October 23, 2026

ଗୁରୁବାର ୭ଟା ସୁଦ୍ଧା ୫.୫୭ ଗୁଣ ସବସ୍କ୍ରାଇବ୍‌ ସହିତ ଜିଓ ପ୍ଲାଟଫର୍ମସର ୩୦,୨୧୩ କୋଟି ଟଙ୍କାର ଆଇପିଓ ଜାରି

1 min read

ମୁମ୍ବାଇ,୨୩ା୧୦: ଦେଶର ସବୁଠାରୁ ବଡ଼ ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ) ଭାବେ ଜିଓ ଆଇପିଓକୁ ନେଇ ଦ୍ୱିତୀୟ ଦିନରେ ମଧ୍ୟ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି । ଗୁରୁବାର ୭ଟା ସୁଦ୍ଧା ୫.୫୭ ଗୁଣ ସବସ୍କ୍ରାଇବ୍‌ ସହିତ ଜିଓ ପ୍ଲାଟଫର୍ମସର ୩୦,୨୧୩ କୋଟି ଟଙ୍କାର ଆଇପିଓ ଜାରି ହୋଇଛି । ଦୁଇ ଦିନ ମଧ୍ୟରେ ଆବେଦନ ସଂଖ୍ୟା ୭୫ ଲକ୍ଷ ଅତିକ୍ରମ କରିଛି। ଏହି ଆଇପିଓ ପାଇଁ ବଡ଼ ସଂସ୍ଥାଗତ ନିବେଶକ (କ୍ୟୁଆଇବି) ବର୍ଗଙ୍କ ଦ୍ୱାରା ୧୩.୨୯ ଗୁଣ ସବସ୍କ୍ରାଇବ କରାଯାଇଥିଲାବେଳେ ରିଟେଲ ବର୍ଗରେ ମଧ୍ୟ ୧.୫୪ ଗୁଣ ପୂରଣ ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ବୁଧବାର ଜିଓ ଆଇପିଓ ଆରମ୍ଭ କରାଯିବା ପରେ ପ୍ରଥମ ଦିନରେ ମୋଟ ସବସ୍କ୍ରିପ୍ସନ ୩.୧୬ ଗୁଣ ଥିଲା, ଯାହା ଦ୍ୱିତୀୟ ଦିନରେ ବୃଦ୍ଧି ପାଇ ୫.୫୭ ଗୁଣରେ ପହଞ୍ଚିଛି। ଅଣ-ଆଙ୍କର୍‌ ନିବେଶକଙ୍କ ପାଇଁ ଉପଲବ୍ଧ ୧୯.୭୫ କୋଟି ଶେୟାର ତୁଳନାରେ ୧୧୦ କୋଟିରୁ ଅଧିକ ଶେୟାର ପାଇଁ ବିଡ୍‌ ଦାଖଲ ହୋଇଛି। ଏହି ବିଡ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୧.୨୩ ଲକ୍ଷ କୋଟି ଟଙ୍କା ରହିଛି। ଏହା ପୂର୍ବରୁ ଆଙ୍କର୍‌ ନିବେଶକଙ୍କ ପକ୍ଷରୁ ମଧ୍ୟ ପ୍ରାୟ ୨.୫୦ ଲକ୍ଷ କୋଟି ଟଙ୍କାର ବିଡ ମିଳିଥିଲା। ସେହିପରି ଆଙ୍କର୍‌ ଓ ଅଣ-ଆଙ୍କର୍‌ ନିବେଶକଙ୍କ ମୋଟ ବିଡ୍‌ର ମୂଲ୍ୟ ପ୍ରାୟ ୩.୭୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିବା କୁହାଯାଇଛି। ଅନ୍ୟପକ୍ଷରେ ଅଣ-ସଂସ୍ଥାଗତ ନିବେଶକ (ଏନଆଇଆଇ) ବର୍ଗରେ ୫.୯୭ ଗୁଣ ସବସ୍କ୍ରିପସନ୍‌ ହୋଇଛି। ରିଲାଏନ୍ସ କର୍ମଚାରୀଙ୍କ ପାଇଁ ସଂରକ୍ଷିତ କୋଟା ୨.୧୦ ଗୁଣ ଏବଂ ଶେୟାରଧାରକଙ୍କ କୋଟା ୪.୦୫ ଗୁଣ ପୂରଣ ହୋଇଛି। ଏହା ସହିତ ଆଇପିଓର ସମସ୍ତ ପ୍ରମୁଖ ବର୍ଗରେ ଉପଲବ୍ଧ ଶେୟାର ତୁଳନାରେ ଅଧିକ ଚାହିଦା ସୃଷ୍ଟି ହୋଇଛି।ଦ୍ୱିତୀୟ ଦିନରେ ବିଶେଷ କରି ଏନଆଇଆଇ ଏବଂ ରିଲାଏନ୍ସ ଶେୟାରଧାରକ ବର୍ଗରେ ଚାହିଦା ଦ୍ରୁତଗତିରେ ବୃଦ୍ଧି ପାଇଥିବା ଦେଖାଯାଇଛି। ଜିଓ ଆଇପିଓରେ ନିବେଶ ପାଇଁ ଆଉ ଗୋଟିଏ ଦିନ ବାକି ରହିଛି। ୨୩ ଅକ୍ଟୋବର ଆବେଦନର ଶେଷ ତାରିଖ। ଆଇପିଓ ଏକାଧିକ ଗୁଣ ସବସ୍କ୍ରାଇବ ହୋଇସାରିଥିଲେ ମଧ୍ୟ ନିବେଶକଙ୍କ ପାଇଁ ଆବେଦନ କରିବାର ସୁଯୋଗ ଏବେ ବି ଖୋଲା ରହିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।