November 5, 2025

ଆଜି ଆକାଶରେ ଦେଖାଯିବ ସୁପରମୁନ୍

1 min read

ନୂଆଦିଲ୍ଲୀ: ଆଜି ଆକାଶରେ ଦେଖାଯିବ ସୁପରମୁନ୍ । ଯାହା ଏହି ବର୍ଷର ସବୁଠାରୁ ବଡ଼ ଅଟେ । ଅନ୍ୟ ପୂର୍ଣ୍ଣିମା ଅପେକ୍ଷା ଏହା ବଡ଼ ସହ ଅଧିକ ଉଜ୍ଜ୍ୱଳମୟ ହେବ । ଏହା ପୃଥିବୀର ସବୁଠାରୁ ନିକଟତମ ଚନ୍ଦ୍ର ହେବ ତେଣୁ ଏହାର ଉଜ୍ଜ୍ୱଳତା ବିଶେଷ ଭାବରେ ଦେଖିଲା ଭଳି ହେବ । ଯଦି ଆପଣ ଏହି ବିଶେଷ ସୁପରମୁନ୍ ଦେଖିବା ପାଇଁ ଚାହାନ୍ତି, ତେବେ ଟେଲିସ୍କୋପ୍ କିମ୍ବା ବିଶେଷ ଉପକରଣର ଆବଶ୍ୟକତା ପଡ଼ିବ ନାହିଁ । ଆପଣ ଏହାକୁ ସ୍ପଷ୍ଟ ପାଗ ଏବଂ ଖୋଲା ଆକାଶ ତଳେ ଖାଲି ଆଖିରେ ଦେଖିପାରିବେ ।
ଚଳିତ ବର୍ଷ ତିନୋଟି ସୁପରମୁନ୍ ଦେଖାଯାଉଛି । ଆଜି ରାତିରେ ଦୃଶ୍ୟମାନ ହେବାକୁ ଥିବା ସୁପରମୁନ୍ ସବୁଠାରୁ ଉଜ୍ଜ୍ୱଳ ହେବ । ଏହା ଅକ୍ଟୋବର ସୁପରମୁନ୍ ଅପେକ୍ଷା ବଡ଼ ଏବଂ ଉଜ୍ଜ୍ୱଳ ଦେଖାଯିବ । ଅନ୍ୟପକ୍ଷରେ ଡିସେମ୍ବର ୪ରେ ଅନ୍ୟଏକ ସୁପରମୁନ୍ ଦେଖାଯିବ । ଯାହା ପୂର୍ବ ଅପେକ୍ଷା ଛୋଟ ହେବ । ଆସନ୍ତା ବର୍ଷ ୨୪ ନଭେମ୍ବର ଯାଏଁ କୌଣସି ସୁପରମୁନ୍ ଦୃଶ୍ୟମାନ ହେବନି ।

ସୁପରମୁନ୍ ସିକ୍ରେଟ୍…

ପୂର୍ଣ୍ଣିମା ସମୟରେ ଚନ୍ଦ୍ର ପୃଥିବୀର ସବୁଠାରୁ ନିକଟତର ହେଲେ ଏହା ଏକ ସୁପରମୁନ୍ ହୁଏ, ଯାହାକୁ ପେରିଗି ବୋଲି କୁହାଯାଏ । ଚନ୍ଦ୍ରର କକ୍ଷପଥ ବୃତ୍ତାକାର ନୁହେଁ, ତେଣୁ ଏହା ସବୁବେଳେ ଟିକେ ନିକଟତର କିମ୍ବା ଦୂରରେ ଗତି କରିଥାଏ । NASA ଅନୁସାରେ ଯେତେବେଳେ ଚନ୍ଦ୍ର ପୂର୍ଣ୍ଣିମା ସହିତ ପେରିଗିରେ ଥାଏ, ଏହା ସାଧାରଣ ପୂର୍ଣ୍ଣିମା ଅପେକ୍ଷା ପ୍ରାୟ ୧୪% ବଡ଼ ଏବଂ ପ୍ରାୟ ୩୦% ଉଜ୍ଜ୍ୱଳ ଦେଖାଯାଏ । ଯେଉଁ କାରଣରୁ ସୁପରମୁନ୍‌ର ଦୃଶ୍ୟ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ । ତେବେ ଆଜିର ଜହ୍ନ ବି ୧୪ ପ୍ରତିଶତ ବଡ଼ ଏବଂ ୩୦ ପ୍ରତିଶତ ଉଜ୍ଜ୍ଵଳ ଦିଶିବ।