ୱେଭସ୍ କମିକ୍ସ ସୃଜକ ଚାମ୍ପିଅନସିପର ସଫଳ କାହାଣୀ
1 min read
ଭାରତୀୟ କମିକ୍ସ ଶିଳ୍ପର ଏକ ଉନ୍ନତ ଓ ବିବିଧ ଇତିହାସ ରହିଛି ଯାହା ଦୀର୍ଘ ଏକ ଶତାବ୍ଦୀ ଧରି ପରିବ୍ୟାପ୍ତ । ଭାରତରେ କମିକ୍ସ ଚିନ୍ତାଧାରା ପ୍ରଥମେ ଖବରକାଗଜମାନଙ୍କରେ ‘ସିଣ୍ଡିକେଟେଡ୍ କମିକ୍ ଷ୍ଟ୍ରପ୍’ ଆକାରରେ ଇଂରେଜ ଶାସନ କାଳରେ ହିଁ ଆରମ୍ଭ ହୋଇଥିଲା । ସେଥିରେ ପାଶ୍ଚାତ୍ୟ ଜଗତର ଲୋକପ୍ରିୟ ଚରିତ୍ର ଯଥା ‘ଦି ଫାଣ୍ଟମ୍’ ଓ ‘ମାଣ୍ଡ୍ରେକ୍ ଦି ମ୍ୟାଜିସିଆନ୍’ମାନଙ୍କରୁ ଅୟମାରମ୍ଭ ଘଟିଥିଲା । ଏହି ପ୍ରାରମ୍ଭିକ ପର୍ଯ୍ୟାୟର କମିକ୍ସ ଷ୍ଟ୍ରିପ୍ ଛାପା ଭାରତୀୟ ଅଭିନବ କମିକ୍ ପରମ୍ପରାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଦେଶ ସ୍ୱାଧୀନତା ଲାଭ କରିବା ପରେ, ଏହି ଶିଳ୍ପ ତା’ର ନୂତନ ସ୍ୱରୂପ ଧାରଣ କରିବା ଆରମ୍ଭ କରିଥିଲା । ସେହି ସମୟରେ ଚନ୍ଦାମାମା, ଚମ୍ପକ, ଏବଂ ତା’ ସହିତ ଆହୁରି ଅନେକ ଆଞ୍ଚଳିକ ଭାଷାର ପ୍ରକାଶନ ଯୁବବର୍ଗର ପାଠକମାନଙ୍କ ଦୃଷ୍ଟି ଓ କଳ୍ପନାକୁ ଆକର୍ଷିତ କରିଥିଲା । ୧୯୬୭ ମସିହାରେ ପ୍ରକାଶନ ଆରମ୍ଭ କରିଥିଲା ‘ଅମର ଚିତ୍ର କଥା’ (ଏ.କେ.ସି.) ଯାହାକି ଭାରତୀୟ କମିକ୍ସ କ୍ଷେତ୍ରରେ ଏକ ସ୍ମରଣୀୟ ମୁହୂର୍ତ୍ତ ବୋଲି ବିବେଚନା କରାଯାଇପାରେ । ଏହି ସିରିଜରେ ଭାରତୀୟ ପୌରାଣିକ କାହାଣୀ, ଇତିହାସ ଓ ଲୋକକଥାଗୁଡ଼ିକୁ ଅତି ଚିତ୍ତାକର୍ଷକ ଚିତ୍ରକଳା ସାହାଯ୍ୟରେ କାହାଣୀ ଆକାରରେ ବର୍ଣ୍ଣନା କରାଯାଇଥିଲା ।
୧୯୭୦ ଠାରୁ ୧୯୯୦ ଦଶକ ପର୍ଯ୍ୟନ୍ତ କାଳଖଣ୍ଡକୁ ସାଧାରଣତଃ ଭାରତୀୟ କମିକ୍ସ ପ୍ରକାଶନ, ପଠନ ଓ ଆଦୃତି ଲାଭର ସୁବର୍ଣ୍ଣ ଯୁଗ ବୋଲି ଦର୍ଶାଯାଇଥାଏ । ପ୍ରାନ୍ କୁମାର ଶର୍ମା ଥିଲେ ସେହି ସମୟର ଅତି ଲୋକପ୍ରିୟ ଚରିତ୍ର ଚାଚା ଚୌଧୁରୀ, ବିଲ୍ଲୁ ଏବଂ ପିଙ୍କି ଭଳି କମିକ୍ ଚରିତ୍ରମାନଙ୍କ ସ୍ରଷ୍ଟା ଯାହାକି ଦେଶର