ବନ୍ୟାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ କେନ୍ଦ୍ରାପଡ଼ା ଆଦି ୬ଟି ଜିଲାର ୧୨୬ ଗାଁ ଜଳବନ୍ଦୀ
1 min read
ଭୁବନେଶ୍ବର : ବନ୍ୟାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ କେନ୍ଦ୍ରାପଡ଼ା ଆଦି ୬ଟି ଜିଲାର ୧୨୬ ଗାଁ ଜଳବନ୍ଦୀ ରହିଛି। ଏସ୍ଆରସିଙ୍କ ରିପୋର୍ଟ ଅନୁସାରେ, ବନ୍ୟା ପ୍ରଭାବିତ ଏହି ୬ଜିଲାର ୬୬ଟି ବ୍ଲକ, ୪୪୮ଟି ପଞ୍ଚାୟତ, ୧୩୦୪ଟି ଗାଁ, ୧୦ଟି ସହରାଞ୍ଚଳର ୬୪ଟି ୱାର୍ଡରୁ ମୋଟ ୭,୮୫,୧୯୯ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତଙ୍କ ମଧ୍ୟରୁ ୨,୭୭,୬୫୫ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେହିପରି, ୪୨,୨୧୬.୭ ହେକ୍ଟର୍ ଚାଷ ଜମି ପ୍ରଭାବିତ ହୋଇଛି। ବନ୍ୟାଞ୍ଚଳରେ ୯୪୧ଟି ଘର ଭାଙ୍ଗିଥିବା ବେଳେ ୫୩୧ଟି ରିଲିଫ୍ କ୍ୟାମ୍ପରେ ୨,୭୮,୧୮୮ଲୋକଙ୍କୁ ରନ୍ଧା ଖାଦ୍ୟ, ଚୁଡ଼ା, ଗୁଡ଼ ବଣ୍ଟନ କରାଯାଇଛି। ଉଦ୍ଧାର କାର୍ଯ୍ୟ ନିମନ୍ତେ ୩୯ ଓଡ୍ରାଫ୍, ୭ଏନ୍ଡିଆର୍ଏଫ୍ ଏବଂ ୫୩ଟି ଅଗ୍ନିଶମ ସେବା ବାହିନୀ ନିୟୋଜିତ ହୋଇଛନ୍ତି।
ଏହି ବନ୍ୟାରେ ବାଲେଶ୍ବର, ଯାଜପୁର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲା ସର୍ବାଧିକ ପ୍ରଭାବିତ ହୋଇଛି। ବାଲେଶ୍ବର ଜିଲାର ୧୨ବ୍ଲକ ଭୋଗରାଇ, ବସ୍ତା, ଜଳେଶ୍ବର, ବାଲିଆପାଳ, ବାଲେଶ୍ବର ସଦର, ରେମୁଣା, ବାହାନଗା, ନୀଳଗିରି, ସିମୁଳିଆ, ଓଉପଦା, ଖଇରାରୁ ୯୭ ପଞ୍ଚାୟତର ୪୫୩ ଗାଁରେ ବନ୍ୟା ପ୍ରଭାବ ଦେଖିବାକୁ ମିଳିଛି। ୨ଟି ସହରାଞ୍ଚଳର ୧୯ଟି ୱାର୍ଡରୁ ୨,୦୩,୮୭୮ଲୋକ ପ୍ରଭାବିତ ହୋଇଛନ୍ତି। ଏବେ ବି ଜିଲାର ୬୦ଟି ଗାଁ ବନ୍ୟାଜଳ ଘେରରେ ଥିବାବେଳେ ୬୯ଟି ଘର ଭାଙ୍ଗିଛି। ବନ୍ୟା ବିପନ୍ନ ଅଞ୍ଚଳରେ ୧୬ହଜାର ହେକ୍ଟର ଚାଷଜମି ପ୍ରଭାବିତ ହେଲାଣି। ଜିଲା ପ୍ରଶାସନ ପକ୍ଷରୁ ୬୧,୪୧୮ଲୋକଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜିଲାରେ ୧୨ଟି ଓଡ୍ରାଫ୍, ୫ ଅଗ୍ନିଶମ ଏବଂ ୪ଟି ଏନ୍ଡିଆର୍ଏଫ୍ ମୁତୟନ ହୋଇଛନ୍ତି। ବନ୍ୟା ପାଣିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜିଲା ପ୍ରଶାସନ ପାଖରେ ଅଭିଯୋଗ ହୋଇଥିବା ବେଳେ ଏସ୍ଆରସିଙ୍କ ପକ୍ଷରୁ କୌଣସି ମୃତାହତ ସୂଚନା ଦିଆଯାଇନାହିଁ।


