ପନ୍ତଙ୍କୁ ଆଲିଙ୍ଗନ କଲେ ଗୋଏଙ୍କା
1 min read
ହାଇଦ୍ରାବାଦ୍: ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମାଲିକ ସଂଜୀବ ଗୋଏଙ୍କା ନିଜର ବଦ୍ରାଗୀ ସ୍ବଭାବ ଯୋଗୁଁ ପରିଚିତ। ପଡ଼ିଆରେ ହିଁ ସେ ନିଜ ଦଳର ଖେଳାଳିଙ୍କୁ କଡ଼ା କଥା ଶୁଣାଇବାରେ କୁଖ୍ୟାତ। ପୂର୍ବରୁ କେଏଲ୍ ରାହୁଲ୍ ଓ ଚଳିତ ଋତୁରେ ସେ ଋଷଭ ପନ୍ତଙ୍କ ସହ ବଚସା କରି ସେ ଚର୍ଚ୍ଚାରେ ଥିଲେ। କିନ୍ତୁ ରବିବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ ସେ ଏକ ଭିନ୍ନ କାରଣ ଯୋଗୁଁ ପୁଣି ଚର୍ଚ୍ଚାକୁ ଆସିଯାଇଛନ୍ତି। ଏହି ମ୍ୟାଚ୍ରେ ତାଙ୍କ ଦଳର ବିଜୟ ପରେ ସେ ଆନନ୍ଦିତ ଥିବା ଦେଖାଯାଇଥିଲା। ବିଜୟ ପରେ ସେ ପଡ଼ିଆ ଭିତରେ ପଶି ପନ୍ତଙ୍କୁ ହସି ହସି ଆଲିଙ୍ଗନ କରୁଥିବା ଦେଖାଯାଇଥିଲା। ଏହି ଭିଡିଓ ସୋସିଆଲ୍ ମିଡିଆରେ ଆସିବା ପରେ ଭାଇରାଲ୍ ହୋଇଛି। ତାଙ୍କ ଖୁସିର କାରଣ ବି ରହିଛି। କାରଣ ରବିବାର ମ୍ୟାଚ୍ରେ ସନ୍ରାଇଜର୍ସକୁ ୫ ଓ୍ବିକେଟ୍ରେ ପରାସ୍ତ କରିବା ପରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଚଳିତ ଋତୁରେ ନିଜର ପ୍ରଥମ ବିଜୟ ହାସଲ କରିଥିଲା।


