ଅନ୍ୟ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲି (ମ୍ୟୁଲ୍ ଆକାଉଣ୍ଟ) ଲକ୍ଷ ଲକ୍ଷ ଟଙ୍କା କାରବାର
1 min read
ବଲାଙ୍ଗିର: ଅନ୍ୟ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲି (ମ୍ୟୁଲ୍ ଆକାଉଣ୍ଟ) ଲକ୍ଷ ଲକ୍ଷ ଟଙ୍କା କାରବାର ଚଳାଇଥିବା ସାଇବର ଠକ ଦଳର ବଲାଙ୍ଗିର ସାଇବର ପୁଲିସ ପର୍ଦାଫାସ କରିଛି । ସାଇବର ଠକ ଦଳର ୪ଜଣ ସହଯୋଗୀ ବଲାଙ୍ଗିର ଜିଲା ଲୋଇସିଂହା ଥାନା ହୀରାପୁରର ଯୁବରାଜ ଦୀପ (୪୮), ବରଡ଼ୋଲ ଗାଁର ପ୍ରସନ୍ନ ନାଗ (୪୩), ଛତିଶଗଡ଼ ରାୟପୁର ଜିଲା ନିଉ ରାଜେନ୍ଦ୍ର ନଗର ଥାନା ମହାବୀର ନଗରର ସନ୍ନି ବ୍ରାଭେ (୨୩) ଓ ରାୟପୁର ଜିଲା ଗୁଢ଼ିୟାରୀ ଥାନା ଦୀନ ଦୟାଲ ଉପାଧ୍ୟାୟ ନଗର, ନୟା ତଲାବ ନିକଟର ପ୍ରକାଶ ଶର୍ମା ଓରଫ ଚଣ୍ଟୁ (୨୪)ଙ୍କୁ ପୁଲିସ ଗିରଫ କରିଛି । ଏମାନଙ୍କ ପାଖରୁ ୫ଟି ମୋବାଇଲ, ୨୨ଟି ବ୍ୟାଙ୍କ ଚେକ୍ ବହି, ୨୫ଟି ବ୍ୟାଙ୍କ ପାସ ବହି ସହ ୧୦ଟି ଡେବିଟ କାର୍ଡ ଜବତ କରିଛି ।
ସୂଚନାରୁ ପ୍ରକାଶ ଯେ, ଯୁବରାଜ ଓ ପ୍ରସନ୍ନ ଲୋଇସିଂହା ଥାନା ଅନ୍ତର୍ଗତ ନିକଟସ୍ଥ ଗାଁର । ପୂର୍ବରୁ ଦୁହେଁ ଏକ ସୋଲାର୍ ପ୍ରକଳ୍ପରେ କାମ କରୁଥିବାରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ରହିଛି । ବଲାଙ୍ଗିର ଜିଲା କଣ୍ଟାବାଞ୍ଜିର ପ୍ରକାଶ ହେର୍ଣ୍ଣାଙ୍କ ପ୍ରରୋଚନାରେ ଯୁବରାଜ ଓ ପ୍ରସନ୍ନ ବଲାଙ୍ଗିର ସ୍ଥିତ ପିଏନ୍ବି, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଓ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଶାଖାରେ ମ୍ୟୁଲ୍ ଆକାଉଣ୍ଟ ଖୋଲିଥିଲେ । ସମଲେଶ୍ବରୀ ଏଣ୍ଟରପ୍ରାଇଜେସ୍, ମା’ ସମଲେଶ୍ବରୀ ଆଗ୍ରୋ ଏଣ୍ଟରପ୍ରାଇଜେସ ଓ ମା’ ମାହେଶ୍ବରୀ ଆଗ୍ରୋ ଏଣ୍ଟରପ୍ରାଇଜେସ୍ ନାମରେ ଆକାଉଣ୍ଟ ଖୋଲିଥିଲେ । ଗତ ଅଗଷ୍ଟରେ ୩ଟି ବ୍ୟାଙ୍କ ଆକାଉଣ୍ଟରେ ୩୫ ଲକ୍ଷ ଟଙ୍କା ଜମା ଓ ଉଠାଣ ହୋଇଥିବା ଜଣାପଡ଼ିଥିଲା । ଡିଜିଟାଲ ଆରେଷ୍ଟ, ଓଏଲ୍ଏକ୍ସ ଓ ଏପିକେ ଫାଇଲ୍ ଆଦି ଆପ୍ ଜରିଆରେ ଟଙ୍କା ଆକାଉଣ୍ଟରେ ଜମା ହୋଇଥିଲା । ଚେକ୍ ବହି ଜରିଆରେ ଟଙ୍କା ଉଠାଣ କରାଯାଉଥିଲା । କ୍ୟାସ୍ ଡିପୋଜିଟ ମେସିନ୍ ଜରିଆରେ ସାଇବର ଠକଙ୍କ ଆକାଉଣ୍ଟରେ ଜମା କରୁଥିଲେ । ଏନେଇ ଆଇ ଫୋର୍ ସି ସଂସ୍ଥା ପକ୍ଷରୁ ବଲାଙ୍ଗିର ସାଇବର ପୁଲିସକୁ ସୂଚନା ଦିଆଯାଇଥିଲା। ବଲାଙ୍ଗିର ସାଇବର ପୁଲିସ ଗତ ୪ରେ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଥିଲା। ମ୍ୟୁଲ୍ ଆକାଉଣ୍ଟ ମାଧ୍ୟମରେ ବେଆଇନ ଟଙ୍କା କାରବାର ଚାଲିଥିବା ଜଣାପଡ଼ିଥିଲା । ସାଇବର ଅପରାଧୀ ଏହି ଆକାଉଣ୍ଟ ଗୁଡ଼ିକରେ ଟଙ୍କା ଜମା କଲାପରେ ଯୁବରାଜ ଓ ପ୍ରସନ୍ନ ଟଙ୍କା ଉଠାଇ ୨ ପ୍ରତିଶତ ଅର୍ଥ କମିଶନ ଭାବେ ରଖୁଥିଲେ । ଅବଶିଷ୍ଟ ଟଙ୍କାକୁ ଦୁର୍ବୃତ୍ତଙ୍କ ଆକାଉଣ୍ଟରେ ଜମା କରୁଥିଲେ । ଅଭିଯୁକ୍ତ ଯୁବରାଜ, ପ୍ରସନ୍ନ, ସନ୍ନି ଓ ପ୍ରକାଶ ସାଇବର ଠକ ରାକେଟ ପାଇଁ ବ୍ୟାଙ୍କ ଆକାଉଣ୍ଟ ଯୋଗାଡ଼ କରୁଥିବା ତଦନ୍ତରୁ ଜଣାପଡ଼ିଥିବା ବଲାଙ୍ଗିର ଏସ୍ଡିପିଓ ସରୋଜ ଉପାଧ୍ୟାୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସାଇବର ଠକେଇ ରାକେଟରେ ଆଦିତ୍ୟ ଦୁବେ, ଅମନ ଦୁବେ, ପ୍ରକାଶ ଶର୍ମା ଓ ପତିତପାବନ ହେର୍ଣ୍ଣାଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରହିଥିବା ବଲାଙ୍ଗିର ସାଇବର ଥାନା ଅଧିକାରୀ ଇନ୍ସପେକ୍ଟର ଭାରତୀ ନାଏକ ପ୍ରକାଶ କରିଛନ୍ତି ।
ଅନ୍ୟ ବ୍ୟାଙ୍କରେ ବି ରହିଛି ଆକାଉଣ୍ଟ
ବଲାଙ୍ଗିରର ତିନୋଟି ବ୍ୟାଙ୍କରେ ମ୍ୟୁଲ୍ ଆକାଉଣ୍ଟ ଖୋଲି ଲକ୍ଷ ଲକ୍ଷ ଟଙ୍କା କାରବାର ଚଳାଇଥିବା ସାଇବର ଠକ ରାକେଟ ସମ୍ପର୍କରେ ନୂଆଁ ନୂଆଁ ତଥ୍ୟ ସାମ୍ନାକୁ ଆସିଛି । ସହରରେ ଥିବା ଅନ୍ୟ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ମଧ୍ୟ ଆକାଉଣ୍ଟ ଖୋଲିଥିବା ଜଣାପଡ଼ିଛି । ତେବେ ଚେକ୍ ବହି ମିଳି ନ ଥିବାରୁ ଦୁର୍ବୃତ୍ତମାନେ ଏହି ଆକାଉଣ୍ଟରେ ଟଙ୍କା ଜମା କରି ନ ଥିବା ସୂଚନା ମିଳିଛି । ବିନା ପରିଶ୍ରମରେ ଲକ୍ଷ ଲକ୍ଷ ଟଙ୍କା ଜମାର ୨ ପ୍ରତିଶତ ଲାଭ ମିଳୁଥିବାରୁ ଅଭିଯୁକ୍ତମାନେ ସହରର ଅନ୍ୟ ବ୍ୟାଙ୍କରେ ମଧ୍ୟ ଆକାଉଣ୍ଟ ଖୋଲିବାକୁ ଉଦ୍ୟମ କରୁଥିଲେ ବୋଲି ପୁଲିସ କହିଛି। ଏହି ରାକେଟର ଚେର ପଶ୍ଚିମବଙ୍ଗ, ଦିଲ୍ଲୀ ଓ ରାୟପୁର ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ଏଥିରେ ବହୁ ସଂଖ୍ୟକ ସାଇବର ଅପରାଧୀଙ୍କ ସମ୍ପୃକ୍ତି ରହିଥିବା ବଲାଙ୍ଗିର ସାଇବର ପୁଲିସ ପ୍ରକାଶ କରିଛି । ସାଇବର ଠକେଇରୁ ରକ୍ଷା ପାଇବାକୁ ସତର୍କ ରହିବା ସହ ନିଜ ବ୍ୟାଙ୍କ ସମ୍ପର୍କିତ ସୂଚନା କାହାରିକୁ ନ ଦେବାକୁ ପୁଲିସ ସଚେତନ କରିଛି । ସାଇବର ଠକେଇର ଶିକାର ହେଲେ ୧୯୩୦ ନମ୍ବର କିମ୍ବା ନିକଟସ୍ଥ ପୁଲିସ ଥାନାର ଦ୍ବାରସ୍ଥ ହେବାକୁ ପରାମର୍ଶ ଦିଆଯାଇଛି ।


