ଭୁବନେଶ୍ବର ବାଲିଅନ୍ତା ଅଞ୍ଚଳରେ ଉତ୍ତ୍ୟକ୍ତ ଲୋକେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣା
1 min read
ଭୁବନେଶ୍ବର: ଭୁବନେଶ୍ବର ବାଲିଅନ୍ତା ଅଞ୍ଚଳରେ ଉତ୍ତ୍ୟକ୍ତ ଲୋକେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ଦାୟିତ୍ବ ନେବା ପରେ କ୍ରାଇମ୍ବ୍ରାଞ୍ଚ ଟିମ୍ ବାଲିଅନ୍ତା ଥାନାରେ ପହଞ୍ଚିଛି। ଥାନାରୁ କେସ୍ ସମ୍ପର୍କିତ କାଗଜପତ୍ର ନେବା ପରେ ଘଟଣାସ୍ଥଳରୁ ହିଁ ତଦନ୍ତ କରିବ କ୍ରାଇମବ୍ରାଞ୍ଚ ଦଳ। ତଥ୍ୟ ଓ ସତ୍ୟ ଆଧାରରେ ତଦନ୍ତ ହେବ କହିଲେ ଏସ୍ପି ଅନିରୁଦ୍ଧ ରାଉତରାୟ। ସେପଟେ ଏହି ଘଟଣାର ସଠିକ୍ ଓ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଛନ୍ତି। ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ଘଟଣାର ସମୀକ୍ଷା କରିଥିଲେ। ଭବିଷ୍ୟତରେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହୁଏ, ସେଥିପାଇଁ ସତର୍କ ଓ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ପୁଲିସ ମହାନିର୍ଦେଶକ (ଡିଜିପି)ଙ୍କୁ ବୈଠକରେ ତାଗିଦ୍ କରିଥିଲେ। ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବା ପାଇଁ ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବା ପରେ କ୍ରାଇମ୍ବ୍ରାଞ୍ଚର ଏକ ସ୍ବତନ୍ତ୍ର ଦଳ ଗଠନ ହୋଇଛି। ଜଣେ ଡିଏସ୍ପି ପାହ୍ୟା ଅଧିକାରୀଙ୍କୁ ତଦନ୍ତ ଭାର ଦିଆଯାଇଛି। ଡିଏସ୍ପିଙ୍କ ନେତୃତ୍ବରେ ଜଣେ ଇନ୍ସପେକ୍ଟର, ଜଣେ ଏସ୍ଆଇଙ୍କ ସହ ୨ ଜଣ କନଷ୍ଟେବଳ ତଦନ୍ତ ଦାୟିତ୍ବରେ ରହିଛନ୍ତି।


