ଟ୍ରେଡିଂ ଆପ ନେଲା ଜୀବନ
1 min read
ଝାରସୁଗୁଡା: ଖୁବ ଶୀଘ୍ର ଅଧିକ ପଇସା ରୋଜଗାର ନିଶାରେ ଯୁବପିଢ଼ି ଟ୍ରେଡିଂ ଆପକୁ ଏକ ମାଧ୍ୟମ କରିଛନ୍ତି । କିନ୍ତୁ ଏହି ଟ୍ରେଡିଂ ଆପ କାହାର ପୌଷ ମାସ ହୋଇଥିବାବେଳେ କାହାର ଘଟାଉଛି ସର୍ବନାଶ । ସହଜ ଉପାୟରେ ଅଧିକ ଦୁଇ ପଇସା କମାଇବା ଚକ୍କରରେ ଯୁବପିଢ଼ି ବିପଥଗାମୀ ହେଉଛନ୍ତି । ଶେଷରେ ଋଣବୋଝ ତଳେ ଚାପି ହୋଇ ଜୀବନ ହରାଉଛନ୍ତି । ସେହିଭଳି ଏକ ଘଟଣା ଘଟିଛି ଝାରସୁଗୁଡ଼ାରେ । ଟ୍ରେଡିଂରେ ପଇସା ହାରି ଆତ୍ମହତ୍ୟା କରିଛନ୍ତି କେନ୍ଦ୍ରାପଡାର ଯୁବକ ଅଚ୍ୟୁତାନନ୍ଦ ସାହୁ । ତାଙ୍କ ବୟସ ୩୧ ବର୍ଷ । ଘର କେନ୍ଦ୍ରାପଡା ଓରାଡି ଲଙ୍କାପଡ଼ାରେ। ଟ୍ରେଡିଂରେ ପଇସା ଲଗାଇ ଲକ୍ଷ ଲକ୍ଷ ଟଙ୍କା ହରାଇବା ପରେ ଋଣ ବୋଝ ସହିନପାରି ଆତ୍ମହତ୍ୟା କରିଛନ୍ତି । ଝାରସୁଗୁଡ଼ା ରେଳ ଷ୍ଟେସନ ନିକଟ ରେଳଧାରଣାରୁ ଅଚ୍ୟୁତାନନ୍ଦଙ୍କ ମୃତଦେହ ଠାବ ହୋଇଛି । ରେଳବାଇ ପୋଲିସ ତାଙ୍କ ଶବ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ତେବେ ଆତ୍ମହତ୍ୟା ପୂର୍ବରୁ ଅଚ୍ୟୁତାନନ୍ଦ ବାପା ଓ ମାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଏକ ଭାବପୂର୍ଣ୍ଣ ଚିଠି ।କଲର ଟ୍ରେଡିଂ ଗାମ୍ବଲିଂ ଆପ୍ରେ ସବୁ ପଇସା ହରାଇ ବସିଲି। ୨୦-୨୫ ଲକ୍ଷ ଟଙ୍କାର ଋଣ ବି କରି ଦେଇଥିଲି। ଏଥିରୁ ବର୍ତ୍ତିବା ପାଇଁ ପ୍ରୟାସ କରି ସଫଳ ହୋଇ ପାରିଲିନି। ଏତେ ବଡ଼ ଭୁଲ ମୋ ଦ୍ଵାରା କେମିତି ହୋଇଗଲା ସବୁ ଜାଣି ବି ଜାଣି ହେଲାନି । ଏତେ ପରିମାଣର ଋଣ ବୋଝର ଚାପ ସହିବା ଭଳି ମୋ ପାଖରେ ସେ ସାହାସ ନାହିଁ ନା ଭରସା । ଶେଷ ନିଶ୍ୱାସ ଯାଏଁ ବହୁତ ଚେଷ୍ଟା କଲି । ଆଉ ବିଳମ୍ବ କରିଥିଲେ ଆହୁରି ଅଧିକ ଲୋକ କଷ୍ଟ ପାଇଥାନ୍ତେ ମୋ ପାଇଁ। ଯେଉଁଥି ପାଇଁ ମୁଁ ସହି ପାରି ନଥାନ୍ତି। ସବୁତକ ପର୍ସନାଲ୍ ଲୋନ୍ । ଯେଉଁ ସମୟରେ ବାପା ବୋଉଙ୍କ ସେବା କରିବା
କଥା ସେ ସମୟରେ ତାଙ୍କ ମନକୁ ଆଘାତ ଦେଇ ଛାଡ଼ି ଚାଲି ଯାଉଛି । ବହୁତ ଭାଗ୍ୟବାନ ଥିଲି ଯେ ଏମିତି ବାପା ବୋଉଙ୍କୁ ପାଇଥିଲି। କିନ୍ତୁ ସେ ସୁଖରୁ ବଞ୍ଚିତ ହେବାକୁ ପଡ଼ିଲା । ଏତିକି ଅନୁରୋଧ ମତେ କ୍ଷମା କରିଦେବ, ମୋ ଭୁଲ ପାଇଁ ମୁଁ ଦାୟୀ । ଏହା ଥିଲା ବାପା ମାଙ୍କ ଉଦ୍ଦେଶ୍ଯରେ ଅଚ୍ୟୁତାନନ୍ଦ ସାହୁଙ୍କ ଶେଷ ମେସେଜ। ରବିବାର ହୋଟେଲରେ ଡ୍ୟୁଟି ସାରି ଫେରିନଥିଲେ ଅଚ୍ୟୁତାନନ୍ଦ। ଅନଲାଇନ ଗେମ ଖେଳି ହାରିଯିବା ପରେ ସେ ଝାରସୁଗୁଡା ରେଳ ଷ୍ଟେସନରେ ରେଳ ଲାଇନରେ ଆତ୍ମହତ୍ୟା କରିଛନ୍ତି।