ଭୁବନେଶ୍ୱରରେ ଅକ୍ଟୋବର ୧୧ ଓ ୧୨ରେ ଅନୁଷ୍ଠିତ ହେବ ‘ଫିନଭିଜନ ଓଡ଼ିଶା-୨୦୨୫’ ଜାତୀୟ ସମ୍ମିଳନୀ
1 min read
ଭୁବନେଶ୍ୱର: ‘ମାରୁତି ମିଡିଆ’ ପକ୍ଷରୁ ଅକ୍ଟୋବର ୧୧ ଓ ୧୨ ତାରିଖ ଦୁଇଦିନ ଧରି ଭୁବନେଶ୍ୱରସ୍ଥିତ ୟୁସିସିଆଇଏଲ ପରିସରରେ ବ୍ୟାଙ୍କ ଓ ଆର୍ଥିକ ସେବା ସମ୍ପର୍କିତ ଜାତୀୟ ସମ୍ମିଳନୀ ‘ଫିନଭିଜନ ଓଡ଼ିଶା-୨୦୨୫’ ଅନୁଷ୍ଠିତ ହେବ।
ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ୍) ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶେଷଜ୍ଞ ଯୋଗଦେଇ ଓଡ଼ିଶାରେ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଆର୍ଥିକ କ୍ଷେତ୍ରର ସ୍ଥିତି ଓ ବିକାଶ ସମ୍ପର୍କରେ ଆଲୋଚନା କରିବେ।
ଏହି ଦୁଇ ଦିବସୀୟ ସମ୍ମିଳନୀରେ ବ୍ୟାଙ୍କ ସେବା, ଷ୍ଟକ୍ ଓ ସେୟାର ବଜାର, ମ୍ୟୁଚୁଆଲ ଫଣ୍ଡ, ଏସଏମଇ, ଆଇପିଓ, ଗୃହ ଅର୍ଥ ଲଗାଣ ଏବଂ ବୀମାସେବା ଆଦି ପ୍ରସଙ୍ଗରେ ୪ଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ। ଏହି ଅବସରରେ ଅତିଥିମାନେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିବେ। ରାଜ୍ୟରେ ବ୍ୟାଙ୍କ ତଥା ଅନ୍ୟାନ୍ୟ ଆର୍ଥିକ କ୍ଷେତ୍ରର ବିକାଶ ପାଇଁ ବିଶେଷଜ୍ଞମାନଙ୍କ ପରାମର୍ଶକୁ ଏକତ୍ର କରି ଏକ ସଂକଳନ ପ୍ରକାଶ କରାଯିବ। ଏହାକୁ ରାଜ୍ୟ ସରକାର ଓ ଅନ୍ୟ ଅନୁଷ୍ଠାନ ନିକଟରେ ଉପସ୍ଥାପନ କରାଯିବ ବୋଲି ୟୁସିସିଆଇଏଲର ସଭାପତି ଡକ୍ଟର ପ୍ରବୋଧ କୁମାର ମହାନ୍ତି ଏବଂ ‘ମାରୁତି ମିଡିଆ’ର ନିର୍ଦ୍ଦେଶକ ମନୋଜ ପୃଷ୍ଟି ୟୁସିସିଆଇଏଲ୍ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ୟୁସିସିଆଇଏଲର ଉପସଭାପତି ମୁରଲୀ ଜାମୁଲା, ଯୁଗ୍ମ ସମ୍ପାଦକ ସନ୍ତୋଷ ଅଗ୍ରୱାଲ ଏବଂ କୋଷାଧ୍ୟକ୍ଷ ନାରାୟଣ କୁମାର ପ୍ରମୁଖ ଜାତୀୟ ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି।
ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ମାରୁତି ମିଡିଆ ପକ୍ଷରୁ ଭୁବନେଶ୍ୱରରେ ଦୁଇଦିନିଆ ରାଜ୍ୟସ୍ତରୀୟ କୃଷି ଉଦ୍ୟୋଗୀ ସମ୍ମିଳନୀ ‘ଫାର୍ମିଂ ଇନ୍ ଓଡ଼ିଶ’ର ଆୟୋଜିତ ହୋଇଥିଲା।