September 17, 2026

ଚୋରା ମଦ ବନ୍ଦ ପାଇଁ ମହିଳା ମାନେ ଅଣ୍ଟା ଭିଡ଼ିଥିବା ଦେଖାଯାଇଛି

1 min read

ଯାଜପୁର : ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଚୋରା ମଦ ବେପାର ସମ୍ପୂର୍ଣ୍ଣ ବନ୍ଦ ପାଇଁ ବିଧାୟକ ହିମାଂଶୁ ଶେଖର ସାହୁ ନିକଟରେ ଅବକାରୀ କମିଶନରଙ୍କୁ ଚିଠି ଲେଖିବା ପରେ ବିଭାଗୀୟ ତତ୍ପରତା ପ୍ରକାଶ ପାଇଥିଲା। ଏନେଇ ଅବକାରୀ ସଚିବ ଯାଜପୁର ଅବକାରୀ ଅଧିକ୍ଷକ ଙ୍କୁ ଚିଠି କରିବା ପରେ ବିଭିନ୍ନ ସ୍ଥାନରେ ଚୋରା ମଦ ବନ୍ଦ ପାଇଁ ମହିଳା ମାନେ ଅଣ୍ଟା ଭିଡ଼ିଥିବା ଦେଖାଯାଇଛି।

ଗତ ୬ ତାରିଖ ଦିନ ଜାରକା ସ୍ଥିତ ଅବକାରୀ ଥାନା ଆଗରେ ଶତାଧିକ ମହିଳା ଧାରଣା ଦେବା ସହ ନାରାବାଜି କରିଥିଲେ। ଘର ଦୁଆର ମୁହଁରେ ମଦ ଦୋକାନ ଖୋଲିବା ଦ୍ୱାରା ପାରିବାରିକ କଳହ ଏବେ ଚରମ ସୀମାରେ ପହଞ୍ଚିଲାଣି ବୋଲି ସେମାନେ ଅଭିଯୋଗ କରିଥିଲେ। ଆଜି ଶୁକ୍ରବାର ଥାନୂଆଳ ପଞ୍ଚାୟତରେ ଥିବା ଦୁଇଟି ଚୋରା ମଦ କେବିନ ଭିତରେ ମହିଳା ମାନେ ପଶି ମଦ ବୋତଲ ସବୁ ବାହାର କରିବା ସହ ବିଭିନ୍ନ ସାମଗ୍ରୀକୁ ଫିଙ୍ଗା ଫୋପାଡ଼ା କରିଥିଲେ। ଦୋକାନରୁ ଜିନିଷ ପତ୍ର ଭଙ୍ଗାରୁଜା କରି ସବୁଦିନ ପାଇଁ ମଦ ବିକ୍ରୀ ବନ୍ଦ ପାଇଁ ଚେତାବନୀ ଦେଇଛନ୍ତି ମହିଳା। ଉତ୍ତେଜନା ଖବର ପାଇ ଧର୍ମଶାଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳା ମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।