ଘରେ ଘରେ ଖୁବ୍ ଆଦୃତି ଲାଭ କରିଥିଲା । ଏହା ପଛର କାରଣଟି ଥିଲା, ତାଙ୍କର କୌତୂକିଆ କାହାଣୀ ଚୟନ ଯାହାକି ସାମାଜିକ ଜୀବନ ସହିତ ଓତଃପ୍ରୋତ ଭାବରେ ଜଡ଼ିତ ଥିଲା । ସେସବୁକୁ କମିକ୍ସ ଆକାରରେ ପ୍ରକାଶ କରିବା ପାଠକମାନଙ୍କ ନିକଟରେ ଆଦୃତି ଲାଭ କରିବାରେ ସହାୟକ ହୋଇଥିଲା । ତେଣୁ କମିକ୍ସ ଏକ ପାୱାର ହାଉସ୍ (ଶକ୍ତି କେନ୍ଦ୍ର) ଭାବରେ ମୁଣ୍ଡ ଟେକିଥିଲା । କମିକ୍ସ ମାଧ୍ୟମରେ ହିଁ ନାଗରାଜ, ସୁପର କମାଣ୍ଡୋ ଧ୍ରବ ଏବଂ ଡୋଗା ଭଳି ସୁପର ହୀରୋ ଚରିତ୍ରମାନ ସୃଷ୍ଟି କରାଯାଇ ପାରିଥିଲା । ଏହି ସମୟରେ କମିକ୍ସ ସବୁ ବର୍ଗର ପାଠକଙ୍କ କନିକଟରେ ପହଂଚି ପାରିଥିଲା ଏବଂ କମିକ୍ସ ପଢ଼ାରେ ଶିଶୁଙ୍କଠାରୁ ଆରମ୍ଭ କରି ବୟସ୍କ ପାଠକଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜକୁ ଡୁବାଇ ରଖୁଥିଲେ ।
୨୦୦୦ ମସିହା ପରବର୍ତ୍ତୀ ସମୟରେ, ଭାରତୀୟ କମିକ୍ସ ପାଇଁ ଡିଜିଟାଲ ଯୁଗର ଅୟମାରମ୍ଭ ଘଟିଥିଲା ଏବଂ ସେହି ସମୟରେ କମିକ୍ସ ଶିଳ୍ପକୁ ନୂଆ ନୂଆ ସ୍ରଷ୍ଟାମାନେ ପ୍ରବେଶ କରିଥିଲେ । ଏହିସବୁ ପ୍ରକାଶନ ଏକ ନୂଆ ଦୃଷ୍ଟିଭଙ୍ଗୀ ଏବଂ ଆଧୁନିକ ବର୍ଣ୍ଣନା ଶୈଳୀରେ ଭାରତୀୟ ପାଠକମାନଙ୍କ ନିକଟରେ କମିକ୍ସକୁ ଉପସ୍ଥାପନ କରିଥିଲା । ଫଳରେ ଏହା ସମ୍ପୂର୍ଣ୍ଣ ଏକ ନୂତନ ପିଢ଼ିର ସୃଜକଙ୍କୁ ଜନ୍ମ ଦେଇଥିଲା କହିଲେ ଅତିଶୟୋକ୍ତି ହେବନାହିଁ । ବୈଶ୍ୱିକ ମହାମାରୀ କୋଭିଡ ୧୯ ସମୟରେ ଯେତେବେଳେ ଦେଶବ୍ୟାପୀ ଲକଡାଉନ୍ ଭଳି ଅପ୍ରତ୍ୟାଶିତ ପରିସ୍ଥିତି ସୃଷ୍ଟି ହୋଇଥିଲା, ତାହା ଅବିଶ୍ୱସନୀୟ ଭାବରେ ଭାରତୀୟ କମିକ୍ସ ପ୍ରତି ଲୋକମାନଙ୍କ ମନରେ ଆଗ୍ରହ ସୃଷ୍ଟି କରିଥିଲା । ପାଠକମାନେ ନିଜ ଘରେ ବସି ଏହିସବୁ ଚରିତ୍ରମାନଙ୍କ ସହିତ ପୁଣି ଥରେ ଯୋଡ଼ି ହେବାକୁ ପ୍ରୟାସ କରିଥିଲେ । ନୂଆ ନୂଆ ତଥା ସ୍ୱାଧୀନ ସଂସ୍ଥାମାନେ ମୁଣ୍ଡ ଟେକିଥିଲେ ଅଥବା