July 23, 2026

ଭୁବନେଶ୍ୱରସ୍ଥିତ ଅରଣ୍ୟ ଭବନଠାରେ ବୁଧବାର ଦିନ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ସମିତିର (ଓଏଫଏସଡିଏସ) ନବୀକୃତ ୱେବସାଇଟର ଲୋକାର୍ପଣ କରାଯାଇଛି

1 min read

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଅରଣ୍ୟ ଭବନଠାରେ ବୁଧବାର ଦିନ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ସମିତିର (ଓଏଫଏସଡିଏସ) ନବୀକୃତ ୱେବସାଇଟର www.ofsds.odisha.gov.in ଲୋକାର୍ପଣ କରାଯାଇଛି। ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଲୋକାର୍ପଣ କରିଥିଲେ।

“ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ (୨ୟ ପର୍ଯ୍ୟାୟ) ରାଜ୍ୟରେ ବନ ସଂରକ୍ଷଣ ସହ ସ୍ଥାନୀୟ ଲୋକଙ୍କ ସ୍ଥାୟୀ ଜୀବିକା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛି। ଏହା ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପ ଦ୍ୱାରା ଲୋକଙ୍କ ଜୀବନ ଜୀବିକାରେ ବିଶେଷ ଉନ୍ନତି ଆସିପାରୁଛି। ଏହା ସହିତ ରାଜ୍ୟରେ ସବୁଜ ଆବରଣ ବୃଦ୍ଧି, ପରିବେଶ ସୁରକ୍ଷା ଏବଂ ସ୍ଥାୟୀ ବନ ପରିଚାଳନା ଦିଗରେ ଏହା ବେଶ୍‌ ଗୁରୁତ୍ୱ ବହନ କରୁଛି”, କହିଛନ୍ତି ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ।

ଏହି ଅବସରରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ୟ ପର୍ଯ୍ୟାୟର ୨୦୨୫-୨୬ ବର୍ଷର ବାର୍ଷିକ ରିପୋର୍ଟକୁ ଉନ୍ମୋଚନ କରାଯାଇଥିଲା। ଏହାସହ ଭାରତରେ ଜାଇକା ସହାୟତାପ୍ରାପ୍ତ ବନୀକରଣ ପ୍ରକଳ୍ପଗୁଡ଼ିକ ଉପରେ ଆୟୋଜିତ ୧୪ତମ ଜାତୀୟ କର୍ମଶାଳା ଉପରେ ପ୍ରସ୍ତୁତ ସ୍ୱତନ୍ତ୍ର ସ୍ମରଣିକାର ଲୋକାର୍ପଣ କରାଯାଇଥିଲା।