June 5, 2026

କବିସୂର୍ଯ୍ୟନଗର ଥାନା ହାଜତ ମୃତ୍ୟୁ ଘଟଣା

1 min read

ବ୍ରହ୍ମପୁର:କବିସୂର୍ଯ୍ୟନଗର ଥାନା ହାଜତ ମୃତ୍ୟୁ ଘଟଣାର ତଦନ୍ତ ପୁଲିସର ମାନବାଧିକାର ସୁରାକ୍ଷା ସେଲ ଏଚ୍‌ଆରପିସି ପକ୍ଷରୁ ଜାରି ରହିଛି । ଏଚଆରପିସି ସେଲର ଏସପି ଗୋପାଳ ପ୍ରସାଦ ପଟ୍ଟନାୟକଙ୍କ ନେତୃତ୍ବରେ ୪ଜଣିଆ ଟିମ ଏହି ମାମଲାର ତଦନ୍ତ କରୁଛନ୍ତି। ଆଜି ଏହି ତଦନ୍ତ ଟିମ ଛତ୍ରପୁର ସ୍ଥିତ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଗଞ୍ଜାମ ଏସପି ହରିଶ ବିସିଙ୍କ ସହ ମାମଲା ସମ୍ପର୍କରେ ଆଲୋଚନା କରିଥିଲେ। କବିସୂର୍ଯ୍ୟନଗର ଥାନାରେ ଲାଗିଥିବା ସିସିଟିଭି କ୍ୟାମରୋ ଫୁଟେଜ ପ୍ରଦାନ କରିବାକୁ ତଦନ୍ତ ଟିମ ଏସପିଙ୍କୁ ଅନୁରୋଧ କରିଥିଲେ। ବିଶେଷକରି ୨୦ ତାରିଖ ଠାରୁ ୩୧ ତାରିଖ ଯାଏଁ ଫୁଟେଜ ନେବା ପାଇ ତଦନ୍ତ ଟିମ ଜଣାଇଛନ୍ତି ।କବିସୂର୍ଯ୍ୟନଗର ଥାନାରେ ଏକାଧିକ ସିସିଟିଭି କ୍ୟାମେରା ଲାଗିଛି। ସେହି କ୍ୟାମରୋ ଗୁଡ଼ିକର ଫୁଟେଜରେ ୨୦ ତାରିଖରେ ବେଆଇନ ପଥରକ୍ବାରୀ ମାମଲାରେ ଗିରଫ ଅଭିଯୁକ୍ତଙ୍କ ଠାରୁ ଆରମ୍ଭ କରି ୨୫ ତାରିଖ ଦିନ ସୁଶାନ୍ତ ସାହୁଙ୍କୁ ଥାନାକୁ ଅଣାଯିବା ଏବଂ ୩୧ ତାରିଖରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବାର ଦୃଶ୍ୟ ରେକର୍ଡ ହୋଇ ରହିଛି। ସେହିକ୍ରମରେ ତଦନ୍ତ ଟିମ ୧୧ ଦିନର ସିସିଟିଭି ପ୍ରଦାନ କରିବାକୁ ଗଞ୍ଜାମ ଏସପିଙ୍କୁ ଜଣାଇଛନ୍ତି।

ସିସିଟିଭି ଫୁଟେଜ ମିଳିବା ପରେ ଦିବ୍ୟାଙ୍ଗ ସୁଶାନ୍ତଙ୍କୁ ରାତି କେତେଟା ବେଳେ ଥାନାକୁ ଅଣାଯାଇଥିଲା, କେଉଁ କେଉଁ ପୁଲିସ କର୍ମଚାରୀ ତାଙ୍କୁ ଆଣିଥିଲେ, ୭ ଦିନ ଧରି କେଉଁ କୋଠରୀରେ ରଖାଯାଉଥିଲା, ଥାର୍ଡ ଡିଗ୍ରୀ ଦିଆଯାଇଥିଲା କି ନାହିଁ, ଥାନାକୁ ଅଣାଯିବା ସମୟରେ ସୁଶାନ୍ତଙ୍କ ଅବସ୍ଥା କଣ ଥିଲା ସେ ଦିଗରେ ଅଧିକ ତଥ୍ୟ ମିଳିପାରିବ ବୋଲି ତଦନ୍ତ ଟିମ ଆଶା ରଖିଛି। ତେ​‌ବେ ଏଚଆରପିସି ଟିମକୁ କବିସୂର୍ଯ୍ୟନଗର ଥାନାର ସିସିଟିଭି ଫୁଟେଜ ଖୁବଶୀଘ୍ର ପ୍ରଦାନ କରାଯିବ ବୋଲି ଗଞ୍ଜାମ ଏସପି କହିଛନ୍ତି। କବିସୂର୍ଯ୍ୟନଗର ଥାନାରେ ରୁଜୁ ହୋଇଥିବା ବେଆଇନ ପଥରକ୍ବାରୀ ମାମଲା ଏବଂ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ରୁଜୁ ହୋଇଥିବା ଅପମୃତ୍ୟୁ ମାମଲାର ସମସ୍ତ ରେକର୍ଡପତ୍ର ଓ ତଥ୍ୟ ପ୍ରମାଣ ଏଚଆରପିସି ଟିମକୁ ପ୍ରଦାନ କରାଯାଇଥିବା ଏସପି କହିଛନ୍ତି ସେହିପରି ମୃତକଙ୍କ ଭାଇକୁ ବୟାନ ବଦଳାଇବାକୁ ଯେଉଁ ପୁଲିସ କର୍ମଚାରୀ ଜଣକ ଚାପ ପକାଉଥିବା ଅଭିଯୋଗ ଆସିଛି ତାହାର ତଦନ୍ତ ଜାରି ରହିଛି ।