July 27, 2024

ପତ୍ନୀ ହତ୍ୟାକାରୀ କୁ ୧୦ବର୍ଷ ଏବଂ ଦୁଷ୍କର୍ମ ଉଦ୍ୟମକାରୀକୁ ୩ବର୍ଷ ଜେଲ୍‌‌

1 min read

କେନ୍ଦୁଝରଗଡ଼: ସାମାନ୍ୟ ଘରୋଇ ଝଗଡାରୁ ପତ୍ନୀକୁ କାଠଫାଳିଆରେ ମାରି ହତ୍ୟା କରିଥିବା ସ୍ୱାମୀକୁ ଜିଲା ଓ ଦୌରାଜଜ୍‌‌ କେନ୍ଦୁଝର ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି। ସଦର ଥାନା ଗୋପୀନାଥପୁର ପଞ୍ଚାୟତ ଜଳବଙ୍ଗ ଗ୍ରାମର ରମେଶ ବେଣ୍ଟକାର (୪୬) ୧ ଅପ୍ରେଲ ୨୦୧୮ ରାତି ୮ଟାରେ ପହଞ୍ଚି ଖାଇବାକୁ ଦେବାପାଇଁ ପତ୍ନୀକୁ କହିଥିଲା। ତେବେ ରୋଷେଇ ହୋଇନଥିବା ପତ୍ନୀ ରେବତୀ କହିବାରୁ ଏôତରେ ଉତ୍‌‌କ୍ଷିପ୍ତ ହୋଇ ରମେଶ ପ୍ରଥମେ ପତ୍ନୀ ରେବତୀକୁ ମାରପିଟ୍‌‌ କରିବା ସହ ଏକ କାଠଫାଳିଆରେ ମାଡ ମାରିବାରୁ ରେବତୀ ଅଚେତ୍‌‌ ହୋଇ ପଡିଯାଇଥିଲେ।

ତହିଁ ପରଦିନ ରେବତୀଙ୍କ ମୃତ୍ୟୁ ହେବାରୁ ତାଙ୍କର ବାପା ଭରତ ବେଣ୍ଟକାର ସଦର ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିବାରୁ ପୁଲିସ ତଦନ୍ତ ସହ ଅଭିଯୁକ୍ତ ରମେଶକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ଘଟଣାରେ ମୋଟ ୧୧ଜଣ ସାକ୍ଷୀଙ୍କ ବୟାନ ଏବଂ ସାଇଣ୍ଟିଫିକ୍‌‌ ପ୍ରମାଣକୁ ଭିତ୍ତିକରି ଗୁରୁବାର ମାମଲାର ଚୂଡାନ୍ତ ଶୁଣାଣୀ କରି ଜିଲା ଓ ଦୌରାଜଜ୍‌‌ କେନ୍ଦୁଝର ଅଶୋକ କୁମାର ପଣ୍ଡା ଅଭିଯୁକ୍ତ ରମେଶକୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି। ସରକାରଙ୍କ ପକ୍ଷରୁ ପିପି ପ୍ରଦୀପ କୁମାର ଦାସ ମକଦ୍ଦମା ପରିଚାଳନା କରୁଥିଲେ।

ଘରେ କେହିନଥିବା ସୁଯୋଗ ଉଣ୍ଡି ରାତି ଅଧରେ ଘରେପଶି ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତକୁ ଫାଷ୍ଟ ଟ୍ରାକ୍‌‌ କୋର୍ଟ କେନ୍ଦୁଝରର ବିଚାରପତି ବୁଧବାର ଦୋଷୀ ସାବ୍ୟସ୍ତ କରି ୩ବର୍ଷ ଜେଲ୍‌‌ ଦଣ୍ଡାଦେଶ କରିଛନ୍ତି। ପଣ୍ଡାପଡା ଥାନା ଅଧିନ ଆଙ୍କଲପଡା ଗ୍ରାମର ସ୍ୱାମୀ ସ୍ତ୍ରୀ ୭ ଅପ୍ରେଲ ୨୦୦୭ ମସିହା ରାତିରେ ନିକଟସ୍ଥ ଗାଁକୁ ପାଲା ଦେଖିବାକୁ ଯାଇଥିବା ବେଳେ ତାଙ୍କର ଦୁଇ ନାବାଳିକା ଝିଅ ଘରେ ଶୋଇଥିଲେ।

ଏହାର ସୁଯୋଗ ଉଣ୍ଡି ବିଜୟ ନାଏକ (୨୪) ରାତି ପ୍ରରୟ ୧୧ଟାରେ ଘରେ ପଶି ୧୭ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିବା ସମୟରେ ନାବାଳିକାଜଣକ ପାଟି କରିବାରୁ ପାଖରେ ଶୋଇଥିବା ସାନଭଉଣୀ ନିଦରୁ ଉଠି ସଙ୍ଗେ ସଙ୍ଗେ ଘରୁ ବାହାରି ବାହାରପଟୁ କବାଟ ବନ୍ଦ କରି ପାଲା ଦେଖିବାକୁ ଯାଇଥିବା ବାପା ଓ ମା’ଙ୍କୁ ଘଟଣା ସମ୍ପର୍କରେ କହିଥିଲା। ଘଟଣା ସମ୍ପର୍କ;ରେ ଜାଣିବା ପରେ ନାବାଳିକାର ବାପା,.ମା’ ସମେତ ଗ୍ରାମର କେତେକ ଭଦ୍ରବ୍ୟକ୍ତି ଘରେ ପହଞ୍ଚି କବାଟ ଖୋଲିବାରୁ ଅଭିଯୁକ୍ତ ବିଜୟ ଖସି ପଳାଇବାକୁ ଚେଷ୍ଟା କରିବା ସମୟରେ ଗ୍ରାମବାସୀଙ୍କ ହାବୁଡରେ ଧରାପଡିଥିଲେ। ନାବାଳିକାର ପରିବାର ଲୋକେ ଘଟଣା ସମ୍ପର୍କରେ ବିଜୟଙ୍କ ପରିବାର ଲୋକଙ୍କୁ ଅବଗତ କରିବା ସହ ଘଟଣାର ସମାଧାନ ପାଇଁ ଗ୍ରାମ୍ୟ କମିଟି ସହ ଆଲୋଚନା ଚାଲିଥିବା ବେଳେ ବିଜୟଙ୍କ ପରିବାର ଲୋକେ ବିଜୟଙ୍କୁ ଘଟଣାସ୍ଥଳରୁ ଜୋରଜବରଦସ୍ତ ନେଇ ପଳାଇଥିଲେ।

ଏହାପରେ ନାବାଳିକାର ମା’ ସ୍ଥାନୀୟ ଥାନାରେ ୧୦ ଅପ୍ରେଲରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ବିଜୟକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବୁଧବାର ଏହି ମାମଲାର ଚୂଡାନ୍ତ ଶୁଣାଣୀ କରି ଫାଷ୍ଟ ଟ୍ରାକ୍‌‌ କୋର୍ଟ କେନ୍ଦୁଝରର ବିଚାରପତି ବିଜୟ କୁମାର ମିଶ୍ର ଅଭିଯୁକ୍ତ ବିଜୟକୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ଜେଲ ଦଣ୍ଡାଦେଶ ସହ ୩ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୧ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ଆଦେଶ କରିଛନ୍ତି। ଏଥିସହ ପୀଡିତାକୁ ୧ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ଜିଲା ଆଇନ ସେବା ପ୍ରାଧିକରଣକୁ ସୁପାରିଶ କରିଥିବା ବେଳେ ପୀଡିତାଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା ମକଦ୍ଦମା ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *