May 22, 2025

ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ୧୧ତମ କଳିଙ୍ଗ ସାହିତ୍ୟ ମହୋତ୍ସବ

1 min read

ଭୁବନେଶ୍ଵର: ଭୁବନେଶ୍ଵରରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ୧୧ତମ କଳିଙ୍ଗ ସାହିତ୍ୟ ମହୋତ୍ସବ। ହୋଟେଲ ମେ ଫେୟାର ଲାଗୁନ୍, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ଉତ୍କଳ ମଣ୍ଡପ ପରି ତିନୋଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ମହୋତ୍ସବରେ ମୋଟ ୨୫ଟି ଭାଷାର ୪୦୦ରୁ ଅଧିକ ସାହିତ୍ୟିକ ଏବଂ ଚିନ୍ତକ ଏକାଠି ହେବେ। ଏଥର ମହୋତ୍ସବର ଥିମ ରହିଛି ‘ସାହିତ୍ୟ ଏବଂ ବିଶ୍ୱ: ଅନ୍ତର୍ଭୁକ୍ତି, ପରିଚୟ ଏବଂ ସମ୍ପୃକ୍ତି’।

ଏହି ମହୋତ୍ସବରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ। ସେହିପରି ଅନ୍ୟ ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ଭାରତରେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଏଚ୍.ଇ. ଇନା ହାଗ୍ନିନତ୍ୟସ କୃଷ୍ଣମୂର୍ତ୍ତି, ଓଡିଶା ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀ ସଚିବ କେ. ଶ୍ରୀନିବାସରାଓ ଯୋଗ ଦେବେ।

ଏହି ଅବସରରେ ହିନ୍ଦୀ ଭାଷାର ପ୍ରସିଦ୍ଧ ଲେଖିକା ମମତା କାଲିଆ ଓ ପ୍ରତିଷ୍ଠିତ ଅନୁବାଦକ ପ୍ରଫେସର ଯତୀନ୍ଦ୍ର କୁମାର ନାୟକଙ୍କୁ ‘କଳିଙ୍ଗ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ। ସେହିପରି ସଂସ୍କୃତ ବିଦ୍ୱାନ ଡକ୍ଟର ଶ୍ରୀନୁରୁଦ୍ଧସ ଦାଶଙ୍କୁ ‘କଳିଙ୍ଗ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ରେ ସମ୍ମାନିତ କରାଯିବ। ଏହା ସହ ନେପାଳର ଲୋକପ୍ରିୟ ଲେଖିକା ଡକ୍ଟର ମମତା ମିଶ୍ରଙ୍କୁ ‘ଯୁବ କଳିଙ୍ଗ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ।

“କଳିଙ୍ଗ ସାହିତ୍ୟ ମହୋତ୍ସବ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ଏକ ସାଂସ୍କୃତିକ ସଂଗମ ଯେଉଁଠି ବିଶ୍ୱର ଭିନ୍ନ ସ୍ୱର ଏକାଠି ହୁଅନ୍ତି। ଏଥର ମହୋତ୍ସବରେ କାହାଣୀ କହିବାର ଶକ୍ତି, ସାହିତ୍ୟ କିପରି ସମାଜକୁ ବାଟ ଦେଖାଏ, ଇତିହାସକୁ ସାଇତେ ଏବଂ ନବସୃଜନକୁ ପ୍ରୋତ୍ସାହିତ କରେ, ତାହାକୁ ହିଁ ଗୁରୁତ୍ୱ ଦିଆଯିବ”, କହିଛନ୍ତି କଳିଙ୍ଗ ସାହିତ୍ୟ ମହୋତ୍ସବର ସିଇଓ ଅଶୋକ କୁମାର ବଳ।

ଏହି କାର୍ଯ୍ୟକ୍ରମରେ ଇଣ୍ଡୋନେସିଆର ପ୍ରସିଦ୍ଧ ସାଂସ୍କୃତିକ ସଂଗଠନ ‘ବେଲନତାରା ବୁଦୟା ଇଣ୍ଡୋନେସିଆ ଫାଉଣ୍ଡେସନ୍’ କଳା ପରିବେଷଣ କରିବା ସହ ଇଣ୍ଡୋନେସିଆର ସାଂସ୍କୃତିକ ଐତିହ୍ୟର ସମୃଦ୍ଧ ବିବିଧତାକୁ ପ୍ରଦର୍ଶିତ କରିବେ। ଏହି ସଙ୍ଗଠନ ପକ୍ଷରୁ ନୁସନତାରା ମେଦଲୀ ନୃତ୍ୟ, ମାଣ୍ଡାଉ ନୃତ୍ୟ, ମାଉମେରେ ନୃତ୍ୟ, ଉତ୍ତର ସୁମାତ୍ରାର ଟୋର ଟୋର ନୃତ୍ୟ, ପଶ୍ଚିମ ଜାଭାର ସୋଲୋ ଜାଇପଙ୍ଗ ନୃତ୍ୟ ଏବଂ ପୂର୍ବ ଜାଭା ଅଧୀନ ମଦୁରାର ଗେଲାଙ୍ଗ ରୁମ୍ ନୃତ୍ୟ ଦେଖିବାକୁ ମିଳିବ।

ସେହିପରି ନେପାଳରୁ ଦଶ ଜଣ ପ୍ରତିଷ୍ଠିତ ଲେଖକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ସେମାନଙ୍କ ମଧ୍ୟରେ ନେପାଳର ପ୍ରତିଷ୍ଠିତ ସାହିତ୍ୟିକ ଡକ୍ଟର ବିନୋଦ ଚୌଧୁରୀ ଉତ୍ସବରେ ସମ୍ମାନିତ ଅତିଥି ତଥା ବକ୍ତା ଭାବରେ ଯୋଗଦେବେ।

ଏଥର ନେପାଳ, ଶ୍ରୀଲଙ୍କା, ଭୁଟାନ, ଇଣ୍ଡୋନେସିଆ, ଜାପାନ, ୟୁକେ, ସ୍ପେନ, ଫ୍ରାନ୍ସ, ଆମେରିକା ଏବଂ ଅନ୍ୟାନ୍ୟ ଦେଶର ବିଶିଷ୍ଟ ଲେଖକମାନେ ବକ୍ତା ଭାବରେ ଯୋଗଦେବେ। ୧୦୦ରୁ ଅଧିକ କଳାକାର ଏହି ମହୋତ୍ସବରେ ସାମିଲ୍ ହେବେ।