୧୭ ବର୍ଷ ତଳେ ଦୋହଲି ଯାଇଥିଲା ଦେଶ
1 min read
ମୁମ୍ବାଇ: ଭାରତ ପାଇଁ କଳାଦିନ, ମୁମ୍ବାଇ ପାଇଁ କଳାଦିନ… ୨୦୦୮ ପୂରା ଦେଶ ଛାତିରେ ଅଲିଭା ଦାଗ ଦେଇଥିବା ବର୍ଷ । ଆତଙ୍କୀଙ୍କ ଆତଙ୍କ, ଅନ୍ଧାଧୂନ ଗୁଳିବର୍ଷା, ଜଣେ ପରେ ଜଣେ ଶବ ପାଲଟୁଥିବାର ଦୃଶ୍ୟ, ହୋଟେଲ ତାଜ ଶୀଖରରେ ନିଆଁ ଆଉ ତାପରେ ଅପରେସନ୍… ଆତଙ୍କବାଦୀଙ୍କ ଧ୍ବଂସଲୀଲାରୁ କୁଢକୁଢ ଶବର ସଂସ୍କାର ଯାଏଁ… ଆଜି ବି ୨୬/୧୧ ମୁମ୍ବାଇ ଆକ୍ରମଣ କଥା ମନେପଡିଗଲେ ଥରିଉଠେ ଛାତି । ଆଉ ଆଜି ସେହି କଳାଦିନକୁ ପୂରିଛି ୧୭ ବର୍ଷ ।
ଠିକ୍ ୧୭ ବର୍ଷ ତଳେ ଦୋହଲି ଯାଇଥିଲା ଦେଶ । ମୁମ୍ବାଇରେ ବଡ଼ ଆକ୍ରମଣ କରିଥିଲେ ଆତଙ୍କବାଦୀ । ୨୦୦୮ ମସିହା ନଭେମ୍ବର ୨୬ ତାରିଖ । ସ୍ଥାନ – ମାୟାନଗରୀ ମୁମ୍ବାଇ । ଆତଙ୍କୀ ଆକ୍ରମଣର ଏ ଏମିତି ଏକ ଦିନ ଥିଲା ଯାହାକୁ କେବେ ଭୁଲି ପାରିବନି ଭାରତ । ଚାରିଆଡେ ଆତଙ୍କର ଭୟ ଆଉ ଭୂଇଁରେ ମରି ପଡିଥିଲା ଲୋକଙ୍କ ମୃତଦେହ । ଆତଙ୍କୀଙ୍କ ହାତରେ ଏକେ-୪୭ର ଗର୍ଜନ ସହ ୬୦ ଘଣ୍ଟା ପାଇଁ ମୁମ୍ବାଇରେ ଚାଲିଥିଲା ଛାତିଥରା ସୈତାନଙ୍କ ଆତଙ୍କରାଜ । ୧୭ ବର୍ଷ କଣ ଶହେ ବର୍ଷ ବିତିଗଲେ ବି ସେହି ଚିତ୍ରକୁ ଭୁଲିପାରିବେନି କେହି ଭୁଲିପାରିବେନି ବି ଭାରତୀୟ । ତାଜ ହୋଟେଲରୁ ବାହାରୁଥିବା ଧୂଆଁ ହିଁ ସେଦିନ କହୁଥିଲା ୨୬/୧୧ ଆକ୍ରମଣ କେତେ ଭୟଙ୍କର ଥିଲା । ଆଉ କେତେ ନୀରିହ ଲୋକ ସେଦିନ ଆତଙ୍କୀଙ୍କ ଗୁଳିରେ ଆଖି ବୁଜିଥିଲେ ।


