ଆମ୍ ଆଦମୀ ପାର୍ଟି (ଆପ୍)ର ୭ ସାଂସଦ ବିଜେପିରେ ମିଶିବା ପରେ ଜାତୀୟ ସ୍ତରରେ ଦଳର ସ୍ଥିତି ଦୋହଲି ଯାଇଛି
1 min read
ଭୁବନେଶ୍ବର, ୧୬ା୫: ଆମ୍ ଆଦମୀ ପାର୍ଟି (ଆପ୍)ର ୭ ସାଂସଦ ବିଜେପିରେ ମିଶିବା ପରେ ଜାତୀୟ ସ୍ତରରେ ଦଳର ସ୍ଥିତି ଦୋହଲି ଯାଇଛି। ଦିଲ୍ଲୀରେ ପ୍ରତିଷ୍ଠା ହେବା ଦିନଠାରୁ ଓଡ଼ିଶାରେ ଆପ୍ ସାଂଗଠନିକ କାର୍ଯ୍ୟ ଜାରି ରଖିଛି। ହେଲେ ରାଜ୍ୟରେ ଆପ୍ ମୁଣ୍ଡ ଟେକିପାରୁନି। ଦୀର୍ଘ ୧୪ ବର୍ଷ ଭିତରେ ୨୦ଟି ଜିଲାରେ ଆପ୍ର ସଂଗଠନ କରାଯାଇଥିବାବେଳେ ୧୦ଟି ଜିଲାକୁ ଅଦ୍ୟାବଧି ଛୁଇଁ ପାରିନାହିଁ। ଯେଉଁଠି ଆପ୍ ସଂଗଠନ ରହିଛି, ସେଠାରେ ସାଂଗଠନିକ ସ୍ଥିତି ସେତେଟା ସବଳ ନୁହେଁ।
ଓଡ଼ିଶାରେ ୨୦୧୨ରୁ ଆମ୍ ଆଦମୀ ପାର୍ଟି କାର୍ଯ୍ୟ କରୁଥିବାବେଳେ ଦଳର ସାଙ୍ଗଠନିକ ସ୍ଥିତି ମଜଭୁତ ନଥିବାରୁ ରାଜନୈତିକ ଭବିଷ୍ୟତ ଆଶା ଆଶଙ୍କାରେ ରହିଛି। ଅଦ୍ୟାବଧି ନବରଙ୍ଗପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, ଦେବଗଡ଼ ଏବଂ ନୟାଗଡ଼ ଜିଲାରେ ଦଳୀୟ ସଂଗଠନ ପହଞ୍ଚି ପାରିନି। ଏହିସବୁ ଜିଲାରେ ଆପ୍ର ଜଣେ ହେଲେ କାର୍ଯ୍ୟକର୍ତ୍ତା ନାହାନ୍ତି। କୋରାପୁଟ, କଳାହାଣ୍ଡି, ମାଲକାନଗିରି, ବାଲେଶ୍ବର, ଭଦ୍ରକ ଏବଂ ଜଗତସିଂହପୁର ଜିଲାରେ ଦଳର ସଂଗଠନ ଥିଲେ ବି ତାହା ଅତ୍ୟନ୍ତ ଦୁର୍ବଳ। ୨୦୧୪ ସାଧାରଣ ନିର୍ବାଚନରେ ୧୦୬ଟି ବିଧାନସଭା ଆସନରେ ଆପ୍ ପ୍ରାର୍ଥୀ ଦେଇଥିଲା। କିନ୍ତୁ ଜଣେ ହେଲେ ପ୍ରାର୍ଥୀ ବିଜୟୀ ହୋଇନଥିଲେ। ସେତେବେଳେ ଦଳକୁ ମାତ୍ର ୦.୭୨% ଭୋଟ ମିଳିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଆପ୍ ବିଧାନସଭା ନିର୍ବାଚନ ଲଢ଼ିନଥିଲା। ୨୦୨୨ ପଞ୍ଚାୟତ ନିର୍ବାଚନରେ ଦଳର ଦୁଇଜଣ କାର୍ଯ୍ୟକର୍ତ୍ତା ସରପଞ୍ଚ ଜିତିବା ପରେ ଦଳ ଛାଡ଼ି ବିଜେଡିକୁ ପଳାଇ ଥିଲେ। ଭୁବେନଶ୍ବର, ରାଉରକେଲା, କଳାହାଣ୍ଡି, ପୁରୀ, ଢେଙ୍କାନାଳ, ଗଞ୍ଜାମ, ରାୟଗଡ଼ା, ସମ୍ବଲପୁର ଏବଂ ଅନୁଗୋଳରେ ଆପ୍ ପୌର ନିର୍ବାଚନ ଲଢିଥିଲା। ୨୦୨୪ ସାଧାରଣ ନିର୍ବାଚନରେ ଦଳ ୪୧ଟି ବିଧାନସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରିଥିଲା। ଜିତିବା କଥା ଛାଡ଼ନ୍ତୁ ବହୁ ପଛରେ ରହିଯାଇଥିଲେ ଆପ୍ ପ୍ରାର୍ଥୀ। ଦଳକୁ ମାତ୍ର ୦.୭% ଭୋଟ ମିଳିଥିଲା। ରାଜ୍ୟରେ ଆପ୍ ଗୋଟିଏ ହେଲେ ଲୋକସଭା ନିର୍ବାଚନ ଲଢ଼ିନଥିବାବେଳେ ଜଣେ ହେଲେ ବିଧାୟକ ଅଦ୍ୟାବଧି ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇନାହାନ୍ତି। ତେବେ ବିଭିନ୍ନ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ବିରୋଧରେ ଦଳ ତରଫରୁ କ୍ରମାଗତ ଭାବେ ଆନ୍ଦୋଳନାତ୍ମକ ଆଭିମୁଖ୍ୟ ଜାରି ରହିଛି। ଓଡ଼ିଶା ଆପ୍ ସଭାପତି ନିଶିକାନ୍ତ ମହାପାତ୍ର କହିଛନ୍ତି, ଆପ୍ ଗୋଟିଏ ଜାତୀୟ ଦଳ। ବିଶେଷ କରି ବିଜେପି ବିରୋଧରେ ଦଳ କଠୋର ଆଭିମୁଖ୍ୟ ରଖିଥାଏ। ବିଜେଡି ସରକାର ଯିବା ପରେ ବିଜେପି କ୍ଷମତାକୁ ଆସିଛି। ଓଡ଼ିଶାରେ ଆପ୍ର ଗ୍ରହଣୀୟତା ରହିଛି। ରାଜ୍ୟରେ ବିଜେପି ସରକାର ଥିବାରୁ ବର୍ତ୍ତମାନ ଆପ୍ ଶକ୍ତି ବୃଦ୍ଧି କରିବାର ପ୍ରକୃଷ୍ଟ ସମୟ। ୨୦୨୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ବିରୋଧରେ ଆପ୍ ବଳିଷ୍ଠ ହୋଇ ଠିଆ ହେବ ବୋଲି ନିଶିକାନ୍ତ କହିଛନ୍ତି।


