July 4, 2026

ଚାଲିଥିବା ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଲୋଚନା ପରେ ପ୍ରତ୍ୟାହୃତ ହୋଇଛି

1 min read

ବାଲେଶ୍ୱର: ଗତ ଦୁଇ ଦିନ ଧରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚାଲିଥିବା ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଲୋଚନା ପରେ ପ୍ରତ୍ୟାହୃତ ହୋଇଛି। ବାଲେଶ୍ୱର ଗସ୍ତରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହି ପ୍ରସଙ୍ଗରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଥିଲେ।ଏହାପରେ ସାଂସଦ ଶ୍ରୀ ଷଡ଼ଙ୍ଗୀ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଧାରଣାରେ ବସିଥିବା ଶତାଧିକ ଡାକ୍ତରଙ୍କ ସହ ସାକ୍ଷାତ କରିଥିଲେ। ସେ OMSAର ସଭାପତି, ସାଧାରଣ ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ବିସ୍ତୃତ ଆଲୋଚନା କରି ସେମାନଙ୍କ ଦାବି ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ସିଧାସଳଖ ଅବଗତ କରାଇବା ସହ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ।ସ୍ୱାସ୍ଥ୍ୟ ମନ୍ତ୍ରୀ ସକାରାତ୍ମକ ମନୋଭାବ ପ୍ରଦର୍ଶନ କରି ଆସନ୍ତା ୪ ଜୁଲାଇ ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ରେ ନିଜ କାର୍ଯ୍ୟାଳୟରେ OMSAର କର୍ମକର୍ତ୍ତାଙ୍କ ସହ ଆଲୋଚନା ପାଇଁ ସମୟ ଧାର୍ଯ୍ୟ କରିଥିଲେ। ଏହା ସହ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ମଧ୍ୟ ଏକ ପତ୍ର ଜାରି କରି ଡାକ୍ତରମାନଙ୍କ ଦାବି ଉପରେ ଆଲୋଚନା କରାଯିବ ବୋଲି ସୂଚନା ଦେଇଥିଲେ।ପରେ ରେମୁଣା ବିଧାୟକ ତଥା ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ୱର ସଦର ବିଧାୟକ ମାନାସ ଦତ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ ଜନପ୍ରତିନିଧିଙ୍କ ଉପସ୍ଥିତିରେ ସାଂସଦ ଶ୍ରୀ ଷଡ଼ଙ୍ଗୀ ଡାକ୍ତରମାନଙ୍କୁ ଧାରଣା ପ୍ରତ୍ୟାହାର କରି ନିଜ ନିଜ କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରିଥିଲେ।ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଆଶ୍ୱାସନ ଓ ସ୍ୱାସ୍ଥ୍ୟ ବିଭାଗର ପତ୍ରକୁ ସମ୍ମାନ ଜଣାଇ OMSA ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା। ଏହାପରେ ଡାକ୍ତରମାନେ ପୁଣିଥରେ ନିଜ ନିଜ କାର୍ଯ୍ୟରେ ଯୋଗଦେଇ ରୋଗୀ ସେବା ଆରମ୍ଭ କରିଥିଲେ।ଏହି ସକାରାତ୍ମକ ପଦକ୍ଷେପ ପାଇଁ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, OMSAର କର୍ମକର୍ତ୍ତା ଓ ସମସ୍ତ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ରୋଗୀ ସେବା ସମସ୍ତଙ୍କର ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଦାବି ଉପସ୍ଥାପନ ଓ ଆନ୍ଦୋଳନ କରିବାର ଅଧିକାର ଥିଲେ ମଧ୍ୟ ସାଧାରଣ ଲୋକ ଓ ରୋଗୀମାନଙ୍କୁ ଅସୁବିଧାରେ ପକାଇବା କାମ୍ୟ ନୁହେଁ। ଆଲୋଚନା ଓ ପାରସ୍ପରିକ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ ହେବା ହିଁ ଗଣତନ୍ତ୍ରର ପ୍ରକୃତ ସୌନ୍ଦର୍ଯ୍ୟ ବୋଲି ସେ ମତ ପ୍ରକାଶ କରିଥିଲେ।