September 30, 2026

ବିମାନର କକ୍‌ପିଟ୍ ମଧ୍ୟରେ ନିଜ ସହପାଇଲଟ୍‌ଙ୍କଠାରୁ ଛୁରାମାଡ଼ ଖାଇ ବି ବିମାନଟିକୁ ସୁରକ୍ଷିତ ଭାବେ ଅବତରଣ କରାଇବାରେ ସଫଳ

1 min read

ଦୁବାଇ: ବୁଧବାର ମଧ୍ୟପ୍ରାଚ୍ୟର ମଧ୍ୟ ଆକାଶରେ ଫ୍ଲାଏ ଦୁବାଇ ବିମାନରେ ଘଟିଥିବା ହାଇଡ୍ରାମାର ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ବିମାନର କକ୍‌ପିଟ୍ ମଧ୍ୟରେ ନିଜ ସହପାଇଲଟ୍‌ଙ୍କଠାରୁ ଛୁରାମାଡ଼ ଖାଇ ବି ବିମାନଟିକୁ ସୁରକ୍ଷିତ ଭାବେ ଅବତରଣ କରାଇବାରେ ସଫଳ ହୋଇଥିବା ପାଇଲଟ ଜଣକ ଭାରତୀୟ ବଂଶୋଦ୍ଭବ ବୋଲି ଇସ୍ରାଏଲର ଟିଭି ଚ୍ୟାନେଲ ୧୨ କହିଛି । ଛୁରାମାଡ଼ କରିଥିବା ସହଯୋଗୀ ପାଇଲଟ୍ ଜଣକ ଓମାନ ନାଗରିକ ବୋଲି ସନ୍ଦେହ କରାଯାଉଛି । ତେବେ ବିମାନ କମ୍ପାନୀ ଫ୍ଲାଏ ଦୁବାଇ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ ।
ଉଲ୍ଲେଖଯୋଗ୍ୟ ଯେ ଦୁବାଇରୁ ତେଲଅଭିଭ ଯାଉଥିବା ବୋଇଂ ୭୩୭ ବିମାନ ଜୋର୍ଡାନ ବାୟୁସୀମାରେ ଉଡୁଥିବା ବେଳେ ଏଥିରୁ ଇମରଜେନ୍ସି ସିଗ୍‌ନାଲ ମିଳିଲା । ଏହି ସମୟରେ ୩୪,୦୦୦ ଫୁଟ ଉପରେ ଉଡୁଥିବା ବିମାନଟି ମାତ୍ର ୩୦ ସେକେଣ୍ଡ ଭିତରେ ୨୦,୦୦୦ ଫୁଟ ତଳକୁ ଖସିଆସିଲା । ବିମାନଟି ହାଇଜାକ୍ ହୋଇଯାଇଥିବା ନିଶ୍ଚିତ ବୋଲି ଜାଣି ଇସ୍ରାଏଲ ସରକାର ଚିନ୍ତିତ ହୋଇପଡିଲେ । ତେବେ ତଳକୁ ଖସିବା ପରିବର୍ତେ ବିମାନଟି ପୁଣି ଉପରକୁ ଉଠି ସ୍ୱାଭାବିକ ଉଡିଥିଲା । ଏହି ସମୟରେ ବିମାନ ସେବା ବିଭାଗକୁ ତଥ୍ୟ ମିଳିଲା ଯେ, ବିମାନରେ ଥିବା ସହଯୋଗୀ ପାଇଲଟ ଜଣକ ନିଜ କ୍ୟାପଟେନଙ୍କୁ ଛୁରି ଭୁସି ହତ୍ୟାକରି ବିମାନଟିକୁ ନିଜ ଅକ୍ତିଆରକୁ ନେବାକୁ ଚହିଁଥିଲେ । କିନ୍ତୁ କ୍ୟାପ୍‌ଟେନଙ୍କ ସାହସ ଓ ଉପସ୍ଥିତ ବୁଦ୍ଧି ଯୋଗୁ ତାହା ସମ୍ଭବପର ହୋଇ ନ ଥିଲା । ଏହାର ଅଳ୍ପ ସମୟ ମଧ୍ୟରେ ବିମାନଟି ସାଉଦୀଆରବରେ ଅବତରଣ କରିଥିଲା । ବିମାନରେ ଥିବା ସମସ୍ତ ୧୮୦ ଜଣ ଇସ୍ରାଏଲ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଉଭୟ ପାଇଲଟ୍‌ଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ କେଉଁ ଉଦ୍ଦେଶ୍ୟରେ ପାଇଲଟ ଜଣକ ନିଜର ଆଉ ଜଣେ କୋ ପାଇଲଟ ବନ୍ଧୁଙ୍କୁ ଏମିତି ମଝି ଆକାଶରେ ଛୁରାମାଡ଼ କଲେ, ସେ ନେଇ ତଦନ୍ତ ଜାରି ରହିଛି ।