June 1, 2026

ଓସାକ୍ସର ନୂତନ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଡାକ୍ତର ରୂପଭାନୁ ମିଶ୍ର

1 min read

ଭୁବନେଶ୍ୱର, ୦୧.୦୬.୨୦୨୬: ଡାକ୍ତର ରୂପଭାନୁ ମିଶ୍ର, ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି (ଓସାକ୍ସ)ର ପ୍ରକଳ୍ପନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି ଏବଂ ଏହି ପଦବୀ ସହ ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।
ଡାକ୍ତର ରୂପଭାନୁ ମିଶ୍ର ଦୀର୍ଘ ବର୍ଷ ଧରି ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଦାୟିତ୍ୱ ସଫଳତାର ସହ ନିର୍ବାହ କରିଆସୁଛନ୍ତି। ପୁରୀ ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (CDM & PHO) ଭାବେ କାର୍ଯ୍ୟରତ ସମୟରେ ସେ ଜନସ୍ୱାସ୍ଥ୍ୟ ସେବାର ସୁଦୃଢ଼ୀକରଣ, ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର କାର୍ଯ୍ୟର ରୂପାୟନ ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଦିଗରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ। ପରବର୍ତ୍ତୀ ସମୟରେ ସେ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରି ରୋଗୀ ସେବା, ହସ୍ପିଟାଲ ପରିଚାଳନା ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ନେତୃତ୍ୱ ପ୍ରଦାନ କରୁଛନ୍ତି।
ଓସାକ୍ସ କାର୍ଯ୍ୟାଳୟରେ ଆଜି ଦାୟିତ୍ୱ ଗ୍ରହଣ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ, ସଫଳତା, ଆହ୍ବାନ ଏବଂ ଭବିଷ୍ୟତ ରଣନୀତି ସମ୍ପର୍କରେ ଏକ ସଂକ୍ଷିପ୍ତ ଉପସ୍ଥାପନା କରାଯାଇଥିଲା। ସେ କହିଥିଲେ ଯେ, “ଏଚ୍‌.ଆଇ.ଭି./ ଏଡସ୍ ନିୟନ୍ତ୍ରଣ କେବଳ ଏକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଏକ ସାମାଜିକ ଆନ୍ଦୋଳନ। ସଚେତନତା, ସମୟୋପଯୋଗୀ ପରୀକ୍ଷା, ଗୁଣାତ୍ମକ ଚିକିତ୍ସା ଏବଂ ସମାଜରେ ଭେଦଭାବ ଦୂରୀକରଣ ମାଧ୍ୟମରେ ଆମେ ୨୦୩୦ ସୁଦ୍ଧା ଏଡସ୍ ର ଅବସାନ ଲକ୍ଷ୍ୟ ହାସଲ କରିପାରିବା। ଏଥିପାଇଁ ସରକାରୀ ବିଭାଗ, ସମୁଦାୟ ଭିତ୍ତିକ ସଂଗଠନ, ଯୁବବର୍ଗ ଏବଂ ସାଧାରଣ ଜନତାଙ୍କ ସମନ୍ୱିତ ସହଭାଗିତା ଅତ୍ୟନ୍ତ ଆବଶ୍ୟକ।”
ସେ କହିଥିଲେ ଯେ, ଏଚ୍‌.ଆଇ.ଭି. ସଂକ୍ରମିତଙ୍କ ପ୍ରତି ଭେଦଭାବ ଦୂର କରିବା, ନିୟମିତ ପରୀକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ଚିକିତ୍ସାରେ ନିରନ୍ତରତା ରଖିବା ଉପରେ ଓସାକ୍ସ ଅଧିକ ଗୁରୁତ୍ୱ ଦେବ। ସେ କହିଥିଲେ ଯେ, ଡିଜିଟାଲ ପ୍ଲାଟଫର୍ମ, ସାମାଜିକ ଗଣମାଧ୍ୟମ, ରେଡ୍ ରିବନ କ୍ଲବ, ଯୁବ ସଂଗଠନ ଏବଂ ସମୁଦାୟ ଭିତ୍ତିକ ଅନୁଷ୍ଠାନଗୁଡ଼ିକୁ ଅଧିକ ସକ୍ରିୟ କରି ଜନସଚେତନତା ବୃଦ୍ଧି କରାଯିବ। ସମସ୍ତେ ଏକ ଟିମ୍ ଭାବେ କାର୍ଯ୍ୟ କଲେ ଓଡ଼ିଶା ଏହି ଲକ୍ଷ୍ୟ ହାସଲରେ ଦେଶର ଅଗ୍ରଣୀ ରାଜ୍ୟ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ଓସାକ୍ସର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।