June 19, 2026

୪୦୦ ଇଲେକ୍ଟ୍ରିକ୍‌ ବସ୍‌ ସେବାରେ ଯୋଡ଼ିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି

1 min read

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ତୈଳ ସଂକଟର ପ୍ରଭାବ ସମସ୍ତେ ଅନୁଭବ କରିଛନ୍ତି। ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ‘ଆମ ବସ’ ସେବାରେ ଇଭିକୁ ଗୁରୁତ୍ବ ଦେଇଛନ୍ତି। କ୍ରୁଟ୍‌ ପକ୍ଷରୁ ସାରା ଓଡ଼ିଶାରେ ଚାଲିଥିବା ୭୬୦ଟି ‘ଆମ ବସ୍‌’ରୁ ୩୮୦ଟି କେବଳ ଇଲେକ୍ଟ୍ରିକ୍‌ ଗାଡ଼ି ହୋଇଥିବାବେଳେ ଆଗକୁ ଆହୁରି ୪୦୦ ଇଲେକ୍ଟ୍ରିକ୍‌ ବସ୍‌ ଏହି ସେବାରେ ଯୋଡ଼ିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏହାବାଦ୍‌ ହାଇଡ୍ରୋଜେନ୍‌ ବସ୍‌ ବି ଚଳାଚଳ ଯୋଜନା କରାଯାଇଛି।
୨୦୨୪ରୁ ୨୦୨୬ ମସିହା ମଧ୍ୟରେ କ୍ରୁଟ୍ ପରିଚାଳିତ ‘ଆମ ବସ’ ସେବାକୁ ଯଥେଷ୍ଟ ସମ୍ପ୍ରସାରିତ କରାଯାଇଛି। ଫଳସ୍ବରୂପ ଏବେ ସାରା ରାଜ୍ୟରେ ୩୮୦ଟି ଡିଜେଲ୍‌ ଓ ୩୮୦ଟି ଇଲେକ୍ଟ୍ରିକ୍‌ ବସ୍‌ ଚାଲୁଛି। ସରକାରୀ ସୂଚନା ମୁତାବକ, ୨୦୨୪ ମସିହାରେ ସମ୍ବଲପୁର ଓ ବ୍ରହ୍ମପୁରରେ ଇଲେକ୍ଟ୍ରିକ୍ ବସ୍ ସେବା ଆରମ୍ଭ କରାଯାଇଥିଲା। ପରେ ୨୦୨୫ରେ ଭୁବନେଶ୍ବରରେ ୮୦ଟି ମିନି ଇଲେକ୍ଟ୍ରିକ୍ ବସ୍, ୫ଟି ଇଲେକ୍ଟ୍ରିକ୍ ଡବଲ୍ ଡେକର୍ ବସ୍, ପୁରୀରେ ୩୫ଟି ଇଲେକ୍ଟ୍ରିକ୍ ବସ୍ ଓ ନରାଜରେ ୧୦୦ଟି ଇଲେକ୍ଟ୍ରିକ୍ ବସ୍ ସାମିଲ କରାଯାଇଥିଲା। ଚଳିତବର୍ଷ କେନ୍ଦୁଝରରେ ୨୫ଟି ଇଲେକ୍ଟ୍ରିକ୍ ବସ୍‌ ଯୋଡ଼ି ହୋଇଛି।

ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଓଡ଼ିଶା ସରକାର ରାଜ୍ୟର ସମସ୍ତ ନାଗରିକଙ୍କୁ ସୁରକ୍ଷିତ, ସୁଲଭ, ପରିବେଶ ଅନୁକୂଳ ଓ ପ୍ରଯୁକ୍ତିବିଦ୍ୟା ଆଧାରିତ ପରିବହନ ସେବା ଯୋଗାଇଦେବାର ଲକ୍ଷ୍ୟ ରଖିଛନ୍ତି। କ୍ରୁଟ୍ ପରିଚାଳିତ ‘ଆମ ବସ୍‌’ ସେବା ଦୈନିକ ୩ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ସେବା ଯୋଗାଉଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି, ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଆମ ବସ୍‌ ଟିକେଟ୍‌ ସହ ଏବେ ସାତପଡ଼ାଠାରେ ଚିଲିକା ବୋଟିଂ ସେବା ପାଇଁ ଅନଲାଇନ୍ ବୁକିଂ ସୁବିଧା ହୋଇଛି। ଟିକେଟ୍‌ ବୁକିଂକୁ ସରଳୀକରଣ ପାଇଁ ପ୍ରମୁଖ ସ୍ଥାନଗୁଡିକରେ ସ୍ୱୟଂଚାଳିତ ଟିକେଟ୍ ଭେଣ୍ଡିଂ ମେସିନ୍ ବସାଯାଇଛି। ହ୍ୱାଟ୍ସଆପ୍ ଆଧାରିତ ଟିକେଟ୍ ବୁକିଂ ଓ ଡିଜିଟାଲ୍ ପାସ୍ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି।

କ୍ରୁଟ୍‌ ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ ଆଲାମ କହିଛନ୍ତି, ଆମେ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ବସ୍ ପାଇଁ ପ୍ରସ୍ତୁତ ହେଉଛୁ। ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଅନୁଦାନରେ ୩ଟି ହାଇଡ୍ରୋଜେନ୍ ଫୁଏଲ୍‌ ସେଲ୍ ଇଲେକ୍ଟ୍ରିକ୍ ବସ୍ ପ୍ରଚଳନ ହେବ। ‘ଆମ ବସ୍‌’ ସେବା ବାଦ୍‌ ‘ଓଡ଼ିଶା ଯାତ୍ରୀ’ ମାଧ୍ୟମରେ ଭୁବନେଶ୍ୱର, କଟକ, ପୁରୀ ଓ ସମ୍ବଲପୁରରେ କ୍ୟାବ୍‌ ଓ ଅଟୋ ରିକ୍ସା ସେବା ଚାଲିଛି। ଏଥିରୁ ୧୬,୭୭୯ଜଣ ଚାଳକ ୧୧.୬୫ କୋଟିରୁ ଅଧିକ ଟଙ୍କା ରୋଜଗାର କରି ପାରିଛନ୍ତି। ସେପଟେ ଡିଜିଟାଲ୍‌ ସେବାକୁ ବି ସରକାର ଗୁରୁତ୍ବ ଦେଉଛନ୍ତି। ‘ଆମ ବସ’ ଟିକେଟିଂ ପ୍ଲାଟଫର୍ମରେ ୯୦ହଜାରରୁ ଅଧିକ ଟିକେଟ୍‌ ବୁକିଂ କରିଛନ୍ତି। ଯାହା ସମୁଦାୟ ଟିକେଟ୍‌ ବୁକିଂର ପ୍ରାୟ ୪୫ ପ୍ରତିଶତ ବୋଲି କ୍ରୁଟ୍‌ କର୍ତ୍ତୃପକ୍ଷ କହିଛନ୍ତି।