ରାଜ୍ୟ ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ”ର ପ୍ରଥମ ବୈଠକ ଅନୁଷ୍ଠିତ
1 min read
ଭୁବନେଶ୍ୱର: ଶିକ୍ଷା, ସ୍ୱାସ୍ଥ୍ୟ ଓ ଆବାସିକ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ସରକାରୀ ମେଡିକାଲ କଲେଜଗୁଡ଼ିକରେ ବିନା ମୂଲ୍ୟରେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର (Gender Affirmation Surgery) ଏବଂ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ଆଜି ନବଗଠିତ “ଓଡ଼ିଶା ରାଜ୍ୟ ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ”ର ପ୍ରଥମ ବୈଠକରେ ନିଷ୍ପତ୍ତି ନିଆଯାଇଛି।
‘ସ୍ୱୀକୃତି’ ଯୋଜନା ମାଧ୍ୟମରେ ରାଜ୍ୟରେ ୮୦ଟି ତୃତୀୟଲିଙ୍ଗୀ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଗଠନ କରାଯାଇଛି, ଯେଉଁଥିରୁ ୪୧ଟି ଗୋଷ୍ଠୀକୁ ୫୦,୦୦୦ ଟଙ୍କା ଲେଖାଏଁ ଏକକାଳୀନ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ‘ସ୍ମାଇଲ’ (SMILE) ଯୋଜନାରେ ରାଜ୍ୟର ୩,୧୫୯ ଜଣ ତୃତୀୟଲିଙ୍ଗୀଙ୍କୁ ପରିଚୟ ପତ୍ର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ‘ଗରିମା ଗୃହ’ରେ ୨୫ ଜଣ ସଦସ୍ୟ ରହୁଥିବା ବେଳେ ‘ଆୟୁଷ୍ମାନ ଭାରତ ଟି.ଜି. ପ୍ଲସ୍’ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ପ୍ରକ୍ରିୟା ଜାରି ରହିଛି।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ତୃତୀୟଲିଙ୍ଗୀ ସମ୍ପ୍ରଦାୟର ସମାଜରେ ସମାନ ସୁଯୋଗ ଓ ସର୍ବାଙ୍ଗୀନ ବିକାଶ ପାଇଁ ଚାଲିଥିବା ବିଭିନ୍ନ ଯୋଜନାର ସମୀକ୍ଷା କରାଯିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଶିକ୍ଷାନୁଷ୍ଠାନଗୁଡ଼ିକରେ ୧% ସଂରକ୍ଷଣ, ଫି’ ଛାଡ଼, ସ୍ୱତନ୍ତ୍ର ହଷ୍ଟେଲ ଓ ଶୌଚାଳୟ ସୁବିଧା କରାଯିବ। ଏହାଛଡ଼ା ବସୁନ୍ଧରା ଓ ପି.ଏମ୍. ଆବାସ ଯୋଜନାରେ ଜମି ଓ ଘର ଯୋଗାଇଦେବା, ପୁରୀଠାରେ ଏକ କମ୍ୟୁନିଟି ହଲ୍ ନିର୍ମାଣ ଏବଂ ତୃତୀୟଲିଙ୍ଗୀ ଓ ଏଲ.ଜି.ବି.ଟି (LGBT) ସମ୍ପ୍ରଦାୟର ସଠିକ୍ ଗଣନା (Census) କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।


