January 16, 2026

ଓଡ଼ିଶାରେ ପହଞ୍ଚିଛନ୍ତି ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍

1 min read

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଛନ୍ତି ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍। ଶୁକ୍ରବାର ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସ୍ଵାଗତ କରିଛନ୍ତି। ଥର୍ମନ ଶନ୍ମୁଗରତ୍ନମଙ୍କ ଏହି ଦୁଇ ଦିନିଆ ଗସ୍ତ ଅବସରରେ ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ନିବେଶ ତଥା ଦକ୍ଷତା ବିକାଶ ପାଇଁ ବୁଝାମଣା ପତ୍ର ସ୍ଵାକ୍ଷରିତ ହେବ।

ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମୟରେ ଓଡ଼ିଶାରେ ସେମିକଣ୍ଡକ୍ଟର, କ୍ରିଟିକାଲ୍ ମିନାରାଲ ତଥା ପେଟ୍ରୋ କେମିକାଲ୍ସ ଭଳି କ୍ଷେତ୍ରରେ ୮ଟି ବୁଝାମଣା ପତ୍ର ସ୍ଵାକ୍ଷରିତ ହେବା କାର୍ଯ୍ୟକ୍ରମ ରହିଛି।

ସେମିକଣ୍ଡକ୍ଟର କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ସିଙ୍ଗାପୁରର ଆଇଟିଇ ଏଜୁକେସନ ସର୍ଭିସ ଏବଂ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବ। ସେହିପରି ଇଣ୍ଡଷ୍ଟ୍ରିଆଲ ପାର୍କ ଓ ଗ୍ରୀନ୍ ହାଇଡ୍ରୋଜେନ୍ କରିଡର ପାଇଁ ଇଡକୋ ଓ ସିଙ୍ଗାପୁରର ସେମ୍ବକର୍ପ ମଧ୍ୟ ବୁଝାମଣା ପତ୍ର ସ୍ଵାକ୍ଷରିତ ହେବ।

ଅନ୍ୟପଟେ ପେଟ୍ରୋକେମିକାଲ୍ସ କ୍ଷେତ୍ର ପାଇଁ ରାଜ୍ୟ ଶିଳ୍ପ ବିଭାଗ ଓ ସିଙ୍ଗାପୁରର ସୁରବନ୍ ଜୁରୋଙ୍ଗ ମଧ୍ୟ ଚୁକ୍ତି ହେବ। ଏହାସହ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ରାଜ୍ୟ ଶକ୍ତି ବିଭାଗ ଓ ସିଙ୍ଗାପୁରର ନନ୍‌ୟାଙ୍ଗ ବୈଷୟିକ ବିଶ୍ଵବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହେବ।