ନବୀକରଣୀୟ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍
1 min read
ଭୁବନେଶ୍ୱର: ନବୀକରଣୀୟ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍), ପିଏମ୍ ସୂର୍ଯ୍ୟଘର: ମୁଫ୍ତ ବିଜ୍ଲି ଯୋଜନାର ୟୁଟିଲିଟି ଲେଡ୍ ଏଗ୍ରିଗେଶନ (ୟୁଏଲ୍ଏ) ମଡେଲ ଅଧୀନରେ ରୁଫ୍ଟପ୍ ସୋଲାର ସ୍ଥାପନକୁ ତ୍ୱରାନ୍ବିତ କରିଛି। ଗ୍ରାମୀଣ ପରିବାରମାନଙ୍କୁ ସ୍ବଚ୍ଛ, ଭରସାଯୋଗ୍ୟ ଓ ଶସ୍ତା ଶକ୍ତି ଯୋଗାଇବା ସହ ଉଚ୍ଚ ଗୁଣମାନ ଓ ସୁରକ୍ଷିତ ସ୍ଥାପନ ଏହାର ଲକ୍ଷ୍ୟ ରହିଛି। ଏହି ପଦକ୍ଷେପର ଅଂଶ ସ୍ବରୂପ ସାଲେପୁର ଡିଭିଜନ ଅନ୍ତର୍ଗତ କୁରୁଜଙ୍ଗ ପ୍ରଥମ ଗ୍ରାମ ଭାବେ ଉପକୃତ ହୋଇଛି, ଯେଉଁଠାରେ ୧୮ଟି ପରିବାର ପ୍ରତ୍ୟେକ ୮୭୬୪ ଟଙ୍କା ମୂଲ୍ୟରେ ରୁଫ୍ଟପ୍ ସୋଲାର ବ୍ୟବସ୍ଥା ସ୍ଥାପନ କରିଛନ୍ତି। ଏଥିରେ ୧ କିଲୋୱାଟର ସଂଯୋଗ ପାଇଁ ୫୦୦୦ ଟଙ୍କା ଓ ୩୭୬୪ ଟଙ୍କାର ଏକ ଅତିରିକ୍ତ ସୋଲାର ମିଟର ଚାର୍ଜ ଓ ମାଗଣାରେ ନେଟ୍ ମିଟର ସ୍ଥାପନ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପ ଗାଁର ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ; ହେବା ସହ ପାୱାର ଗ୍ରୀଡ୍ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ବିଦ୍ୟୁତ୍ ଖର୍ଚ୍ଚ କମ୍ କରିବାରେ ସାହାଯ୍ୟ କରିଛି। ୧ କିଲୋୱାଟର ସୌର ପ୍ଲାଣ୍ଟ ପ୍ରତି ମାସରେ ପ୍ରାୟ ୧୦୦ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ କରିପାରିବ, ଯାହା ପରିବାରକୁ ବାର୍ଷିକ ପ୍ରାୟ ୫୦୦୦ ଟଙ୍କାର ସଞ୍ଚୟ କରିବାକୁ ସକ୍ଷମ କରିବ। ଏହି ଅବସରରେ ଟିପିସିଓଡିଏଲ୍ର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି , ୟୁଏଲ୍ଏ ମଡେଲ ମାଧ୍ୟମରେ, ଆମେ ଗ୍ରାମୀଣ ପରିବାରଗୁଡ଼ିକୁ ଦୀର୍ଘସ୍ଥାୟୀ ଏବଂ କମ୍ ଖର୍ଚ୍ଚରେ ସୌରଶକ୍ତି ସମାଧାନ ଗ୍ରହଣ କରିବାକୁ ସକ୍ଷମ କରୁଛୁ। ପିଏମ୍ ସୂର୍ଯ୍ୟଘର: ମୁଫ୍ତ ବିଜ୍ଲି ଯୋଜନା ଅଧୀନରେ କୁରୁଜଙ୍ଗ ଗ୍ରାମର ସଫଳତା ସବୁଜ ଶକ୍ତିର ବର୍ଦ୍ଧିତ ଗ୍ରହଣୀୟତା ଏବଂ ଏକ ଆତ୍ମନିର୍ଭରଶୀଳ ଏବଂ ଦୀର୍ଘସ୍ଥାୟୀ ଓଡ଼ିଶା ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।


