ଶୁକ୍ରବାର ଦକ୍ଷିଣ-ପୂର୍ବ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ଲଘୁଚାପ ରୂପ ନେବାର ସମ୍ଭାବନା
1 min read
ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ସହିତ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଶୁକ୍ରବାର ଦକ୍ଷିଣ-ପୂର୍ବ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଇଏମ୍ଡି ତା’ର ବିସ୍ତାରିତ ପରିସର ରିପୋର୍ଟରେ ବାତ୍ୟା ହେବ ବୋଲି ପ୍ରତ୍ୟକ୍ଷ ଭାବେ କହୁନଥିଲେ ମଧ୍ୟ ପରୋକ୍ଷରେ ସମ୍ଭାବ୍ୟ ଲଘୁଚାପ ବାତ୍ୟା ରୂପ ନେଇପାରେ ବୋଲି ଦର୍ଶାଇଛି।
ଆଇଏମ୍ଡିର ରିପୋର୍ଟ ଅନୁସାରେ, ୨୩ ତାରିଖରେ ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ୨୫ ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତର-ପଶ୍ଚିମରେ ଗତି କରି ପରବର୍ତ୍ତୀ ତିନିଦିନ ମଧ୍ୟରେ ଆହୁରି ଅଧିକ ଘନୀଭୂତ ହୋଇପାରେ। ଲଘୁଚାପ ସୃଷ୍ଟି ହେବା ପରେ ଏହାର କେନ୍ଦ୍ରସ୍ଥଳରେ ଘଣ୍ଟା ପ୍ରତି ୩୫ରୁ ୫୫କି.ମି ଏବଂ ସ୍ଥଳବିଶେଷରେ ଝଟକା ପବନ ବେଗ ଘଣ୍ଟା ପ୍ରତି ୫୫ କି.ମି.ବହିପାରେ। ୨୪ ତାରିଖ ସନ୍ଧ୍ୟା ବେଳକୁ ପବନର ବେଗ ବୃଦ୍ଧି ପାଇବ ଏବଂ କେନ୍ଦ୍ରସ୍ଥଳରେ ଘଣ୍ଟାପ୍ରତି ୪୫ରୁ ୫୫ କି.ମି ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ୬୫କି.ମି. ବହିପାରେ। ୨୫ ତାରିଖ ସନ୍ଧ୍ୟା ସୁଦ୍ଧା କେନ୍ଦ୍ରସ୍ଥଳରେ ପବନର ବେଗ ଆହୁରି ବଢ଼ିବ ଏବଂ ଘଣ୍ଟା ପ୍ରତି ୫୦ରୁ ୬୫ କି.ମି ଏବଂ ସ୍ଥଳବିଶେଷରେ ଝଟ୍କା ପବନର ବେଗର ୭୦କି.ମି. ପର୍ଯ୍ୟନ୍ତ ଛୁଇଁପାରେ। ୨୬ ତାରିଖ ସକାଳ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନ ବଢ଼ି ଘଣ୍ଟା ପ୍ରତି ୭୦ରୁ ୮୦କି.ମି ଏବଂ ସ୍ଥଳବିଶେଷରେ ଝଟକା ପବନ ବେଗ ୯୦କି.ମି. ପର୍ଯ୍ୟନ୍ତ ବହିବାର ଯଥେଷ୍ଟ ସମ୍ଭାବନା ରହିଛି। ୨୮ତାରିଖ ବେଳକୁ
ସିଷ୍ଟମଟି ଅଧିକ ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ। କେଉଁ ଦିନ ଏବଂ କେଉଁଠି ସିଷ୍ଟମଟି ସ୍ଥଳଭାଗ ଅତିକ୍ରମ କରିବ, ସେନେଇ ଅଦ୍ୟାବଧି ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।
ସ୍ଥଳଭାଗ ଛୁଇଁବା ସମୟରେ ବର୍ଷା ଏବଂ ପବନ ନେଇ କୌଣସି ସୂଚନା ଦିଆଯାଇନାହିଁ। କିନ୍ତୁ, ଏତିକି କୁହାଯାଇଛି ଯେ ସମୁଦ୍ର ଅଶାନ୍ତ ରହିବ। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯିବା ସହ ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀ ଉପକୂଳକୁ ଫେରିଆସିବାକୁ କୁହାଯାଇଛି। ଏହାସହ ବନ୍ଦରଗୁଡ଼ିକରେ ଜାହାଜ ଚଳାଚଳ ଉପରେ କଟକଣା ଲଗାଯାଇଛି। ସାମୁଦ୍ରିକ ଝଡ଼ ନେଇ ପାଣିପାଗ ବିଭାଗ ବିସ୍ତାରିତ ରିପୋର୍ଟରେ କିଛି ହେଲେ ଉଲ୍ଲେଖ କରି ନଥିବା ବେଳେ ପବନର ବେଗ ଆକଳନ ଦେଖିଲେ ବାତ୍ୟା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ତା’ର ବୁଲେଟିନ୍ ରିପୋର୍ଟରେ ଦର୍ଶାଇଛି ଯେ ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବ। ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କେତେକ ଜିଲାର ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ୨୭ ଓ ୨୮ରେ ବର୍ଷା ପରିମାଣ ବୃଦ୍ଧି ପାଇବ। ବିଶେଷକରି, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ, ପୁରୀ, ନବରଙ୍ଗପୁର, ମାଲକାନଗିରି, ଖୋରଧା ଏବଂ ନୟାଗଡ଼ ଜିଲାର କେତେକ ଅଞ୍ଚଳେର ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେଣୁ, ଏହି ସବୁ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।


