ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ କାରକେଡ଼କୁ ଆକ୍ରମଣ ହୋଇଥିବା ଅଭିଯୋଗ
1 min read
ବିହାର: ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ କାରକେଡ଼କୁ ଆକ୍ରମଣ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । କିଛି ଅଜଣା ବ୍ୟକ୍ତି ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ କାରକେଡ଼କୁ ପଥର ଫିଙ୍ଗିବା ସହ ଚପଲରେ ଆକ୍ରମଣ କରିଛନ୍ତି । ଘଟଣାକୁ ନେଇ ବିଜେପି ଆରଜେଡିକୁ ଦାୟୀ କରିଛି ।
ମତଦାନ ଚାଲୁଥିବା ସମୟରେ ବିହାରର ଲଖିସରାଇ ଜିଲ୍ଲାରେ ପମୁଖ୍ୟମନ୍ତ୍ରୀ ଶ୍ରୀ ସିହ୍ନାଙ୍କ କାରକେଡ଼ ଉପରେ ଆକ୍ରମଣ ହୋଇଥିଲା । ଶ୍ରୀ ସିହ୍ନା ଲଖିସରାଇ ଆସନରୁ ବିହାର ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି । ସେ କହିଛନ୍ତି ଯେ ଲଖିସରାଇର ଖୋରିଆରି ବୁଥ୍କୁ ତାଙ୍କର ଗସ୍ତ ଥିଲା । ଏହାକୁ ଭଣ୍ଡଉର କରିବାକୁ ଆରଜେଡି ସମର୍ଥକମାନେ ଏହି ଆକ୍ରମଣ କରିଥିଲେ । ସେ କହିଛନ୍ତି “ଏମାନେ ଆରଜେଡିର ଗୁଣ୍ଡା । ସେମାନେ ଜାଣନ୍ତି ଯେ ଏନଡିଏ ପୁଣି କ୍ଷମତାକୁ ଫେରୁଛି , ତେଣୁ ସେମାନେ ଗୁଣ୍ଡାଗିରି କରିଛନ୍ତି । ଆକ୍ରମଣକାରୀ ମାନେ ମୋର ପୋଲିଂ ଏଜେଣ୍ଟଙ୍କୁ ଫେରାଇ ଦେଲେ ଏବଂ ତାଙ୍କୁ ଭୋଟ ଦେବାକୁ ଦେଲେ ନାହିଁ। ଖୋରିଆରିର ୪୦୪ ଏବଂ ୪୦୫ ବୁଥରେ ସେମାନେ ଏପରି ଆଚରଣ କରିଛନ୍ତି ” । ଘଟଣାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିହ୍ନା ଜିଲ୍ଲା ପୋଲିସକୁ ଦାୟୀକରି “କାପୁରୁଷ ଏବଂ ଦୁର୍ବଳ” ବୋଲି କହି କେନ୍ଦ୍ରୀୟ ବାହିନୀ ମୁତୟନ କରିବାକୁ ମଧ୍ୟ ଦାବି କରିଥିଲେ । ଘଟଣାକୁ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ କାହାକୁ ଆଇନ ଶୃଙ୍ଖଳା ଭଙ୍ଗ କରିବାକୁ ଦିଆଯିବ ନାହିଁ ଏବଂ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିହାର ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


