ବେଆଇନ ଭାବେ ସାମୁଦ୍ରିକ ପକ୍ଷୀ ଶିକାର କରୁଥିବା ଜଣେ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି
1 min read
ବାଲେଶ୍ୱର:ବାଲେଶ୍ୱର ଜିଲ୍ଲାରେ ବେଆଇନ ଭାବେ ସାମୁଦ୍ରିକ ପକ୍ଷୀ ଶିକାର କରୁଥିବା ଜଣେ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଚୌମୁଖ ଅଞ୍ଚଳର କାଳୀଚରଣ ମଣ୍ଡଳ (୨୨)। ଜିଲ୍ଲା ବନ ବିଭାଗ ଓ ଜଳେଶ୍ୱର ବନାଞ୍ଚଳ ରେଞ୍ଜର ମିଳିତ ଚଢ଼ାଉରେ ଏହି ସଫଳତା ମିଳିଥିବା ବନ ବିଭାଗ ସୂଚନା ଦେଇଛି।ଫରେଷ୍ଟର ସଞ୍ଜୟ ମହାନ୍ତିଙ୍କ ନେତୃତ୍ୱରେ ଏନଏମ ପଡ଼ିଆ ବିଟ୍ ଓ ଉଦୟପୁର ବନାଞ୍ଚଳ ସେକ୍ସନର କର୍ମଚାରୀମାନେ ଗୁପ୍ତ ସୂଚନା ପାଇ ଜଳେଶ୍ୱର ବନାଞ୍ଚଳ ଅଧୀନ ସୁବର୍ଣ୍ଣଦାଣ୍ଡି ବେଳାଭୂମି ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଗୋଟିଏ ଭୁଟୁଭୁଟି, ପ୍ରାୟ ୧୫୦ ଫୁଟ ଲମ୍ବର ଏକ ମାଛ ଧରା ଜାଲ ଓ ୪୧୦ଟି ସାମୁଦ୍ରିକ ଚଢ଼େଇ ଉଦ୍ଧାର କରାଯାଇଥିଲା।ଉଦ୍ଧାର ହୋଇଥିବା ପକ୍ଷୀମାନଙ୍କ ମଧ୍ୟରୁ ୧୧୩ଟି ମୃତ ଓ ୨୯୭ଟି ଜୀବିତ ଥିଲେ। ଏହି ପକ୍ଷୀଗୁଡ଼ିକ କଳା ଓ ବାଦାମି ରଙ୍ଗର ଗଲ୍ ପ୍ରଜାତିର ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଘଟଣାସ୍ଥଳରୁ ୪ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ କାଳୀଚରଣ ମଣ୍ଡଳଙ୍କୁ ଧରିବାରେ ବନ ବିଭାଗ ସଫଳ ହୋଇଥିଲା।ଉଦ୍ଧାର ହୋଇଥିବା ୨୯୭ଟି ଜୀବିତ ପକ୍ଷୀଙ୍କୁ ସୁରକ୍ଷିତ ଭାବେ ପ୍ରାକୃତିକ ପରିବେଶକୁ ଛାଡ଼ି ଦିଆଯାଇଥିବା ବେଳେ ୧୧୩ଟି ମୃତ ପକ୍ଷୀଙ୍କୁ ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀଙ୍କ ନିକଟକୁ ପଠାଯାଇଛି।
ଏହି ଘଟଣାରେ ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ, ୧୯୭୨ ଅନୁଯାୟୀ ୧୭ଜେଏଲ୍/୨୦୨୬-୨୭ ନମ୍ବରରେ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଛି। ଏସିଏଫ୍ ତଟିନି ସେଠୀଙ୍କ ତତ୍ତ୍ୱାବଧାନରେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।ଜିଲ୍ଲା ବନାଧିକାରୀ (ଡିଏଫଓ) ପ୍ରତୀକ ପ୍ରକାଶ ଇନ୍ଦଲକର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ କହିଛନ୍ତି ଯେ, ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ସ୍ୱତନ୍ତ୍ର ଚଢ଼ାଉ ଜାରି ରହିବ।


