ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସୋମବାର ସକାଳେ ସାମୁଦ୍ରିକ ଝଡ଼
1 min read
ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସୋମବାର ସକାଳେ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ର ରୂପ ନେବା ସହ ସମୁଦ୍ରରୁ ଅଧିକରୁ ଅଧିକ ବଳ ଗୋଟାଇବାରେ ଲାଗିଛି। ୨୭ ତାରିଖ ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟାରେ ପରିଣତ ହେବା ସହ ଏହାର କେନ୍ଦ୍ରସ୍ଥଳ(ଆଖି) ଦେଖିବାକୁ ମିଳିଛି। ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି।
ବର୍ତ୍ତମାନ ଭୀଷଣ ବାତ୍ୟା ବିଶାଖାପାଟଣାରୁ ପୂର୍ବ-ଦକ୍ଷିଣ-ପୂର୍ବରେ ୩୮୦ କି.ମି, ବିଶାଖାପାଟଣା ଠାରୁ ଦକ୍ଷିଣପୂର୍ବର ୨୬୦ କିମି ଦୂରରେ ଘନୀଭୂତ ହେଉଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ସୂଚନା ଅନୁଯାୟୀ, ୨୮ ତାରିଖ ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶ ଓ ୟନମ ମଧ୍ୟବର୍ତ୍ତୀ ବିଶାଖାପାଟଣା-ବାପଟଲା ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ବାତ୍ୟା ଲ୍ୟାଣ୍ଡଫଲ୍ କରିବା ବେଳେ କେନ୍ଦ୍ରସ୍ଥଳରେ ପବନର ବେଗ ଘଣ୍ଟା ପ୍ରତି ୧୧୫ କି.ମିରୁ ୧୨୫ କି.ମି ପର୍ଯ୍ୟନ୍ତ ରହିପାରେ। ସ୍ଥଳବିଶେଷରେ ଏହା ଘଣ୍ଟା ପ୍ରତି ୧୪୦ କି.ମି ମଧ୍ୟ ଛୁଇଁବା ସମ୍ଭାବନା ରହିଛି ବୋଲି ଆଇଏମ୍ଡି ସ୍ପଷ୍ଟ କରିଛି।
ଭୀଷଣ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୪୦ରୁ ୫୦ କି.ମି ବେଗରେ ପବନ ବହିବ। ସ୍ଥଳବିଶେଷରେ ପବନର ବେଗ ୬୦ କି.ମି ଛୁଇଁପାରେ। ମଙ୍ଗଳବାର ବିଳମ୍ବିତ ରାତିରୁ ୨୯ ତାରିଖ ସକାଳ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ଅତ୍ୟନ୍ତ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୭୦ରୁ ୮୦ କି.ମି ବେଗରେ ପବନ ବହିବ। ଝଟ୍କା ପବନର ବେଗ ଘଣ୍ଟା ପ୍ରତି ୯୦ କି.ମି ଛୁଇଁପାରେ। ଆଇଏମ୍ଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ୨୮ ତାରିଖ ପୂର୍ବାହ୍ନରେ ବାତ୍ୟା ବିଶାଖାପାଟଣା-ବାପଟଲା ମଧ୍ୟବର୍ତ୍ତୀ ୟନମ ଓ କାକିନାଡ଼ା ମଧ୍ୟରେ ଉପକୂଳ ଅତିକ୍ରମ କରିବ। ସେତେବେଳେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲାଗୁଡ଼ିକରେ ସର୍ବାଧିକ ପବନ ଘଣ୍ଟା ପ୍ରତି ୬୦ରୁ ୮୦ କି.ମି ବେଗରେ ପବନ ହେବ। ଝଟକା ପବନର ବେଗ ଘଣ୍ଟା ପ୍ରତି ୯୦କି.