ସେମାନଙ୍କ ଚାହିଦା ବୃଦ୍ଧି ପାଇଥିଲା । ତେଣୁ ଅଭିନବ ଢଙ୍ଗରେ କାହାଣୀ କଥା ଓ ନୂଆ ନୂଆ ଢଙ୍ଗରେ ବିଷୟବସ୍ତୁ ଉପସ୍ଥାପନର ସୀମା ବୃଦ୍ଧି ପାଇବାରେ ଲାଗିଲା । ଭାରତରେ ‘ମାଙ୍ଗା’ ଚରିତ୍ରର ବର୍ଦ୍ଧିଷ୍ଣୁ ଲୋକପ୍ରିୟତା ଭାରତୀୟ କମିକ୍ସ ସୃଜକମାନଙ୍କ ଲାଗି ନୂଆ ନୂଆ ମାର୍ଗମାନ ଉନ୍ମୋଚନ କଲା । ସେହିଭଳି ଅନେକ ନୂଆ ନୂଆ ଅନଲାଇନ୍ କମିକ୍ସ ପୁସ୍ତକ ବିକ୍ରେତାମାନେ ମଧ୍ୟ ମୁଣ୍ଡ ଟେକିଲେ ଏବଂ ସେମାନଙ୍କ ମଧ୍ୟରୁ କତିପୟ କମିକ୍ ବହି ପ୍ରକାଶନ ନିମନ୍ତେ ମନ ବଳାଇଲେ । ତେବେ ଏତେସବୁ ପ୍ରଗତି ସତ୍ତ୍ୱେ, ବିତରଣ, ଆର୍ଥିକ ସମ୍ଭାବ୍ୟତା ଏବଂ ସାଂସ୍କୃତିକ ଓ ପିଢ଼ିଗତ ଗ୍ରହଣୀୟତା କମିକ୍ସ ଶିଳ୍ପ ପାଇଁ ପ୍ରମୁଖ ଚାଲେଞ୍ଜ ହୋଇ ଏପର୍ଯ୍ୟନ୍ତ ରହିଆସିଛି ।
ଆଜି ଭାରତୀୟ କମିକ୍ସ ଶିଳ୍ପ ପାଇଁ ପୁନରୁତ୍ଥାନର ଏକ ସ୍ୱର୍ଣ୍ଣିମ ଅବସର ଆସିଛି । ୱେଭସ୍ କମିକ୍ସ ସୃଜକ ଚାମ୍ପିଅନସିପ୍ ଭଳି ଉପକ୍ରମର ଶୁଭାରମ୍ଭ ସହିତ, ଭାରତୀୟ କମିକ୍ସ ସଂଘ (ଆଇ.ସି.ଏ.) ଏପଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (ଏମ.ଆଇ.ବି.) ମଧ୍ୟରେ ଏକ ସହଯୋଗ ସ୍ଥାପନ ହୋଇପାରିଛି । ତେଣୁ ଏହି ଶିଳ୍ପର ଆଗାମୀ ଦିନରେ ପୁନରୁତ୍ଥାନ ଘଟିବା ସୁନିଶ୍ଚିତ ବୋଲି ଆଶା କରାଯାଇପାରେ । ୱେଭସ୍ ଉପକ୍ରମରେ ଏଭଳି ଚାମ୍ପିଅନସିପ୍ ଏକ ପ୍ରମୁଖ ସାଧନ, ଯାହା ଭାରତର ସୃଜନ ଶିଳ୍ପକୁ ନେଇ ବିଶ୍ୱ ସ୍ତରରେ ପହଞ୍ଚାଇବାରେ ଲକ୍ଷ୍ୟ ରଖିଛି । ତେଣୁ ନୂଆକରି ମୁଣ୍ଡ ଟେକୁଥିବା ପ୍ରତିଭାମାନଙ୍କ ସକାଶେ ଏକ ସକ୍ରିୟ ଓ ଅନୁକୂଳ ବାତାବରଣ ସୃଷ୍ଟିକରି ଏହି ଉପକ୍ରମ ଭାରତୀୟ କମିକ୍ସକୁ ବିଶ୍ୱବ୍ୟାପୀ ପ୍ରଦର୍ଶିତ କରିପାରିବ ଏବଂ ପରମ୍ପରା ସହିତ ଆଧୁନିକ ପ୍ରଯୁକ୍ତି ଓ କାହାଣୀ କଥନକୁ ଯୋଡ଼ି ପାରିବ । ତେଣୁ ଆଗାମୀ ଦିଗରେ ଆଇ.ସି.ଏ ଏବଂ ୱେଭସ୍ ଏହି ଶିଳ୍ପକୁ ବ୍ୟାପକ ଭାବରେ ପ୍ରଭାବିତ କରିବା ସକାଶେ ନିଜକୁ ପ୍ରସ୍ତୁତ କରୁଛନ୍ତି ।
