September 20, 2026

ରାଉରକେଲା ଆରଟିଓ ଅଫିସ୍‌ରେ ଭିଜିଲାନ୍ସ ଚଢ଼ାଉ

1 min read

ରାଉରକେଲା: ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କଠୋର ଆଭିମୁଖ୍ୟ ଜାରି ରହିଥିବା ବେଳେ ଆଜି ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲାମ ହୋଇଥିବା ଦୁଇଟି ଟ୍ରକ୍‌ର ଫ୍ରେସ୍ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ (FRC) ପ୍ରଦାନ କରିବା ବାବଦକୁ ୨୬,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଆରଟିଓ ଅଫିସ୍‌ର ଦୁଇ ଜଣ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ଦ୍ୱୟ ହେଲେ ଡିଲିଂ କ୍ଲର୍କ-ତଥା-ନାଇଟ୍ ୱାଚର୍ ନିରଞ୍ଜନ ସଣ୍ଢ ଏବଂ ଆଇଟି ଏକ୍ସିକ୍ୟୁଟିଭ୍ ଧର୍ମେନ୍ଦ୍ର କୁମାର ବେହେରା।

ମିଳିଥିବା ସୂଚନା ଅନୁଯାୟୀ, ଗାଡ଼ିର ପୂର୍ବତନ ମାଲିକ ବ୍ୟାଙ୍କ୍ ଋଣ ପରିଶୋଧ ନକରିପାରିବାରୁ ଇଣ୍ଡସ୍‌ଇଣ୍ଡ୍ (IndusInd) ବ୍ୟାଙ୍କ ଦ୍ୱାରା ଦୁଇଟି ଟ୍ରକ୍‌କୁ ନିଲାମ କରାଯାଇଥିଲା। ଅଭିଯୋଗକାରୀ ଉକ୍ତ ନିଲାମ ପ୍ରକ୍ରିୟାରେ ଟ୍ରକ୍ ଦୁଇଟିକୁ କିଣିଥିଲେ। ଓଡ଼ିଶା ସରକାରଙ୍କ ପରିବହନ ବିଭାଗ ନିୟମ ଅନୁଯାୟୀ ନୂଆ ମାଲିକ ଗାଡ଼ିର ଫ୍ରେସ୍ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ (FRC) ପାଇଁ ରାଉରକେଲା ଆରଟିଓ କାର୍ଯ୍ୟାଳୟରେ ଆବେଦନ କରିଥିଲେ।