May 9, 2026

ରାଜ୍ୟରେ କୁଷ୍ଠ ସ୍ଥିତିରେ ସୁଧାର ଆସୁନି।

1 min read

ଭୁବନେଶ୍ବର: ସରକାର ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଯୋଜନାର ସଫଳ ରୂପାୟନ ହେଉନାହିଁ। ବି‌େ‌ଶଷକରି ଗ୍ରାମାଞ୍ଚଳରେ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି। ରାଜ୍ୟରେ ବର୍ଷକୁ ପାଖାପାଖି ୮ ହଜାର କୁଷ୍ଠରୋଗୀ ଚିହ୍ନଟ ହେଉଥିବା ଜଣାପଡ଼ିଛି। ୨୦୧୮-୧୯ରୁ ନେଇ ୨୦୨୪-୨୫ ପର୍ଯ୍ୟନ୍ତ ୫୫,୬୭୬ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଅନେକ ସ୍ଥାନରେ ଏବେ ବି କୁଷ୍ଠରୋଗୀ ଅବହେଳିତ ଅବସ୍ଥାରେ ରହିଛନ୍ତି। ରାସ୍ତାକଡ଼ରେ ବହୁ ରୋଗୀ ଭିକ୍ଷାବୃତ୍ତି କରୁଛନ୍ତି। ଦୂରରୁ ଥାଇ କୁଷ୍ଠ ରୋଗୀଙ୍କୁ ପରାମର୍ଶ ଦିଆଯାଉଛି। ବର୍ତ୍ତମାନ ରାଜ୍ୟରେ କୁଷ୍ଠ ରୋଗର ସ୍ଥିତି ଉଦ୍‌ବେଗଜନକ ରହିଛି। ୨୦୧୫ରେ ଏନେଇ ଅଦାଲତରେ ଏକ ଜନସ୍ବାସ୍ଥ୍ୟ ମାମଲା ହୋଇଥିଲା। ଯେଉଁଥିରେ ଅଦାଲତ ଉଦ୍‌ବେଗ ପ୍ରକାଶ କରିଥିଲେ। ସେହିପରି ୨୦୨୧ରେ ଅଦାଲତଙ୍କ ନିର୍ଦେଶ କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ରାଜ୍ୟରୁ କୁଷ୍ଠ ନିରାକରଣ ଦିଗରେ ସଫଳତା ମିଳୁନି। ତୃଣମୂଳସ୍ତରରେ ସବୁ କାର୍ଯ୍ୟପନ୍ଥା କାଗଜପତ୍ରରେ ସୀମିତ ରହିଛି। ରାଜ୍ୟରେ ୫୦୮୮ କୁଷ୍ଠରୋଗୀ ଚିହ୍ନଟ ପରେ ୨୦୦୬-୦୭ରେ କୁଷ୍ଠ ନିରାକରଣ କରାଯିବା ନେଇ ଘୋଷଣା ହୋଇଥିଲା। ଏବେ ପ୍ରତିବର୍ଷ ପାଖାପାଖି ୮ରୁ ୧୦ ହଜାର ରୋଗୀ ଚିହ୍ନଟ ହେଉଛନ୍ତି। ୨୦୨୩-୨୪ରେ ୮୩୯୬ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ୨୦୨୪-୨୫ ବର୍ଷରେ ୭୩୪୯ ମାମଲା ସାମ୍ନାକୁ ଆସିଛି। ଏବେ ସ୍କ୍ରିନିଂ ଜାରି ରହିଥିବା‌େ‌ବଳେ ମାଗଣାରେ ଔଷଧ ପ୍ରଦାନ କରାଯାଉଛି। ପ୍ରତିବର୍ଷ ନୂଆରୋଗୀ ଚିହ୍ନଟ ହେଉଛନ୍ତି। ୫୦ ପ୍ରତିଶତ ରୋଗୀ ଅତି ମାତ୍ରାରେ ସଂକ୍ରମିତ। ଡିପିଏମ୍‌ଆର (ଡିଜାବିଲିଟି ପ୍ରିଭେନସନ ଆଣ୍ଡ ମେଡିକାଲ ରିହାବିଲିଟେସନ) କାର୍ଯ୍ୟକ୍ରମରେ ୩୧୪ ବ୍ଲକରେ ଅଧା ପାରାମେଡିକାଲ ପଦ ଖାଲି ରହିଛି।
ଅନ୍ୟପକ୍ଷରେ କୁଷ୍ଠ ରୋଗ ସମ୍ପୂର୍ଣ୍ଣ ଆରୋଗ୍ୟସାଧ୍ୟ। ସରକାର ଏଥିପାଇଁ ମାଗଣା ଚିକିତ୍ସା ଉପଲବ୍ଧ କରିଛନ୍ତି। ଏହା ବଂଶଗତ ନୁହେଁ କିମ୍ବା ସ୍ପର୍ଶ କଲେ ଏହା ବ୍ୟାପେ ନାହିଁ। ଏହା ଏକ ବାୟୁବାହିତ ଜୀବାଣୁଜନିତ ସଂକ୍ରାମକ ସାଧାରଣ ରୋଗ। ଏହାର ପ୍ରମୁଖ ଲକ୍ଷଣ ହେଉଛି ଚର୍ମରେ ରଙ୍ଗହୀନ ଦାଗ ସହିତ ଉକ୍ତ ସ୍ଥାନକୁ ସ୍ପର୍ଶ କଲେ ଜଣାପଡ଼େ ନାହିଁ।