November 23, 2026

(ପିଏଫ୍) ଟଙ୍କା ଉଠାଣ ପ୍ରକ୍ରିୟା ଆହୁରି ସହଜ ହେବାକୁ ଯାଉଛି

1 min read

ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟନିଧି (ପିଏଫ୍) ଟଙ୍କା ଉଠାଣ ପ୍ରକ୍ରିୟା ଆହୁରି ସହଜ ହେବାକୁ ଯାଉଛି। ଖୁବ୍‌ଶୀଘ୍ର ୟୁନିଫାଏଡ୍ ପେମେଣ୍ଟ୍‌ସ ଇଣ୍ଟରଫେସ୍‌ (ୟୁପିଆଇ) ଜରିଆରେ ପିଏଫ୍ ଖାତାରୁ ଟଙ୍କା ଉଠାଇବା ସୁବିଧା ମିଳିବ। ଆସନ୍ତା ଡିସେମ୍ବର ସୁଦ୍ଧା ଏହି ସୁବିଧା ଆରମ୍ଭ ହେବାର ସମ୍ଭାବନା ରହିଛି। କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ) ଏଥିପାଇଁ ଆବଶ୍ୟକ ପ୍ରଯୁକ୍ତି ବ୍ୟବସ୍ଥା ପ୍ରସ୍ତୁତ କରିସାରିଛି। ପରୀକ୍ଷାମୂଳକ ପ୍ରକ୍ରିୟା ମଧ୍ୟ ପ୍ରାୟ ଶେଷ ହୋଇଛି।

ଇପିଏଫ୍‌ଓର ନୂଆ ଡିଜିଟାଲ୍ ବ୍ୟବସ୍ଥା ଇପିଏଫ୍‌ଓ ୩.୦ ଅଧୀନରେ ଏହି ସୁବିଧା ମିଳିବ। ଏହାଦ୍ୱାରା କର୍ମଚାରୀମାନେ ୟୁପିଆଇ ଆପ୍ ଜରିଆରେ ନିଜର ଉଠାଣଯୋଗ୍ୟ ପିଏଫ୍ ଟଙ୍କା ଉଠାଇପାରିବେ। ଏଥିସହିତ ସ୍ୱୟଂଚାଳିତ ଟଙ୍କା ଉଠାଣ ଯନ୍ତ୍ର (ଏଟିଏମ୍) ମାଧ୍ୟମରେ ମଧ୍ୟ ପିଏଫ୍ ଟଙ୍କା ଉଠାଇବାର ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଇପିଏଫ୍‌ଓ ଏକ ନୂଆ ଆପ୍ ପ୍ରସ୍ତୁତ କରୁଛି। ଏହା ଭୀମ୍ ସମେତ ଅନ୍ୟ ୟୁପିଆଇ ଆପ୍ ସହ ଯୋଡ଼ିହେବ।

ଆବେଦନଗୁଡ଼ିକ ସ୍ୱୟଂଚାଳିତ ଭାବେ ମଞ୍ଜୁର
ନୂଆ ବ୍ୟବସ୍ଥା ଲାଗୁ ହେଲେ ପିଏଫ୍ ଟଙ୍କା ଉଠାଇବା ପାଇଁ ଆଉ ଅଧିକ କାଗଜପତ୍ର କିମ୍ବା ଲମ୍ବା ପ୍ରକ୍ରିୟାର ଆବଶ୍ୟକତା ପଡ଼ିବନାହିଁ। ସେହିପରି ପିଏଫ୍ ଉଠାଣ ଆବେଦନର ଯାଞ୍ଚ ଓ ମଞ୍ଜୁରୀ ପ୍ରକ୍ରିୟା ମଧ୍ୟ ଶୀଘ୍ର ହେବ। ଆବଶ୍ୟକ ଯାଞ୍ଚ ଓ ସୁରକ୍ଷା ମାନଦଣ୍ଡ ପୂରଣ କରୁଥିବା ଆବେଦନଗୁଡ଼ିକ ସ୍ୱୟଂଚାଳିତ ଭାବେ ମଞ୍ଜୁର ହୋଇପାରିବ। ଫଳରେ ବର୍ତ୍ତମାନ ପିଏଫ୍ ଦାବିର ସମାଧାନ ପାଇଁ ଲାଗୁଥିବା ପ୍ରାୟ ୨୦ ଦିନ ସମୟକୁ ୩ ଦିନରୁ କମ୍‌କୁ ହ୍ରାସ କରାଯାଇପାରିବ ବୋଲି ଆକଳନ କରାଯାଇଛି। ଇପିଏଫ୍‌ଓ ୩.୦ରେ ଏକ ନୂଆ ସୂଚନା ପ୍ରଯୁକ୍ତି ବ୍ୟବସ୍ଥା ସହ ମୂଳ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା (ସିବିଏସ୍) ଯୋଡ଼ାଯିବ। ନିକଟରେ ଇପିଏଫ୍‌ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ପିଏଫ୍ ଖାତାରେ ସର୍ବନିମ୍ନ ରଖିବାକୁ ଥିବା ଅର୍ଥର ପରିମାଣ ୨୫ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ କରିବାକୁ ଅନୁମୋଦନ ଦେଇଛି। ଏହାଦ୍ୱାରା ସଦସ୍ୟମାନେ ଅଧିକ ଟଙ୍କା ଉଠାଇବାର ସୁଯୋଗ ପାଇପାରିବେ। ଏଥିସହ ପିଏଫ୍‌ର ସମ୍ପୂର୍ଣ୍ଣ ଟଙ୍କା ଉଠାଣ ପାଇଁ ଅପେକ୍ଷା ସମୟ ୧୨ ମାସରୁ ୨ ମାସକୁ ହ୍ରାସ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।