August 10, 2026

ସିଧାସଳଖ ଯୋଗ୍ୟତାରୁ ୱେଷ୍ଟଇଣ୍ଡିଜ୍‌ ବଞ୍ଚିତ

1 min read

ଦୁବାଇ:ଦୁଇ ଥର ଚମ୍ପିଆନ୍‌ ୱେଷ୍ଟଇଣ୍ଡିଜ୍‌ ୨୦୨୭ ଦିନିକିଆ ବିଶ୍ବକପ୍‌ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରି ପାରିନାହିଁ। ପୁଣିଥରେ ୱେଷ୍ଟଇଣ୍ଡିଜ୍‌କୁ ଯୋଗ୍ୟତା ପର୍ଯ୍ୟାୟ ଖେଳି ଦିନିକିଆ ବିଶ୍ବକପ୍‌ରେ ସ୍ଥାନ ନିଶ୍ଚିତ କରିବାକୁ ପଡ଼ିବ। ଶୁକ୍ରବାର ଘରୋଇ ଆୟରଲାଣ୍ଡକୁ ୨ୟ ଦିନିକିଆରେ ଆଫ୍‌ଗାନିସ୍ତାନ ୯୨ ରନ୍‌ରେ ପରାସ୍ତ କରିବା ପରେ ୱେଷ୍ଟଇଣ୍ଡିଜ୍‌ ୨୦୨୭ ଦିନିକିଆ ବିଶ୍ବକପ୍‌ ପାଇଁ ସିଧାସଳଖ ଯୋଗ୍ୟତାରୁ ବଞ୍ଚିତ ହୋଇଛି। ଆଫ୍‌ଗାନିସ୍ତାନ ବିଶ୍ବକପ୍‌ରେ ସିଧାସଳଖ ସ୍ଥାନ ନିଶ୍ଚିତ କରିପାରିଛି।

୨୦୨୭ ଦିନିକିଆ ବିଶ୍ବକପ୍‌ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବ୍ୟାରେ ଆୟୋଜନ ହେବ। ଏଥିରେ ୧୪ଟି ଦଳ ଖେଳିବେ। ଦୁଇ ଆୟୋଜକ ଦେଶ ଭାବେ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ସିଧାସଳଖ ଯୋଗ୍ୟତା ହାସଲ କରିଛନ୍ତି। ଏହି ଦୁଇଟି ଦଳଙ୍କୁ ଛାଡ଼ି ଚଳିତବର୍ଷ ସେପ୍ଟେମ୍ବର ୩୧ ସୁଦ୍ଧା ଆଇସିସି ଦିନିକିଆ ମାନ୍ୟତାରେ ଶ୍ରେଷ୍ଠ ୮ଟି ଦଳ ମଧ୍ୟ ସିଧାସଳଖ ଯୋଗ୍ୟତା ହାସଲ କରିବେ। ୨୦୨୭ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟରୁ ଶ୍ରେଷ୍ଠ ୪ଟି ଦଳ ବିଶ୍ବକପ୍‌ ଖେଳିବେ। ସୂଚନାଯୋଗ୍ୟ; କ୍ରମାଗତ ୩ୟ ଦିନିକିଆ ବିଶ୍ବକପ୍‌ ପାଇଁ ୱେଷ୍ଟଇଣ୍ଡିଜ୍‌ ସିଧା ଯୋଗ୍ୟତା ହାସଲ କରି ପାରିନାହିଁ। ୨୦୧୯ରେ ଏହା ଯୋଗ୍ୟତା ପର୍ଯ୍ୟାୟ ଦ୍ବାରା ବିଶ୍ବକପ୍‌ ଖେଳିଥିଲା। ହେଲେ ୨୦୨୩ରେ ୱେଷ୍ଟଇଣ୍ଡିଜ୍‌ ଏପରି କରି ପାରି ନଥିଲା।