July 27, 2024

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସର‌ରେ ଆରମ୍ଭ ହେବ ‘ଆସ ପଢ଼ିବା’ ଅଭିଯାନ

1 min read

ଭୁବନେଶ୍ୱର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଅବସର‌ରେ ଆରମ୍ଭ ହେବ ‘ଆସ ପଢ଼ିବା’ ଅଭିଯାନ। ଓଡ଼ିଆ ଭାଷା ପ୍ରତି ସ୍ୱତନ୍ତ୍ର ରୁଚି ନିମନ୍ତେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ପଠନ ଆନ୍ଦୋଳନ ସୃଷ୍ଟି କରାଯିବ। ସମ୍ମିଳନୀ ସ୍ଥଳ‌ର ବିଭିନ୍ନ ସ୍ଥାନରେ ଭ୍ରାମ୍ୟମାଣ ପାଠାଗାର ବ୍ୟବସ୍ଥା କରାଯିବ।

ଏଥିସହ ଏକ ବସ୍‌ ମଧ୍ୟରେ ଉପାଦେୟ ପୁସ୍ତକମାନ ରଖାଯାଇ ଭ୍ରାମ୍ୟମାଣ ଲାଇବ୍ରେରି ପ୍ରତିଷ୍ଠା କରାଯିବ। ସେହିଭଳି ସମ୍ମିଳନୀ ସ୍ଥାନରେ ୫ଟି ପାଠାଗାର ଗାଡ଼ି ରହିବ। ଏଥି ନିମନ୍ତେ ଭୁବନେଶ୍ୱରସ୍ଥିତ ବକୁଳ ଫାଉଣ୍ଡେସନ ପକ୍ଷରୁ ବୈଷୟିକ ସହଯୋଗ ଯୋଗାଇ ଦିଆଯିବ। ସେହିଭଳି ମହାପୁରୁଷଙ୍କ ପଠନ ସମ୍ପର୍କିତ କାଳଜୟୀ ବାର୍ତ୍ତା ଥିବା ବୁକମାର୍କ ପ୍ରତ୍ୟେକ ପୁସ୍ତକରେ ରହିବ। ତିନିଦିନ ଧରି ଆଗନ୍ତୁକମାନେ ଏହାକୁ ପାଖରୁ ଦେଖିବା ସହ ପଢ଼ିବାର ସୁଯୋଗ ପାଇବେ। ସେହିଭଳି ପଠନ ଅଭ୍ୟାସ ବୃଦ୍ଧି, ରାଜ୍ୟର ଭାଷା, କଳା, ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଇଁ ଏକ ପକେଟ୍‌ ପୁସ୍ତିକା ମଧ୍ୟ ପ୍ରସ୍ତୁତ କରାଯିବ। ଏଥିରେ ମହାପୁରୁଷମାନଙ୍କ ଉପାଦେୟ ବାର୍ତ୍ତା ରହିବ।ପଠନ ଅଭ୍ୟାସକୁ ଆହୁରି ମଜାଦାର କରିବାକୁ ଏକ ଡାଏରି ମଧ୍ୟ ରହିବ। ଏକ ପୁସ୍ତକ ପଠନ ବେଳେ କ’ଣ ଶିଖିବାକୁ ମିଳିଲା, କେଉଁ ପୃଷ୍ଠାର କେଉଁ ଭାଗ ମନକୁ ଛୁଇଁଲା, ପୁସ୍ତକର କେଉଁ ପୃଷ୍ଠା ପର୍ଯ୍ୟନ୍ତ ପଢ଼ିବା ଶେଷ ହୋଇଛି, ଏ ସମ୍ପର୍କରେ ଉଲ୍ଲେଖ କରିବାର ସ୍ଥାନ ରହିବ। ସେହିଭଳି ବିଭିନ୍ନ ପ୍ରସିଦ୍ଧ ବ୍ୟକ୍ତି ବିଶେଷ ଓ ମହାପୁରୁଷଙ୍କ ଜନ୍ମ ମାସକୁ ଭିତ୍ତିକରି ଏକ କ୍ୟାଲେଣ୍ଡର ଦେଖିବାକୁ ମିଳିବ।

ଏହି ସମ୍ମିଳନୀ ଆସନ୍ତା ଫେବ୍ରୁଆରି ୩ରୁ ୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ। ଏଥିରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା, ଗବେଷକ ଓ ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି ସହ ଭାଷାକୁ ପ୍ରୋତ୍ସାହିତ କରିବାକୁ ସମ୍ମିଳନୀରେ ବ୍ୟାପକ ଆୟୋଜନ କରାଯାଉଛି।

Leave a Reply

Your email address will not be published. Required fields are marked *