July 27, 2024

ସ୍ତ୍ରୀର ନିର୍ଯାତନା ଅସହ୍ୟ ହେବାରୁ ପେଟ୍ରୋଲ ଢାଳି ହୋଇ ନିଜ ଶରୀରରେ ନିଆଁ ଲଗାଇଦେଲେ ସ୍ୱାମୀ

1 min read

ଝାରସୁଗୁଡ଼ା: ସ୍ତ୍ରୀର ନିର୍ଯାତନା ଅସହ୍ୟ ହେବାରୁ ପେଟ୍ରୋଲ ଢାଳି ହୋଇ ନିଜ ଶରୀରରେ ନିଆଁ ଲଗାଇଦେଲେ ସ୍ବାମୀ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ରେ ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି। ଏ ସଂକ୍ରାନ୍ତରେ ସଦର ଥାନାର କନେଷ୍ଟବଳ ସୁଶାନ୍ତ ଚୌଧୁରୀଙ୍କ ଏତଲା ଆଧାରରେ ପୁଲିସ୍‌ ଆତ୍ମହତ୍ୟା ଉଦ୍ୟମ କରିଥିବା କର୍ଣ୍ଣ ପ୍ରଧାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପୁଲିସ୍‌ ଏତଲାରେ ଦର୍ଶାଇଥିବା ସୂଚନା ଅନୁସାରେ, ହୋମ୍‌ଗାର୍ଡ ଆଶିଷ ସେଠ୍‌ ଓ ସୁଶାନ୍ତ ଚୌଧୁରୀ ପାଟ୍ରୋଲିଂରେ ଥିବା ସମୟ‌ରେ କର୍ଣ୍ଣ ପ୍ରଧାନଙ୍କ ବିରୋଧରେ ଗତମାସରେ ଏକ ଅଭିଯୋଗ ଆସିଥିଲା। ଲହଣ୍ଡାବୁଡ଼ର ଲତିକା ପ୍ରଧାନ ନା​ମକ ଜଣେ ମହିଳା ତାଙ୍କ ସ୍ବାମୀ କର୍ଣ୍ଣଙ୍କ ବି​ରୋଧରେ ଏତଲା ମଧ୍ୟ ଦେଇଥିଲେ। ଏଥିରେ କର୍ଣ୍ଣ ପ୍ରଧାନ ପତ୍ନୀ ଲତିକାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗରେ ଦର୍ଶାଯାଇଥିଲା। ମାମଲା ସମ୍ପର୍କରେ ଲତିକା ବାରମ୍ବାର ପୁଲିସ୍‌କୁ ଫୋନ୍‌ କରି ଏହାର ଅଗ୍ରଗତି ସମ୍ପର୍କରେ ପଚାରୁଥିଲେ। ତେବେ​ ତୁରନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସେ ଉଚ୍ଚ ଅଧିକାରୀଙ୍କ ପାଖକୁ ଯିବେ ବୋଲି ମଧ୍ୟ ଶ୍ରୀମତୀ ପ୍ରଧାନ କହୁଥିଲେ। ପରେ ପାଟ୍ରୋଲିଂ ଟିମ୍‌ ଲହଣ୍ଡାବୁଡ଼ସ୍ଥିତ କର୍ଣ୍ଣ ପ୍ରଧାନଙ୍କ ଘରେ ପହଞ୍ଚିଥିଲା। ଏହି ସମୟରେ କର୍ଣ୍ଣ ପ୍ରଧାନ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏହାପରେ ପୁଲିସ୍‌ ନିଆଁ ଲିଭାଇବା ସହିତ ତାଙ୍କୁ ଉଦ୍ଧାର କରି ପୁଲିସ୍‌ ଗାଡ଼ିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ତଦନ୍ତ ସମୟରେ ସ୍ତ୍ରୀର ନିର୍ଯାତନା ସହି ନପାରି ସେ ଏଭଳି ପଦକ୍ଷେପ ନେଇଥିବା ପୁଲିସ୍‌ରେ ବୟାନ୍‌ ଦେଇଛନ୍ତି ବୋଲି ଏତଲାରେ ଦର୍ଶାଯାଇଛି। ତେବେ କର୍ଣ୍ଣ ପ୍ରଧାନ ଆତ୍ମହତ୍ୟା ଉଦ୍ୟମ କରିବା ଅଭିଯୋଗରେ ପୁଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ସେପଟେ, ହସ୍ପିଟାଲ ପରିସରରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କର୍ଣ୍ଣଙ୍କ ବୟା​ନ ରେକର୍ଡ କରାଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *