July 27, 2024

ଆଜି ମୁଁ ଜୀବନରେ ଯାହା ହୋଇଛି, ଏହି କ୍ୟାମ୍ପସର ପବିତ୍ର ମାଟି ପାଇଁ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ

1 min read

ଭୁବନେଶ୍ୱର : ଆଜି ମୁଁ ଜୀବନରେ ଯାହା ହୋଇଛି, ଏହି କ୍ୟାମ୍ପସର ପବିତ୍ର ମାଟି ପାଇଁ ହୋଇଛି । ଏହି ଅବସରରେ ଓଡ଼ିଶାର ଜ୍ଞାନର ଏହି ମାଟିକୁ ପ୍ରଣାମ କରୁଛି ବୋଲି ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ନିଜ ସଂଗ୍ରାମୀମାନଙ୍କୁ ସମ୍ମାନ ଦେବା, ବିକଶିତ ଭାରତରେ ଯୋଗଦାନ ରଖିବା ଏବଂ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଆୟୋଜନ ହେଉଥିବା ମୋ ମାଟି ମୋ ଦେଶ ସେତେବେଳେ ଆୟୋଜନ ହେଉଛି, ଯେତେବେଳେ ଭାରତର ଚନ୍ଦ୍ରାୟାନ- ୩ ମିଶନ ସଫଳ ହୋଇଛି ଏବଂ ସୂର୍ଯ୍ୟ ଅଭିଯାନ ପାଇଁ ଆଦିତ୍ୟଏଲ-୧ ଉତକ୍ଷେପଣ କରାଯାଇଛି ।

ବିଗତ ଦିନରେ ଜି-୨୦ ମାଧ୍ୟମରେ ବିଶ୍ୱ ନେତୃତ୍ୱମାନେ ଭାରତ ଗସ୍ତରେ ଆସି ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ନିମନ୍ତ୍ରିତ ନୈଶ୍ୟଭୋଜିରେ ସାମିଲ ହୋଇଛନ୍ତି, ଏହି ସବୁ ବିଷୟ ସମଗ୍ର ଭାରତବର୍ଷ ପାଇଁ ଗୌରବମୟ ଉପଲବ୍ଧି । ଦେଶକୁ ସ୍ୱାଧୀନତା ଦେବାରେ ଓ ଆମକୁ ଦାସତ୍ୱ ମାନସିକତାରୁ ମୁକ୍ତି ଦେବା ପାଇଁ ଅନେକ ସଂଗ୍ରାମୀଙ୍କ ପରିଶ୍ରମ, ତ୍ୟାଗ ଓ ବଳିଦାନ ରହିଛି ।

ଦେଶର ସ୍ୱତନ୍ତ୍ରତା ପାଇଁ ଓଡ଼ିଶାର ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବିର୍ସା ମୁଣ୍ଡା, ନିର୍ମଳ ମୁଣ୍ଡା, ଶହୀଦ ଲକ୍ଷ୍ମଣ ନାଏକ, ଶହୀଦ ବାଜି ରାଉତ, ଗୋପବନ୍ଧୁ ଦାସ, କୁଳ ବୃଦ୍ଧ ମଧୁବାବୁ ଓ ଡକ୍ଟର ହରେକୃଷ୍ଣ ମହତାବଙ୍କ ଭଳି ଅନେକ ସଂଗ୍ରାମୀ ଓ ମହାପୁରୁଷଙ୍କ ଯୋଗଦାନ ଅବିସ୍ମରଣୀୟ । ଦେଶର ସ୍ୱାଧୀନତା ପାଇଁ ତ୍ୟାଗ ଦେଇଥିବା ସଂଗ୍ରାମୀ ଓ ସ୍ୱାଧୀନତା ପରେ ଦେଶକୁ ସୁରକ୍ଷିତ ରଖିବା ପାଇଁ ବଳିଦାନ ଦେଇଥିବା ଯବାନ ମାନଙ୍କ ସ୍ମରଣାର୍ଥେ ଆୟୋଜିତ ‘ମୋ ମାଟି ମୋ ଦେଶ’ ଦେଶରେ ନୂଆ ଜାଗରଣ ଆଣିଛି ।

ଆଜି ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର ସବୁ ହଷ୍ଟେଲରୁ ଯୁବସାଥୀଙ୍କ ଦ୍ୱାରା ସଂଗୃହିତ ମାଟି ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ସ୍ଥାନିତ ହେବ । ଅମୃତକାଳରେ ଭାରତ ନୂଆ ଉଚ୍ଚତାରେ ପହଞ୍ଚିବ ଏବଂ ଦେଶକୁ ଏହି ଉଚ୍ଚତାକୁ ନେବାର ନେତୃତ୍ୱ ଭାରତର ଶିକ୍ଷା ଜଗତ ନେବ । ଏଥିରେ ଉତ୍କଳ ବିଶ୍ୱବିଦ୍ୟାଳୟର ବି ଯୋଗଦାନ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ‘ପଞ୍ଚ ପ୍ରଣ’ର ଶପଥ ପାଠ ନେବା ସହ ଦେଶ ପାଇଁ ବଳିଦାନ ଦେଇଥିବା ବୀର ମାନଙ୍କ ପରିବାରକୁ ସମ୍ବର୍ଦ୍ଧିତ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ବ୍ୟାସକବି ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ସେଠାରେ ଶହୀଦ ‘ସ୍ମାରକୀ ଫଳକ’ର ଉନ୍ମୋଚନ କରିବା ସହ ବୃକ୍ଷରୋପଣ କରିଥିଲେ ।

Leave a Reply

Your email address will not be published. Required fields are marked *