May 29, 2026

କ୍ରୀଡ଼ା ପ୍ରଶାସକ ରଣଧୀର ସିଂହଙ୍କ ବୁଧବାର (୭୯) ବର୍ଷରେ ଦେହାନ୍ତ ହୋଇଛି

1 min read

ନୂଆଦିଲ୍ଲୀ: କିମ୍ବଦନ୍ତୀ ଭାରତୀୟ ସୁଟର ଅଲିମ୍ପିଆନ ତଥା କ୍ରୀଡ଼ା ପ୍ରଶାସକ ରଣଧୀର ସିଂହଙ୍କ ବୁଧବାର (୭୯) ବର୍ଷରେ ଦେହାନ୍ତ ହୋଇଛି। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ପଞ୍ଜାବର ପତିଆଲାର ଅର୍ଜୁନ ପୁରସ୍କାର ବିଜେତା ସ୍ବର୍ଗତ ରଣଧୀର ସୁଟିଂ କ୍ରୀଡ଼ାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ୧୯୬୮ରୁ ୧୯୮୪ ପର୍ଯ୍ୟନ୍ତ ୫ଥର ଅଲିମ୍ପିକ୍‌ସରେ ସୁଟିଂରେ ପ୍ରତିନିଧିତ୍ବ କରିବାରେ ସଫଳ ହୋଇଥିଲେ। ୧୯୭୮ ବ୍ୟାଙ୍କକ୍‌ ଏସୀୟ କ୍ରୀଡ଼ାରେ ସୁଟିଂରେ ପ୍ରଥମ ଭାରତୀୟ ଭାବେ ବ୍ୟକ୍ତିଗତ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ।ଖେଳ ସହ କ୍ରୀଡ଼ା ପ୍ରଶାସନିକ କ୍ଷେତ୍ରରେ ବେଶ ପ୍ରତିଷ୍ଠା ଅର୍ଜନ କରିଥିଲେ। ୧୯୮୭ରୁ ୨୦୧୨ ପର୍ଯ୍ୟନ୍ତ ଭାରତୀୟ ଅଲିମ୍ପିକ୍‌ସ ସଂଘର ସାଧାରଣ ସମ୍ପାଦକ ଭାବେ ଦୀର୍ଘ ୨୫ ବର୍ଷ ଥିଲେ। ଏହାଛଡ଼ା ୨୦୦୧ରୁ ୨୦୧୪ ପର୍ଯ୍ୟନ୍ତ ୧୩ ବର୍ଷ ଅନ୍ତର୍ଜାତୀୟ ଅଲିମ୍ପିକ୍‌ସ କମିଟିର ସଦସ୍ୟ ରହିଥିଲେ। ୨୦୨୪ ସେପ୍ଟେମ୍ବରରେ ଅଲିମ୍ପିକ୍‌ସ କାଉନସିଲ ଅଫ ଏସିଆର ୪୪ତମ ସାଧାରଣ ପରିଷଦ ବୈଠକରେ ଅଲିମ୍ପିକ୍‌ସ କାଉନସିଲ ଅଫ ଏସିଆର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ପ୍ରଥମ ଭାରତୀୟ ଭାବେ ରଣଧୀର ଅଲିମ୍ପିକ୍‌ସ କାଉନସିଲ ଅଫ ଏସିଆର ସଭାପତି ହୋଇଥିଲେ। ସେ ୪ବର୍ଷ ଲାଗି ୨୦୨୮ ପର୍ଯ୍ୟନ୍ତ ଓସିଏର ସଭାପତି ନିର୍ବାଚିତ ହୋଇଥିଲେ। ରଣଧୀରଙ୍କ ଦେହାନ୍ତରେ ଭାରତୀୟ ରାଇଫଲ ଆସୋସିଏସନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।