ପରଲୋକରେ ବିଶିଷ୍ଟ କବି ତଥା ଔପନ୍ୟାସିକ ରାଜେନ୍ଦ୍ର କିଶୋର ପଣ୍ଡା
1 min read
ଭୁବନେଶ୍ୱର: ଆଉ ନାହାନ୍ତି ଓଡ଼ିଶାର ପ୍ରଖ୍ୟାତ କବି, ଔପନ୍ୟାସିକ ତଥା ପ୍ରଶାସକ ରାଜେନ୍ଦ୍ର କିଶୋର ପଣ୍ଡା। ଶୁକ୍ରବାର ସକାଳେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା।
ଝାରସୁଗୁଡ଼ା ଜିଲ୍ଲା ବାଟଲଗା ଗାଁରେ ୧୯୪୪ ମସିହା ଜୁନ ୨୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ରାଜେନ୍ଦ୍ର କିଶୋର ପଣ୍ଡା। ଆହ୍ଲାବାଦ ବିଶ୍ଵବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ ୧୯୬୭ରୁ ୨୦୦୪ ମସିହା ପର୍ଯ୍ୟନ୍ତ ବିଭିନ୍ନ ପଦପଦବୀରେ ସେ ଦାୟିତ୍ଵ ନିର୍ବାହ କରିଥିଲେ।
ସାହିତ୍ୟ କ୍ଷେତ୍ରକୁ ବିଶିଷ୍ଟ ଅବଦାନ ପାଇଁ ତାଙ୍କୁ ୧୯୮୫ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ୨୦୦୪ରେ ବିଷୁବ ପୁରସ୍କାର, ୨୦୨୧ରେ ସାରଳା ସମ୍ମାନ, ୨୦୧୨ରେ ଗଙ୍ଗାଧର ଜାତୀୟ ସମ୍ମାନ, ୧୯୯୫ରେ ଶାରଳା ପୁରସ୍କାର, ୧୯୯୪ରେ ଝଙ୍କାର ପୁରସ୍କାର, ୨୦୦୪ ସାହିତ୍ୟ ଭାରତୀ ସମ୍ମାନ, ୨୦୦୫ରେ ସାହିତ୍ୟ ପାଇଁ ସଚି ରାଉତରାୟ ପୁରସ୍କାର ଏବଂ ୧୯୯୩ରେ ରାଜ୍ୟପାଳ ପୁରସ୍କାର ଭଳି ଅନେକ ପୁରସ୍କାର ଓ ସମ୍ମାନ ପ୍ରାପ୍ତ କରିଛନ୍ତି ରାଜେନ୍ଦ୍ର କିଶୋର ପଣ୍ଡା।
ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଲିଖିତ ୧୬ଟି କବିତା ସଂକଳନ ପ୍ରକାଶ ପାଇଛି। ସେଗୁଡ଼ିକ ହେଲା ‘ଗୌଣ ଦେବତା’, ‘ଅନାବତାର’, ‘ଘୁଣାକ୍ଷର’, ‘ଶତ୍ରଦ୍ରୁ ଅନେକ’, ‘ନିଜ ପାଇଁ ନାନାବାୟା’, ‘ଚଉକାଠରେ ଚିରକାଳ’, ‘ଶୈଳକଳ୍ପ’, ‘ଅନ୍ୟା’, ‘ବହୁବ୍ରୀହି’, ‘ବୋଧି-ନଭ’, ‘ଇଶାଖେଳ’, ‘ଦ୍ରୋହବାକ୍ୟ’, ‘ଦୁଜା ନାରୀ’, ‘ବୈରାଗୀ ଭ୍ରମର’, ‘ସତ୍ୟୋତ୍ତର’ ଓ ‘ବହ୍ୱାରମ୍ବେ’।
ତାଙ୍କଲିଖିତ ଉପନ୍ୟାସ ‘ଚିଦାଭାସ’ ପାଠକୀୟ ଆଦ୍ରୁତି ଲାଭ କରିଛି। ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ବିୟୋଗରେ ସାହିତ୍ୟିକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।


