଅଳ୍ପକେ ଦନ୍ତାହାତୀ କବଳରୁ ସେମାନେ ବର୍ତ୍ତି ଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗର ବନରକ୍ଷୀ, ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଗଜସାଥୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ହାତୀକୁ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ଗ୍ୟାସ୍‌ ବାଣ ଫୁଟାଯାଇଥିଲା। ଏହାପରେ ହାତୀଟି ସେଠାରୁ ଚାଲିଯାଇଥିବା ବେଳେ ତା’ର ଗତିପଥ ଉପରେ ବନ ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଛି। ଏନେଇ ଫରେଷ୍ଟର ବର୍ଖାରାଣୀ ପାତ୍ର କହିଛନ୍ତି, ବର୍ତ୍ତମାନ ଅଞ୍ଚଳରେ ୨୪ଟିକିଆ ହାତୀପଲ ରହିଛି। ସେଥିମଧ୍ୟରୁ ଗୋଟିଏ ଦନ୍ତାହାତୀ ଅଲଗା ହୋଇ ଏହି ଅଞ୍ଚଳରେ ଚଳପ୍ରଚଳ କରୁଛି। ହାତୀର ଗତିବିଧି ଉପରେ ବନ ବିଭାଗ କଡ଼ା ନଜର ରଖିଛି। ସମସ୍ତ ପ୍ରକାର ସଜାଗତା ଅବଲମ୍ବନ କରାଯିବା ସହ ଅଞ୍ଚଳବାସୀଙ୍କୁ ମଧ୍ୟ ସତର୍କ କରାଯାଉଛି। ଅନ୍ୟପଟେ ଦନ୍ତାହାତୀ ଭୟରେ ନିମନଗଝୋଲା ଗାଁର କିଛି ଲୋକ ରାତିରେ ଗାଁ ଛାଡ଼ି ଭାଲେରି ଗାଁକୁ ଯାଇଥିବା ସୂଚନା ମିଳିଛି। ପାର୍ସାଲି ଅଞ୍ଚଳରେ ହାତୀଙ୍କ ଉପଦ୍ରବ ଯୋଗୁଁ ଲୋକଙ୍କ ମଧ୍ୟରେ ପୁଣି ଭୟର ବାତାବରଣ ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ହାତୀ ଚଳପ୍ରଚଳ କରି ଫସଲ ଓ ଘରଦ୍ୱାର କ୍ଷତି କରୁଥିବା ବେଳେ ଭାଲେରି ଛକ ନିକଟରେ ୪ ଯୁବକ ଦନ୍ତାହାତୀ ହାବୁଡ଼ରେ ପଡ଼ିବା ଘଟଣା ଅଞ୍ଚଳବାସୀଙ୍କ ଚିନ୍ତାକୁ ଆହୁରି ବଢ଼ାଇଛି।