July 27, 2024

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ସାଙ୍ଗକୁ ଝଡ଼ ତୋଫାନ

1 min read

ଭୁବନେଶ୍ବର: ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ସାଙ୍ଗକୁ ଝଡ଼ ତୋଫାନ ସତର୍କତା ଜାରି କରାଯାଇଛି । ଆଗାମୀ ୩ ଦିନ ଯାଏ ରାଜ୍ୟରେ ଦିନର ତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇବ। ଏହି ସମୟରେ ଗରମ ସହ ଗୁଳୁଗୁଳି ଅସହ୍ୟ ହେବ।

ଦିନରେ ତାତି ବଢ଼ିବା ସହିତ ଅପରାହ୍ନରେ ବର୍ଷାହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶନିବାର ପାଇଁ ୩ ଜିଲ୍ଲା ବରଗଡ଼, ବଲାଙ୍ଗିର, ନୂଆପଡ଼ାରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୧୧ ଜିଲ୍ଲାରେ ଗରମ ସହ ଗୁଳୁଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ ତୋଫାନ ହେବାର ପୂର୍ବାନୁମାନ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କରାଯାଇଛି । ଶନିବାର ପାଇଁ ୧୩ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ଝଡ଼ ତୋଫାନ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୧୨ ତାରିଖ ଯାଏ ଝଡ଼ ତୋଫାନ ନେଇ ସତର୍କ ସୂଚନା ଜାରି ହୋଇଛି।

ଆସନ୍ତା ୧୦ ତାରିଖ ଭିତରେ ମୌସୁମୀ ଓଡ଼ିଶା ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି। ଏହା ପ୍ରଥମେ ଦକ୍ଷିଣ ଓଡ଼ିଶାକୁ ପ୍ରବେଶ କରିବ । ପରେ ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ। ମୌସୁମୀ ଛୁଇଁବା ପୂର୍ବରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହୋଇପାରେ। ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି ବ‌ୋଲି ପାଣିପାଗ ବିଭାଗ କହିଛି।ସାଧାରଣତଃ ଜୁନ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶାରେ ପ୍ରବେଶ କରିଥାଏ। ଚଳିତଥର ନିର୍ଦ୍ଧାରିତ ସମୟ ପୂର୍ବରୁ ଏହା ଆଣ୍ଡାମାନ ଓ କେରଳ ଛୁଇଁଥିଲା।

Leave a Reply

Your email address will not be published. Required fields are marked *