ୱେଭସ୍ କମିକ୍ସ ସୃଜନ ଚାମ୍ପିଅନସିପର ଦୁଇଟି ବର୍ଗ ରହିଛି: ପେସାଦାର ଓ ସୌଖିନ । ଏଥିପାଇଁ ଆଠ ଲକ୍ଷ ଟଙ୍କାର ନଗଦ ରାଶି ପୁରସ୍କାରର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥି ସହିତ ପ୍ରକାଶନ ସୁଯୋଗ, ଜାତୀୟ ସ୍ତରର ସ୍ୱୀକୃତି ପ୍ରଦାନ ଭଳି ମଧ୍ୟ ପ୍ରାବଧାନ ରହିଛି । ତେଣୁ ଭାରତୀୟ କମିକ୍ସ ଶିଳ୍ପ ନିମନ୍ତେ ଏହି କାର୍ଯ୍ୟକ୍ରମ ଘଟ ପରିବର୍ତ୍ତନକାରୀ ଉପକ୍ରମ ସାବ୍ୟସ୍ତ ହୋଇପାରେ । ପୁନଶ୍ଚ, ପ୍ରତିଯୋଗିତା ଫର୍ମାଟରେ ବିବିଧ ପର୍ଯ୍ୟାୟକୁ ସାମିଲ କରାଯାଇଛି ଏବଂ ଏଥିପାଇଁ ଥିବା ବିଚାରକ ଏବଂ ପାନେଲ ସେହିସବୁ ପ୍ରବେଶିକା ଓ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ମୂଲ୍ୟାୟନ ଏବଂ ବିଜୟୀ ରୂପେ ଚୟନ କରିବେ ।
ଏହି ଜୁରି ପାନେଲରେ କମିକ୍ସ ଶିଳ୍ପ ଜଗତର ଅନେକ ପ୍ରବାଦ ପୁରୁଷଙ୍କୁ ସାମିଲ କରାଯାଇଛି ଯେଉଁମାନଙ୍କର ଏହି କ୍ଷେତ୍ରରେ ବିପୁଳ ଅଭିଜ୍ଞତା ଓ ଜ୍ଞାନ ରହିଛି । ସେହିଭଳି ଜଣେ ଜଣାଶୁଣା କମିକ୍ସ ଶିଳ୍ପ ଏବଂ ଚିତ୍ରକର ହେଉଛନ୍ତି ଦିଲ୍ଲୀପ କଦମ, ଯିଏ ଅନେକ ପ୍ରମୁଖ ପ୍ରକାଶନ ସଂସ୍ଥା ସହିତ କାର୍ଯ୍ୟ କରିଛନ୍ତି ଏବଂ ଭାରତର ବହୁ ଚର୍ଚ୍ଚିତ ଓ ଲୋକପ୍ରିୟ କମିକ୍ସ ଚରିତ୍ର ସୃଜନ ପଛରେ ତାଙ୍କର ହାତ ରହିଛି । ସେମାନଙ୍କ ମଧ୍ୟରେ ଭୋକଲ ଅନ୍ୟତମ । ନିଖିଲ ପ୍ରାନ ହେଉଛନ୍ତି ବିଗତ ବର୍ଷର ଚର୍ଚ୍ଚିତ କାର୍ଟୁନିଷ୍ଟ ପ୍ରାନ୍ କୁମାର ଶର୍ମାଙ୍କ ସୁପୁତ୍ର । ସେ ନିଜ ମଧ୍ୟ ଜଣେ ବିଶିଷ୍ଟ କମିକ୍ସ ସୃଜକ । ଜରୁ ପାନେଲରେ ତାଙ୍କର ଉପସ୍ଥିତି ଅବଶ୍ୟ ଏହାକୁ ମର୍ଯ୍ୟାଦାବନ୍ତ କରିଛି । ଜାଜିଲ ହୋମାଭାଜିର ହେଉଛନ୍ତି ଜଣେ ପୁରସ୍କାର ବିଜୟୀ ଏନିମେଶନ୍ ପ୍ରଫେସନାଲ ଏବଂ ସେ ହେଉଛନ୍ତି ‘ଦି ବେଷ୍ଟ୍ ଲିଜିଅନ’ର ସୃଜକ । ଏହା ହେଉଛି ଭାରତର ପ୍ରଥମ ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଳିଥିବା ୱେବ୍- ମାଙ୍ଗା । ତାଙ୍କ ଉପସ୍ଥିତି ଏହି ପ୍ରତିଯୋଗିତାକୁ ଏକ ସତେଜ ଓ ଅଭିନବ ଆଭିମୁଖ୍ୟ ଯୋଗାଇଛି । ସଞ୍ଜୟ ଗୁପ୍ତା ହେଉଛନ୍ତି ରାଜ କମିକ୍ସର ପ୍ରତିଷ୍ଠାତା ଏବଂ ଭାରତର ସବୁଠାରୁ ଲୋକପ୍ରିୟ ସୁପରହୀରୋମାନଙ୍କ ନିର୍ମାତା । ତାଙ୍କ ଉପସ୍ଥିତି ଏହି ଶିଳ୍ପର ମୂଲ୍ୟବାନ୍ ଆଭ୍ୟନ୍ତରୀଣ କାହାଣୀ, ଅନୁଭୂତି, ଧାରା ତଥା ଚାହିଦା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବ । ପ୍ରୀତି ବ୍ୟାସ ହେଉଛନ୍ତି ‘ଅମର ଚିତ୍ର କଥା’ର ସି.ଇ.ଓ. । ତାଙ୍କର ବ୍ୟାପକ ଅନୁଭୂତି ଓ ଅଭିଜ୍ଞତା ପ୍ରତିଯୋଗିତାର ବାତାବରଣକୁ ଯଥେଷ୍ଟ ପୁଷ୍ଟ କରିବ ।
ଏଭଳି ଏକ ଚାମ୍ପିଅନସିପ୍ ପ୍ରତି ସମସ୍ତଙ୍କ ଆଗ୍ରହ ବେଶ୍ ଉତ୍ସାହଜନକ ଥିବାପରି ଜଣାପଡ଼ିଛି । ଏଥିପାଇଁ ସାରା ଦେଶରୁ ହଜାର ହଜାର ପ୍ରବେଶିକା ଆବେଦନ ମିଳିଛି । ଏକ ଜଟିଳ ଚୟନ ପ୍ରକ୍ରିୟା ମାଧ୍ୟମରେ ୯ରୁ ୧୩ ବର୍ଷ ଆହୁ ବର୍ଗର ଛଅଜଣ ସ୍ୱତନ୍ତ୍ର ଜୁରୀଙ୍କ ସୂଚନା ଓ ଚୟନ ବ୍ୟବସ୍ଥା ରହିଛି । ଏହି ସେମି ଫାଇନାଲିଷ୍ଟମାନେ ଦେଶର ୨୦ଟି ରାଜ୍ୟ ତଥା ଏନ.ସି.ଆର.ର ୨୦ଟି ସହରର ଯେଉଁମାନେ ଏହି ଚାମ୍ପିଅନସିପର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରୁଛନ୍ତି ଏବଂ ଦେଶର କୋଣ ଅନୁକୋଣରୁ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ବର୍ତ୍ତମାନ ଏହି ପ୍ରତିଯୋଗିତା ୧୦ ଜଣ ଫାଇନାଲିଷ୍ଟ ପର୍ଯ୍ୟାୟରେ ପହଂଚି ସାରିଛି ଏବଂ ସେମାନେ ମୁମ୍ବାଇଠାରେ ଆୟୋଜିତ ବିଶ୍ୱ ଅଡିଓ ଭିଜୁଆଲ୍ ମନୋରଞ୍ଜନ ସମ୍ମିଳନୀ (ୱେଭସ୍)ରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।
