September 21, 2026

୬ ବର୍ଷୀୟା ନାବାଳିକାଙ୍କୁ ତାଙ୍କର ନାବାଳକ ନିକଟ ସମ୍ପର୍କୀୟ ୧୩ବର୍ଷୀୟ ଭାଇ ଜଙ୍ଗଲ ଭିତରକୁ ନେଇ ଯୌନ ନିର୍ଯାତନା

1 min read

ବୈଶିଙ୍ଗା: ଭାଇ-ଭଉଣୀର ପବିତ୍ର ସମ୍ପର୍କକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ। ଜଣେ ୬ ବର୍ଷୀୟା ନାବାଳିକାଙ୍କୁ ତାଙ୍କର ନାବାଳକ ନିକଟ ସମ୍ପର୍କୀୟ ୧୩ବର୍ଷୀୟ ଭାଇ ଜଙ୍ଗଲ ଭିତରକୁ ନେଇ ଯୌନ ନିର୍ଯାତନା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ୧୮ ତାରିଖ ସନ୍ଧ୍ୟାରେ ନାବାଳିକା ଜଣକ ଘର ବାହାରେ ଖେଳୁଥିବା ସମୟରେ ନାବାଳକ ସମ୍ପର୍କୀୟ ଭାଇ ତାଙ୍କୁ ବିଭିନ୍ନ କଥା କହି ନିକଟସ୍ଥ ଜଙ୍ଗଲ ଅଞ୍ଚଳକୁ ନେଇଯାଇଥିବା ଅଭିଯୋଗ ହୋଇଛି। ସେଠାରେ ତାଙ୍କ ପ୍ରତି ଯୌନ ନିର୍ଯାତନା କରାଯାଇଥିବା ଏବଂ ଘଟଣା ବାବଦରେ କାହାକୁ ନ କହିବାକୁ ଧମକ ଦିଆଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।
ତେବେ ପରବର୍ତ୍ତୀ ସମୟରେ ନାବାଳିକାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ପଚାରିବା ପରେ ଘଟଣା ସମ୍ପର୍କରେ ଜାଣିଥିବା ଜଣାପଡ଼ିଛି। ଏହାପରେ ତୁରନ୍ତ ନାବାଳିକାଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନିଆଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିକିତ୍ସକଙ୍କ ପରାମର୍ଶକ୍ରମେ ବେତନଟୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଘଟଣାକୁ ନେଇ ନାବାଳିକାଙ୍କ ବାପା ବୈଶିଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ବୈଶିଙ୍ଗା ପୁଲିସ ୪୮୪ ନମ୍ବରରେ ମାମଲା ରୁଜୁ କରିଛି। ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ବେତନଟୀ ଏସଡିପିଓଙ୍କ ତତ୍ତ୍ୱାବଧାନରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ସମ୍ପର୍କରେ ପୁଲିସ ନାବାଳକଙ୍କୁ ଥାନାରେ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଘଟଣାର ସମସ୍ତ ଦିଗ ଉପରେ ପୁଲିସ ତଦନ୍ତ ଜାରି ରହିଛି।