ମି. ପର୍ଯ୍ୟନ୍ତ ରହିବ। ଧୀରେଧୀରେ ଦକ୍ଷିଣରୁ ଉତ୍ତର ଆଡ଼କୁ ପବନ ବେଗ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅର୍ଣ୍ଣବ ଉପକୂଳ ଅତିକ୍ରମ କରି ସାରିବା ପରେ ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ୨୮ ତାରିଖ ସନ୍ଧ୍ୟା ବେଳକୁ ଏହା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ନବରଙ୍ଗପୁର ଜିଲା ପାଖରେ ପହଞ୍ଚିବା ବେଳକୁ ଦୁର୍ବଳ ହୋଇଯାଇଥିବ। ପରେ ତାହା ଦକ୍ଷିଣ ଛତିଶଗଡ଼ ଆଡ଼କୁ ମୁହଁାଇବ ଏବଂ ଦକ୍ଷିଣ ଓଡ଼ିଶାରେ ପବନର ବେଗ ହ୍ରାସ ପାଇବ। ୨୯ ତାରିଖ ସକାଳେ ଅର୍ଣ୍ଣବ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଯାଇଥିବ। ସେହି ସମୟରେ ଦକ୍ଷିଣ ଛତିଶଗଡ଼ ଏବଂ ଓଡ଼ିଶା ସୀମାନ୍ତ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ ଏବଂ ବରଗଡ଼ ଜିଲାରେ ଘଣ୍ଟା ପ୍ରତି ୫୦ରୁ ୬୦ କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଧୀରେଧୀରେ ପବନର ବେଗ କମିବ। ୩୦ ତାରିଖ ସକାଳ ସୁଦ୍ଧା ଘଣ୍ଟା ପ୍ରତି ୨୦ ରୁ ୩୦କି.ମି. ବେଗରେ ପବନ ବହିପାରେ।
୨୮ରେ ଅତି ପ୍ରବଳ ଓ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ଅତି ଭୀଷଣ ବର୍ଷା ହୋଇପାରେ। ବିଶେଷ କରି ୨୦ରୁ ୩୦ ସେ.ମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ଏଥିସହ ୨୯ ତାରିଖ ବେଳକୁ ଝାଡ଼ଖଣ୍ଡରେ ବର୍ଷା ସମ୍ଭାବନା ଥିବାରୁ ସୀମାନ୍ତ ଉତ୍ତର ଓଡ଼ିଶାର ଜିଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, ୨୭ ତାରିଖ ସକାଳ ସାଢ଼େ ୮ଟାରୁ ୨୮ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀ ଜିଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଉପରୋକ୍ତ ଜିଲାଗୁଡ଼ିକରେ ଘଣ୍ଟା ପ୍ରତି ୪୦ରୁ ୫୦କି.ମି ବେଗରେ ପବନ ବହିବ। ସ୍ଥଳବିଶେଷରେ ଝଟକା ପବନର ବେଗ ୬୦କି.ମି. ପର୍ଯ୍ୟନ୍ତ ଛୁଇଁପାରେ। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଖୋରଧା ଏବଂ ନୟାଗଡ଼ ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହି ସବୁ ଜିଲାଗୁଡ଼ିକୁ ୟେଲୋୱାର୍ଣ୍ଣିଂ ଦିଆଯାଇଛି। ଉପରୋକ୍ତ ଜିଲାଗୁଡ଼ିକରେ ଘଣ୍ଟା ପ୍ରତି ୩୦ରୁ ୪୦କି.ମି ଏବଂ ସ୍ଥଳ ବିଶେଷରେ ଝଟକା ପବନର ବେଗ ଘଣ୍ଟା ପ୍ରତି ୫୦କି.ମି ପର୍ଯ୍ୟନ୍ତ ଛୁଇଁପାରେ। ସମୁଦ୍ର ଅଶାନ୍ତ ରହୁଥିବାରୁ ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ବାରଣ କରାଯାଇଛି।
ଅର୍ଣ୍ଣବ ବଢ଼ାଇଲା ବନ୍ୟା ଡର
ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅର୍ଣ୍ଣବ’ ଓଡ଼ିଶାରେ ବନ୍ୟା ଆଣିପାରେ। ବାତ୍ୟା ପ୍ରଭାବରେ ଓଡ଼ିଶା ସମେତ ପଡ଼ୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ମହାନଦୀ ସମେତ ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ନାଗାବଳୀ, ବୁଢ଼ାବଳଙ୍ଗ ଆଦି ନଦୀଗୁଡ଼ିକରେ ବନ୍ୟା ଆସିବାର ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ରାଜ୍ୟବ୍ୟାପୀ ବର୍ଷା ଏବଂ ଉପରମୁଣ୍ଡ ଛତିଶଗଡ଼ ଓ ଝାଡ଼ଖଣ୍ଡର ବନ୍ୟା ପାଣି ରାଜ୍ୟରେ ଜଟିଳ ସ୍ଥିତି ସୃଷ୍ଟି କରିପାରନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଛତିଶଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହାର ପାଣି ମହାନଦୀକୁ ଆସିବ। ଏହାଦ୍ବାରା ମହାନଦୀରେ ବନ୍ୟା ଆସିବାର ସମ୍ଭାବନା ରହିଛି। ଛତିଶଗଡ଼ ପାର୍ଶ୍ବରୁ ହୀରାକୁଦ ଜଳଭଣ୍ଡାରକୁ କେତେ ପାଣି ଆସିବ, ତାହା ଆକଳନ କରାଯାଉଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ୬୨୯.୨ ଫୁଟ୍ ପାଣି ରହିଛି।
ବନ୍ୟା ନିୟନ୍ତ୍ରଣ ପାଇଁ ବୃଷ୍ଟିପାତ ଦେଖି ଆଗକୁ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ପାଣି ଛାଡ଼ିବା ଉପରେ ନିଷ୍ପତ୍ତି ନେବେ। ଆବଶ୍ୟକ ପଡ଼ିଲେ, ହୀରାକୁଦ ଜଳଭଣ୍ଡାରରୁ ଫାଟକ ଖୋଲିବା ନିଷ୍ପତ୍ତି ନିଆଯାଇପାରେ। ସେହିପରି, ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେଥିପାଇଁ ଝାଡ଼ଖଣ୍ଡରୁ କେତେ ପାଣି ଆସିବ ଆକଳନ କରାଯାଉଛି। ଝାଡ଼ଖଣ୍ଡ ରାଜ୍ୟ ଜଳ ସମ୍ପଦ ବିଭାଗ ସହ ଓଡ଼ିଶାର ଜଳ ସମ୍ପଦ ବିଭାଗର ସଚିବ ନିରନ୍ତର କଥା ହେଉଛନ୍ତି। ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ବୈତରଣୀରେ ବନ୍ୟା ଆଶଙ୍କା ଥିବାରୁ ବନ୍ୟା କିପରି ନିୟନ୍ତ୍ରଣ କରାଯାଇ ପାରିବ, ସେ ଦିଗରେ ପ୍ରଶାସନ ପକ୍ଷରୁ ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କ ସହ କଥାବାର୍ତ୍ତା ଚାଲିଛି।
ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଗତକାଲି ଅନ୍ତଃରାଜ୍ୟ ବୈଠକ କରି ସମୀକ୍ଷା କରିଛି। ବାତ୍ୟା ଦ୍ବାରା ମୋଟାମୋଟି ଭାବେ ୫ଟି ରାଜ୍ୟ ପ୍ରଭାବିତ ହେବ। ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଛତିଶଗଡ଼, ତେଲଙ୍ଗାନା ଏବଂ ଝାଡ଼ଖଣ୍ଡରେ ଅଧିକ ପ୍ରଭାବ ଦେଖିବାକୁ ମିଳିବ ବୋଲି ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ, ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ୩୦ ଜିଲାରେ ବର୍ଷା ହେବ। ସ୍ଥାନେସ୍ଥାନେ ପ୍ରବଳ ବର୍ଷା ହେବ। ବାତ୍ୟା ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଇଁେଲ ବି ଓଡ଼ିଶାରେ ଏହାର ପ୍ରଭାବ ରହିବ। ମାଲକାନଗିରି ଅଧିକ ପ୍ରଭାବିତ ହେବା ଆକଳନ କରାଯାଇଛି। ପ୍ରଭାବିତ ଜିଲାଗୁଡ଼ିକଠାରୁ ନେଇ ରାଜ୍ୟସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ମନ୍ତ୍ରୀ ଓ ବରିଷ୍ଠ ଆଇଏଏସ୍ ଜିଲାରେ ପହଞ୍ଚି ଗଲେଣି। ସେମାନେ ଯେଉଁ ସ୍ଥାନରେ ଯାହା ଆବଶ୍ୟକ ପଡ଼ିବ, ସେ କ୍ଷେତ୍ରରେ ପଦକ୍ଷେପ ନେଇପାରିବେ।


