December 4, 2024

ସମ୍ବିଧାନରୁ ହଟିବନି ‘ସମାଜବାଦ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ

1 min read

ନୂଆଦିଲ୍ଲୀ : ଭାରତୀୟ ସମ୍ବିଧାନର ପ୍ରସ୍ତାବନାରୁ ହଟିବନି ‘ସମାଜବାଦ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ। ଏଭଳି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏହି ଦୁଇଟି ଶବ୍ଦ ସମ୍ବିଧାନ ‘ପ୍ରସ୍ତାବନା’ରୁ ହଟାଇବା ପାଇଁ ଆଗତ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି।ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିବା ସହ ଏହା ସମ୍ବିଧାନର ମୂଳ ଆଧାର ବୋଲି କହିଥିଲେ। ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟନ ସ୍ଵାମୀ, ସମାଜ ସେବୀ ବଳରାମ ସିଂହ ଓ ଆଇନଜୀବୀ ଅଶ୍ଵିନୀ ଉପାଧ୍ୟାୟ ପ୍ରମୁଖ ‘ସମାଜବାଦ’ ଓ ‘ଧର୍ମନିରପେକ୍ଷ’ ଶବ୍ଦକୁ ସମ୍ବିଧାନର ପ୍ରସ୍ତାବନାରୁ ହଟାଇବା ପାଇଁ ନିକଟରେ ସୁପ୍ରମକୋର୍ଟରେ ପିଟିସନ ଦାଖଲ କରିଥିଲେ।

ଏହି ଆବେଦନର ବିଚାର କରି ପ୍ରଧାନ ବିଚାରପତି କହିଥିଲେ, ସମାଜବାଦୀ ଓ ଧର୍ମନିରପେକ୍ଷ ଶବ୍ଦ ଭାରତୀୟ ଗଣତନ୍ତ୍ରର ଆଧାରର ବିଶେଷତ୍ୱ ବଖାଣିଥାଏ। ତେଣୁ ଏହାକୁ ହଟାଇବା ଉଚିତ ନୁହେଁ। ଏହାକୁ ହଟାଇ ସମ୍ବିଧାନକୁ ଏହାର ମୂଳ ଉଦ୍ଦେଶ୍ୟରୁ ଅଲଗା କରିବାକୁ ଦିଆଯିବ ନାହିଁ। ଇନ୍ଦିରାଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ୧୯୭୬ ମସିହାରେ ସମ୍ବିଧାନ ସଂଶୋଧନ କରାଯାଇଥିଲା। ଏହି ସଂଶୋଧନରେ ଭାରତର ସମ୍ବିଧାନରେ ସମାଜବାଦ, ଧର୍ମନିରପେକ୍ଷ ଓ ଅଖଣ୍ଡତା ଶବ୍ଦକୁ ଯୋଡା ଯାଇଥିଲା। ଏହି ଶବ୍ଦ ୧୯୪୯ରେ ନିର୍ଦ୍ଧାରଣ ହୋଇଥିବା ସମ୍ବିଧାନ ଉପରେ କୌଣସି ପ୍ରଭାବ ପକାଉ ନାହିଁ। ତେବେ ଏତେ ବର୍ଷ ପରେ କାହିଁକି ଏହି ମାମଲାକୁ ଗୁରୁତ୍ଵ ଦେବାକୁ ଚେଷ୍ଟା କରାଯାଉଛି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ପ୍ରଶ୍ନ କରିଥିଲେ।

ଏହି ପିଟିସନକୁ ଖାରଜ କରିବା ସହ ସୁପ୍ରିମକୋର୍ଟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ କହିଛନ୍ତି। ସୁପ୍ରିମ କୋର୍ଟ କହିଛନ୍ତି, “ସମ୍ବିଧାନ ସଂଶୋଧନ ଅଧିକାର ସଂସଦର ରହିଛି ଏବଂ ସମ୍ବିଧାନ ସଂଶୋଧନରେ ସଂସଦର ଶକ୍ତି ‘ପ୍ରସ୍ତାବନା’ ବା ପ୍ରିୟାମ୍ବୁଲ କ୍ଷେତ୍ରରେ ବି ଲାଗୁ କରାଯାଇ ପାରିବ।” ଅର୍ଥାତ ସମ୍ବିଧାନର ‘ପ୍ରସ୍ତାବନା’ ମଧ୍ୟ ବଦଳାଯାଇ ପାରିବ ବୋଲି ଏକଥା ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି। ଏହି ପ୍ରସଙ୍ଗ ନେଇ ଦେଶରେ ଅନେକ ଦିନରୁ ବିବାଦ ଚାଲି ଆସୁଛି। ସମ୍ବିଧାନର ମୂଳ ଭାବନାକୁ ବଦଳାଇବା ପାଇଁ ଅନେକ ନେତା ଦାବି କରିଆସୁଥିଲେ। ଏବେ ସୁପ୍ରମକୋର୍ଟ ଉତ୍ତର ଦେଇ ଏକ ପୁରୁଣା ବିବାଦର ସମାଧାନ କରି ଦେଇଛନ୍ତି।