୨୦୨୫ ମସିହା ମେ ୧ ତାରିଖ ଠାରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇଠାରେ ୱେଭସ୍ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି ଯେଉଁଠାରେ ଭାରତୀୟ ସୃଜନଶୀଳତା ଏବଂ ନବାଚାରର ପ୍ରଦର୍ଶନ କରାଯିବ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଆୟୋଜିତ ଏହି ଫ୍ଲାଗସିପ୍ କାର୍ଯ୍ୟକ୍ରମ ଅଧୀନରେ ‘କ୍ରିଏଟ୍ ଇନ୍ ଇଣ୍ଡିଆ’ ଉପକ୍ରମ ମାଧ୍ୟମରେ ୱେଭ୍ସ୍ ଭାରତୀୟ ସୃଜକମାନଙ୍କୁ ଏକ ଅଭିନବ ମଞ୍ଚ ପ୍ରଦାନ କରିବ ଯେଉଁଥିରେ ସେମାନେ ନିଜର ଅନ୍ତର୍ନିହିତ ପ୍ରତିଭାକୁ ଅନ୍ତରାଷ୍ଟ୍ରୀୟ ଦର୍ଶକମାନଙ୍କ ନିକଟରେ ଉପସ୍ଥାପନ କରିପାରିବେ ତଥା ନୂଆ ନୂଆ ସହଭାଗୀତା ସ୍ଥାପନ କରିବାର ସୁଯୋଗ ଲାଭ କରିପାରିବେ ।
କମିକ୍ସ ସୃଜକ ଚାମ୍ପିଅନସିପର ସାମର୍ଥ୍ୟ ଏବଂ ପ୍ରଭାବ ଭାରତୀୟ କମିକ୍ସ ଶିଳ୍ପ ଉପରେ ଯେ ବ୍ୟାପକ ପ୍ରଭାବ ପକାଇବ ତାହାକୁ କଦାପି ଅସ୍ୱୀକାର କରାଯାଇପାରିବ ନାହିଁ । ନୂଆକରି ମୁଣ୍ଡ ଟେକୁଥିବା ପ୍ରତିଭାମାନଙ୍କୁ ସେମାନଙ୍କର କଳା ପ୍ରଦର୍ଶନ ନିମନ୍ତେ ଏକ ପ୍ଲାଟଫର୍ମ ଯୋଗାଇବାରେ ଏହି ପ୍ରତିଯୋଗିତା ସହାୟକ ହେବ ଏବଂ ନୂତନ ପିଢ଼ିର କମିକ୍ସ ସୃଜକମାନେ ଏଥିରୁ ବିଶେଷ ଭାବରେ ଉପକୃତ ହୋଇପାରିବେ । ଭାରତୀୟ କମିକ୍ସ ସଂଘ (ଆଇ.ସି.ଏ.) ଏହି ଶିଳ୍ପକୁ ଯୋଗାଉଥିବା ସହଯୋଗ ଏବଂ ଭାରତୀୟ କମିକ୍ସକୁ ବୈଶ୍ୱିକ ସ୍ତରରେ ପହଞ୍ଚାଇବା ନିମନ୍ତେ ପ୍ରୟାସ ଏହାକୁ ଏକ ସଫଳ ଉପକ୍ରମରେ ପରିଣତ କରିବାକୁ ଯାଉଛି । ଆଇ.ସି.ଏ. ଏବଂ ୱେଭସ୍ ଏଥିରେ ନେତୃତ୍ୱ ଗ୍ରହଣ କରୁଛନ୍ତି ଏବଂ ଏହା ଫଳରେ କମିକ୍ସ ଶିଳ୍ପ ତା’ର ହୃଦଗୌରବକୁ ଅବଶ୍ୟ ଫେରିପାଇବ, ଏହା ନିଃସନ୍ଦେହ । ତେଣୁ କମିକ୍ସ ସୃଜକ ଚାମ୍ପିଅନସିପ୍ ଭଳି ଉପକ୍ରମ ମାଧ୍ୟମରେ ଭାରତୀୟ କମିକ୍ସ ଶିଳ୍ପର ଭବିଷ୍ୟତ ଅଧିକ ଉଜ୍ଜ୍ୱଳ ହୋଇପାରିବ ।
ଲେଖକ: ଅଜିତେଶ ଶର୍ମା,ଭାରତୀୟ କମିକ୍ସ ସଂଘର ସଭାପତି