July 27, 2024

‘ଅଯୋଧ୍ୟା ଅକ୍ଷତ କଳସ ଯାତ୍ରା’ର ଆରମ୍ଭ, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

1 min read

କଟକ/ନିଶ୍ଚିନ୍ତକୋଇଲି: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କଟକ ଗସ୍ତରେ ଆସି ‘ଅଯୋଧ୍ୟା ଅକ୍ଷତ କଳସ ଯାତ୍ରା’ର ଆରମ୍ଭ କରିବା ସହିତ ଯୁବ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହିତ ମାହାଙ୍ଗା ସମାବେଶରେ ସ୍ଥାନୀୟ ବିଧାୟକଙ୍କ ବିରୋଧରେ ବର୍ଷିଥିଲେ।

ଆଜି ଶ୍ରୀ ପ୍ରଧାନ ପ୍ରଥମେ କଟକର ୱାର୍ଡ ନମ୍ବର ୩୯ ଅନ୍ତର୍ଗତ ପାଟରାସାହି ମଙ୍ଗଳାମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଅଯୋଧ୍ୟା ଅକ୍ଷତ କଳସ ଯାତ୍ରାର ଆରମ୍ଭ ସହିତ ପାଟରା ସାହି ମୁରବୀ, ସଂକୀର୍ତ୍ତନ ମଣ୍ଡଳୀ ସହ ବିଭିନ୍ନ ବର୍ଗଙ୍କୁ ନିମନ୍ତ୍ରଣପତ୍ର ଓ ଅକ୍ଷତ ଦେଇ ନିମନ୍ତ୍ରଣ କରିଥିଲେ।
ପରେ ସେ ମାହାଙ୍ଗା ନିର୍ବାଚନମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ୍‌ କୁଳିଆସ୍ଥିତ ଆରଏମ୍‌ସି ପଡିଆଠାରେ ‘ଯୁବ ସଂକଳ୍ପ ସମାବେଶ’ରେ ଯୋଗ ଦେଇଥିଲେ। ସେ କହିଥିଲେ, ୨୦୩୬ ସୁଦ୍ଧା ସମୃଦ୍ଧଶାଳୀ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ଦେଶକୁ ବିକଶିତ କରିବା ଯୁବ ସଂକଳ୍ପ ସମାବେଶ ପଛର ଉଦ୍ଦେଶ୍ୟ। ଏହି ଅବସରରେ ସେ ରାଜ୍ୟ ସରକାରଙ୍କୁ କଠୋର ଭାଷାରେ ସମାଲୋଚନା କରିଥିଲେ। କେନ୍ଦ୍ରମନ୍ତ୍ରୀ କହିଥିଲେ, ରାଜ୍ୟରେ ସ୍ୱାସ୍ଥ୍ୟସେବା ଭୁଶୁଡି ପଡିଛି।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ(ଏନଏଚଏଫଏସ) ଅନୁସାରେ ଓଡ଼ିଶାରେ ନବଜାତ ଶିଶୁ, ମହିଳାମାନେ ଅପପୁଷ୍ଟି ଓ ରକ୍ତହୀନତାର ଶିକାର ହୋଇଛନ୍ତି। ରାଜ୍ୟରେ କେବଳ ବଡ ବଡ ହସ୍ପିଟାଲର କଥା କହି ଗରିବ ଲୋକର ଅପେକ୍ଷାକୁ ଉପହାସ କରାଯାଉଛି। ମାହାଙ୍ଗା, ନିଶ୍ଚିନ୍ତକୋଇଲି, ଅସୁରେଶ୍ୱର ଓ ଆଖପାଖ ଅଞ୍ଚଳରେ ସରକାରୀ ଡାକ୍ତରଖାନା ଗୁଡିକରେ ଡାକ୍ତର ନାହାନ୍ତି। ଆସନ୍ତା ୧୨ ବର୍ଷ ପରେ ଓଡ଼ିଶା ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ୧୦୦ ବର୍ଷ ପୂରଣ କରିବ। ସେତେବେଳେ ଆଜିର ପିଲା ଯୁବାବସ୍ଥାରେ ପହଞ୍ଚି ଥିବେ। ତେଣୁ ଏଭଳି ପରିସଂଖ୍ୟାନ ଚିନ୍ତାଜନକ ବୋଲି ସେ କହିଥିଲେ।

ଶ୍ରୀ ପ୍ରଧାନ କହିଥିଲେ, ଓଡ଼ିଶାରେ କେବଳ ତଳତଳିଆ ଲୋକମାନେ ଭିଜିଲାନ୍ସ ହାତରେ ଧରା ପଡୁଛନ୍ତି। କିନ୍ତୁ ବଡ ବଡ ଅଧିକାରୀମାନଙ୍କ ପାଖରେ ଭିଜିଲାନ୍ସ ଅପହଞ୍ଚ। ରାଜ୍ୟରେ ଅଧାରୁ ଅଧିକ ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ ଆପରାଧିକ ମାମଲା ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରେ ହୋଇଥିବା ଦୁର୍ନୀତିକୁ ନେଇ ପ୍ରତିବାଦ କଲେ ବିଜେପି କାର୍ଯ୍ୟକର୍ତ୍ତା ସ୍ୱର୍ଗତ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ସ୍ୱର୍ଗତ ଦିବ୍ୟସିଂହ ବରାଳଙ୍କ ଭଳି ଲୋକଙ୍କୁ ହତ୍ୟା କରାଯାଉଛି। ତାଙ୍କର ହତ୍ୟାକାରୀମାନେ ଏବେ ନିର୍ଭୟରେ ବୁଲୁଛନ୍ତି। କିନ୍ତୁ ବିଜେପି ନେତାଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ। ସ୍ୱାଭିମାନୀ ମାହାଙ୍ଗାର ଯୁବ ସମାଜ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ସଂକଳ୍ପ କରିଛି। ଆଗକୁ ଭୋଟରେ ଏବଂ ବାଲଟ୍ ପେପରରେ ତାଣ୍ଡବ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କଟକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି, କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ, ରାଜ୍ୟ ଧର୍ମ ଜାଗରଣ ପ୍ରମୁଖ ବିନୟ ଭୂୟାଁ, ସ୍ମୃତି ପଟ୍ଟନାୟକ, ଗଗନ ଓଝା, ଗୋପାଳ ବେହେରା, ଦୀପକ ଦାସ, ଲକ୍ଷ୍ମୀଧର ବେହେରା, ବିନୋଦ ଦାସ, ଶ୍ରୀତମ ଦାସ, ସିକନ୍ଦର ଅଲ୍ଲୀ, ରଶ୍ମିରେଖା ଦାସ, ପ୍ରବୀଣା ମହାପାତ୍ର, କଳ୍ପନା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। କୁଳିଆରେ ଯୁବଛାତ୍ର ସଂଯୋଜକ ଦେବଦତ୍ତ କରଙ୍କ ସଭାପତିତ୍ବରେ ଆୟୋଜିତ ସମାବେଶରେ ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନ, ନୟନକିଶୋର ମହାନ୍ତି, କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶଚନ୍ଦ୍ର ବେହେରାଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *