October 23, 2024

ପୃଥକ ସଡକ ଦୁର୍ଘଟଣାରେ ୭ ମୃତ ୭ ଗୁରୁତର

1 min read

ଯାଜପୁର/ପାଟଣା/ ମୋହନା/ନୂଆପଡା : ଗୋଟିଏ ଦିନରେ ରାଜ୍ୟରେ ପୃଥକ ସ୍ଥାନରେ ସଡକ ଦୁର୍ଘଟଣା ଘଟି ୫ ଜଣକ ମୃତ୍ୟୁ ଘଟିବା ସହିତ ୪ ଜଣ ଗୁରୁତର ଥିବା ଖବର ମିଳିଛି | ପ୍ରଥମ ଦୁର୍ଘଟଣାଟିରେ ସ୍ୱାମୀ,ସ୍ତ୍ରୀଙ୍କ ମୃତ୍ୟୁ ଘଟିବା ସହିତ ଆଉ ୩ ଜଣ ଆହତ ହୋଇଛନ୍ତି | ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ପାଣିକୋଇଲି ଛକ ନିକଟରେ ଟ୍ରକ୍ ପଛରେ କାର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଳା ସୋର ଅଞ୍ଚଳର ଦମ୍ପତି ସୁମିତ୍ରା ଜେନା ଓ ବିନୋଦ ଜେନା କଟକରୁ ବାଲେଶ୍ବର ଫେରିବା ବେଳେ ଯାଜପୁର ପାଣିକୋଇଲି ଛକ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ | ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ସ୍ୱାମୀ ସ୍ତ୍ରୀଙ୍କ କାରଟି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୩ ଜଣ ଆହତ ଥିବା ଜଣାପଡ଼ିଛି । ତେବେ ୩ ଜଣ ଆହତଙ୍କ ମଧ୍ୟରୁ ୨ ଜଣୁ ଗୁରୁତର ଥିବାରୁ ସେମାନଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ମାମଲାରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।

ଅନ୍ୟପଟେ କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଚେମେଣାଠାରେ ଗତକାଲି ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।

ମୃତବ୍ୟକ୍ତିମାନେ ହେଲେ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଭୃଙ୍ଗରାଜପଶି ଗ୍ରାମର କୁନା ମୁଣ୍ଡା (୪୫) ଓ ଶୁକଦେବ ମୁଣ୍ଡା (୩୨)। ଉଭୟ ଏକ ବାଇକରେ ତୁରୁମୁଙ୍ଗା ବଜାରରୁ ନିଜ ଗାଁ ଭୃଙ୍ଗରାଜପଶିକୁ ଯାଉଥିଲାବେଳେ ଚେମେଣାରେ ଦୁର୍ଘଟଣାର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ କୁନାଙ୍କ ମୃତ୍ୟୁ ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ଶୁକଦେବଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତୁରୁମୁଙ୍ଗା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସେହିପରି ମୋହନା ଥାନା କଳାମେରି ନିକଟରେ ଟ୍ରାକ୍ଟର ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଉଛନ୍ତି ମୋହନା ଥାନା ପାଟୁପଦର ଗାଁର ୪୫ ବର୍ଷୀୟ ଟୁକୁନା ଦଳାଇ। ଗୁରୁତର ଆହତ ଜଣକ ହେଲେ ସେହି ଗାଁର ୨୨ବର୍ଷୀୟୀ ଲିଶା ନାୟକ। ଗଜପତି ଜିଲ୍ଲା ମୋହନା ଥାନା କଳାମେରି ନିକଟ ରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି | ଗତକାଲି ରାତିରେ କଳମେରୀ ନିକଟସ୍ଥ ଡି.ଡି କଲୋନୀରେ ଟ୍ରାକ୍ଟରରେ ଜମିଚାଷ ଚାଲିଥିଲା। ଟୁକୁନା ଚାଷ କାମ ସାରି ବିଳମ୍ୱିତ ରାତିରେ ଟ୍ରାକ୍ଟର ନେଇ ପାଟୁପଦର ଫେରୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟର ରାସ୍ତା କଡକୁ ଓଲଟି ପଡ଼ିଥିଲା । ଏଥିରେ ଡ୍ରାଇଭର ଟୁକୁନା ଏବଂ ଶ୍ରମିକ ଲିଶା ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ଟୁକୁନାକୁ ମୃତ ଘୋଷଣା କରିଥିଲେ । ଗୁରୁତର ଆହତ ହୋଇଥିବା‌ ଏଲିଶାଙ୍କର ଚିକିତ୍ସା ଚାଲିଥିବା ବେଳେ ମୋହନା ପୋଲିସ୍ ଘଟଣାର ତଦନ୍ତ କରୁଛି।

ଅନ୍ୟ ଦୁର୍ଘଟଣାଟି ନୂଆପଡା ଜିଲ୍ଲାରେ ଘଟିଛି | ବାଇକ୍-ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିବା ସହିତ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ନୂଆପଡା ଜିଲ୍ଲା ବେଲଟୁକୁରି ଥାନା ଶରଧାପୁର ନିକଟରେ ଏହି ଦୁର୍ଘଟଟଣା ଘଟିଛି | ଦୁଇ ମୃତକ ବିଳାସପୁର ଗାଁର ଦୀଲିପ୍ ଭୋଈ ଏବଂ ତୁଳାରାମ ବୋଲି ଜଣାପଡିଛି। ଆଜି ସକାଳେ ବିଳାସପୁର ଗାଁର ଦୀଲିପ୍ ଏକ ସ୍କୁଟି ଯୋଗେ ଖରିଆର ରୋଡ୍ ରୁ ସ୍କୁଟି କିଣି ଫେରୁଥିଲେ। ଏତିକିବେଳେ ସରଧାପୁର ଗାଁର ତୁଳାରାମ ତାଙ୍କ ସ୍ତ୍ରୀ ଏବଂ ୩ ବର୍ଷର ଶିଶୁକୁ ଧରି ଏକ ବାଇକ୍ ଯୋଗେ ଛତିଶଗଡ ଯାଉଥିଲେ। ସରଧାପୁର ଛକ ନିକଟରେ ସ୍କୁଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଆରୋହୀଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଖବର ପାଇ ବେଲଟୁକୁରି ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *