ବାଲିପାଟଣା ଥାନା ଶିଶୁମଠ ସାହି ସ୍ଥିତ ପ୍ରାଚୀନ ମଦନ ମୋହନ ଦେବଙ୍କ ମନ୍ଦିରରୁ ଚୋରି ପୁଣି ଉଦ୍ୟମ କରି ଚୋର ବିଫଳ
1 min read
ବାଲିପାଟଣା: ବାଲିପାଟଣା ଥାନା ଶିଶୁମଠ ସାହି ସ୍ଥିତ ପ୍ରାଚୀନ ମଦନ ମୋହନ ଦେବଙ୍କ ମନ୍ଦିରରୁ ଚୋରି ପୁଣି ଉଦ୍ୟମ କରି ଚୋର ବିଫଳ ହୋଇଛନ୍ତି | ଚୋରି ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି| ଚୋର ଜଣଙ୍କ ପୁରୁଷ ନୁହେଁ ବରଂ ମହିଳା ବୋଲି ସ୍ଥାନୀୟ ଗ୍ରାମବାସୀ ସିସିଟିଭି ଫୁଟେଜରୁ ଜଣାପଡ଼ିଛି | ଗତ ୨ ବର୍ଷ ପୂର୍ବରୁ ମଦନ ମୋହନ ମନ୍ଦିରରୁ ବହୁ ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତି ଏବଂ ସୁନା ମୂର୍ତ୍ତି ଚୋରି ହୋଇଥିଲା |
ସୂଚନା ଅନୁସାରେ ସୋମବାର ରାତି ପ୍ରାୟ ୩ଟା ୫୦ରେ ଜଣେ ମୁଖାପିନ୍ଧା ବ୍ୟକ୍ତି ମନ୍ଦିର ସମ୍ମୁଖ ଲୁହା ଫାଟକ ଉପରେ ପ୍ରଥମେ ଚଢିବା ପାଇଁ ଚେଷ୍ଟା କରିଥିଲା | ବହୁ ଚେଷ୍ଟା ସତ୍ତ୍ୱେ ଚୋର ଜଣଙ୍କ ଫାଟକ ଡେଇଁ ପାରି ନଥିଲା | ପରେ ଅନ୍ୟ ଏକ ଫାଟକ ଡେଇଁ ବେଢା ଭିତରକୁ ପ୍ରବେଶ କରିଥିଲା | ଗରୁଡ଼ଙ୍କ ନିକଟରେ ଥିବା ଲୁହା ଗେଟ ତାଲା ଭାଙ୍ଗି ଦେଇଥିଲା, ମାତ୍ର ଗେଟ ଖୋଲି ନଥିଲା | ଶେଷରେ ମହାଲକ୍ଷ୍ମୀଙ୍କ କଡ଼ରେ ଥିବା ଅନ୍ୟ ଏକ କାଠ ଗେଟକୁ ଖୋଲିବା ପାଇଁ ବହୁ ଚେଷ୍ଟା କରି ବିଫଳ ହୋଇଥିଲା | ସେତିକିବେଳେ ସେହି ଗ୍ରାମର ଜନୈକ ବ୍ୟକ୍ତି ଉଠି ମନ୍ଦିର ନିକଟରେ ଥିବା ନିମାପଡା ବ୍ରାଞ୍ଚ କେନାଲ ବନ୍ଧକୁ ଆସିଥିଲେ | ମନ୍ଦିର ଭିତରେ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ପୁରା ଶରୀରଟି ସମ୍ପୂର୍ଣ୍ଣ କପଡାରେ ଆଚ୍ଛାଦିତ ହୋଇଥିବା ଜଣକୁ ଦେଖି ଗ୍ରାମବାସୀ ଜଣଙ୍କ ପ୍ରଥମେ ହଡବଡ଼େଇ ଯାଇଥିଲେ | ଭୂତ ଭାବି ଭୟଭୀତ ହୋଇ ପଡ଼ିଥିଲେ|
ମହିଳା ବେଶଧାରୀ ଚୋରଙ୍କୁ ନେଇ ଚର୍ଚ୍ଚା
ଅନ୍ୟପକ୍ଷରେ ଚୋର ଲୋକଙ୍କୁ ଦେଖି ପ୍ରାଣ ବିକଳରେ ପାଚେରୀ ଡେଇଁ ଛୁମାରିଥିଲା | ଚୋରର ସଵୁ କାରନାମା ମନ୍ଦିର ସିସିଟିଭିରେ କଏଦ ହୋଇଛି | ମହିଳାଙ୍କ ଭଳି ପୋଷାକ ପରିଧାନ କରିଥିବା ଜଣା ପଡୁଛି | ମୁହଁରେ ଲମ୍ବା କପଡା ଢାଙ୍କି ଦେଇଛି | ବେଶ ପୋଷାକରୁ ମହିଳା ଚୋର ବୋଲି ଚର୍ଚ୍ଚା ଜୋର ଧରିଛି | ଏନେଇ ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିବା ଜଣାପଡିଛି |
ପ୍ରକାଶ ଥାଉକି ମହାପ୍ରଭୁ ଜଗନ୍ନାଥଙ୍କ ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ସିଦ୍ଧ ସାଧକ ସନ୍ଥ ଶିଶୁଦାସଙ୍କ ଜନ୍ମ ପୀଠରେ ମଦନ ମୋହନ ଦେବ ମନ୍ଦିର କାହିଁ କେଉଁ କାଳୁ ସ୍ଥାପିତ ହୋଇଛନ୍ତି | ଶ୍ରୀମୂର୍ତ୍ତି ଦେବଙ୍କ ବିଗ୍ରହ ପୂଜା ପାଇ ଆସୁଛନ୍ତି | ଗତ ୨୦୨୪ ମସିହା ନଭେମ୍ବର ମାସରେ ମଦନ ମୋହନ ଦେବ , ଶ୍ରୀକୃଷ୍ଣ ଓ ଭୂଦେଵୀଙ୍କ ମୂଲ୍ୟବାନ ଅଷ୍ଟ ଧାତୁ ମୂର୍ତ୍ତି ଏବଂ ମହାଲକ୍ଷ୍ମୀଙ୍କ ସୁନା ମୂର୍ତ୍ତି ଚୋରି ହୋଇଥିଲା | ଏନେଇ ଥାନାରେ ଅଭିଯୋଗ କରାଯାଇଥିଲା | ବିଡ଼ମ୍ବନାର ବିଷୟ ପୁଲିସ ଏଯାଏଁ ଚୋରଙ୍କ କୌଣସି ଟେର ପାଇଲା ନାହିଁ | ବାଲିପାଟଣାରେ ମାତିଛନ୍ତି ମନ୍ଦିର ଚୋର | କିଛି ମାସ ଭିତରେ ପ୍ରାୟ ୨୦ ରୁ ଅଧିକ ମନ୍ଦିରରେ ଦୁର୍ବୃତ୍ତମାନେ କଳାକନା ବୁଲେଇଛନ୍ତି | ସେହିପରି ଗୋଟିଏ ଜୁଏଲରି ଦୋକାନ ଏବଂ ଏକାଧିକ ଘରୁ ଲୁଟପାଟ ହୋଇଥିବା ନଜିର ରହିଛି | କୌଣସି ଚୋରି ଘଟଣାରେ ସଫଳତା ମିଳି ନଥିବା ସ୍ଥାନୀୟ ପୁଲିସ କାର୍ଯ୍ୟଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |


