September 15, 2026

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

1 min read

ସମ୍ବଲପୁର: ପୂର୍ବ ନିର୍ଦ୍ଧାରିତ ସମୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ। ନୂଆଁଖାଇ ପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି। ମଙ୍ଗଳବାର ସକାଳ ୯ଟା ୪୦ରୁ ୯ଟା ୫୪ ମିନିଟ୍‌ ମଧ୍ୟରେ ମା’ଙ୍କଠାରେ ନୂଆଅନ୍ନ ଲାଗି ହୋଇଛି। ଘଣ୍ଟଘଣ୍ଟା ଧ୍ବନି ପ୍ରକମ୍ପିତ ହେଉଛି ମନ୍ଦିର ପରିସର। ଏହାପରେ ସମଗ୍ର ପଶ୍ଚିମ ଓଡ଼ିଶାରେ ଘରେଘରେ ନୂଆଁଖାଇ ହେବ। ନୂଆଁ ଖାଇ ସାରିଲାପରେ ସାନମାନେ ବଡ଼ମାନଙ୍କୁ ମୁଣ୍ଡିଆମାରି ଆଶୀର୍ବାଦ ନେବାର ପରମ୍ପରା ରହିଛି।

ନୂଆଁଖାଇ ପାଇଁ ସମଲେଶ୍ବରୀ ମନ୍ଦିରକୁ ତିନି ପୂଜକଙ୍କ ଘରୁ ପ୍ରଥମେ ଭୋଗ ଆସିଥିଲା। ତାପରେ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ନବାନ୍ନ ଲାଗି ହୋଇଥିଲା। ଏହି ଅବସରରେ ନୂଆ ଚାଉଳ ସହିତ କ୍ଷୀରି, ପିଠା, ସାରୁଶାଗ ଲାଗି ହୋଇଛି। ଏହା ପରେ ଲୋକେ ନିଜ ନିଜ ଘରେ କୁଳ ଦେବଦେବୀଙ୍କୁ ନୂଆଭୋଗ ଲାଗି କରି ନିଜେ ନୂଆ ଖାଇବେ।