June 15, 2026

ବିଜୟଙ୍କ ଛାଡପତ୍ର ମାମଲାର ଶୁଣାଣି ଆଜି ସ୍ଥଗିତ

1 min read

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଟିଭିକେ ମୁଖ୍ୟ ଜୋସେଫ ବିଜୟଙ୍କ ଛାଡପତ୍ର ମାମଲାର ଶୁଣାଣି ଆଜି ସ୍ଥଗିତ ରଖାଯାଇଛି। ଚେଙ୍ଗାଲପଟୁ ପରିବାର କଲ୍ୟାଣ କୋର୍ଟ ସୋମବାର ବିଜୟ ଏବଂ ତାଙ୍କ ପତ୍ନୀ ସଙ୍ଗୀତାଙ୍କ ଦ୍ୱାରା ଦାୟର ଛାଡପତ୍ର ଆବେଦନର ଶୁଣାଣି କରିବାର ଥିଲା। କିନ୍ତୁ ମାମଲାକୁ ଏବେ ସ୍ଥଗିତ ରଖାଯାଇଛି। ଚେଙ୍ଗାଲପଟୁ ପରିବାର କଲ୍ୟାଣ କୋର୍ଟ ଛାଡପତ୍ର ମାମଲାକୁ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଛାଡପତ୍ର ଆବେଦନ ପରେ, ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣାର ଖବର ମଧ୍ୟ ସାମ୍ନାକୁ ଆସୁଛି। ବିଜୟଙ୍କ ପତ୍ନୀ ସଙ୍ଗୀତା ସେମାନଙ୍କ ମଧ୍ୟରେ ମତଭେଦ ଥିବା ଦର୍ଶାଇ ତାଙ୍କ ସହିତ ବିବାହ ସମାପ୍ତ କରିବା ପାଇଁ ପରିବାର କୋର୍ଟରେ ଏକ ଆବେଦନ କରିଥିଲେ।

ସଙ୍ଗୀତା ବିଜୟଙ୍କ ଉପରେ ମାନସିକ ନିର୍ଯାତନାର ଅଭିଯୋଗ ମଧ୍ୟ ଲଗାଇଥିଲେ ଏବଂ ଦାବି କରିଥିଲେ ଯେ ତାଙ୍କର ଜଣେ ଚଳଚ୍ଚିତ୍ର ଅଭିନେତ୍ରୀଙ୍କ ସହ ପରକୀୟା ପ୍ରୀତି ରହିଛି। ସଙ୍ଗୀତା ତାଙ୍କ ଆବେଦନରେ ଛାଡପତ୍ର, ବିଜୟଙ୍କ ସାମାଜିକ ଏବଂ ଆର୍ଥିକ ସ୍ଥିତି ସହିତ ସମାନ ଭରଣପୋଷଣ ତଥା ପରିବାରର ନୀଳାଙ୍କରାଇସ୍ଥିତ ଘରେ ରହିବାର ଅଧିକାର ଦାବି କରିଥିଲେ।

ପୂର୍ବରୁ ମାମଲାଟି ଚେଙ୍ଗାଲପଟୁ ପରିବାର କଲ୍ୟାଣ କୋର୍ଟରେ ଆଗତ ହୋଇଥିଲା, ଯେଉଁଠାରେ ବିଜୟ କିମ୍ବା ସଙ୍ଗୀତା ବ୍ୟକ୍ତିଗତ ଭାବରେ ହାଜର ନହେବାରୁ କୋର୍ଟ ମାମଲାକୁ ସ୍ଥଗିତ ରଖିଥିଲେ। ଶୁଣାଣି ସମୟରେ କେବଳ ସେମାନଙ୍କର ଆଇନଗତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଉଭୟ ପକ୍ଷର ଆଇନଜୀବୀମାନେ କୋର୍ଟଙ୍କୁ କହିଥିଲେ ଯେ, ସେମାନଙ୍କ ମହକିଲମାନେ ବ୍ୟକ୍ତିଗତ ଭାବରେ ଉପସ୍ଥିତ ହେବା ଦ୍ୱାରା ସୁରକ୍ଷା ଏବଂ ଯିବା ଆସିବାରେ ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ ସେମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲା ପରିଚାଳନା କରିବାକୁ ଅନୁମତି ମାଗିଥିଲେ। ଏହି ଦାବିଗୁଡ଼ିକୁ ବିଚାରକୁ ନେଇ, କୋର୍ଟ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଶୁଣାଣିକୁ ସ୍ଥଗିତ ରଖିଥିଲେ। ଏବେ ଏହାକୁ ପୁଣି ଘୁଞ୍ଚାଇ ଦିଆଯାଇଛି।