November 27, 2026

ପାକିସ୍ତାନରେ ଔଷଧର ଘୋର ଅଭାବ

1 min read

ପାକିସ୍ତାନ: ପାକିସ୍ତାନରେ ଔଷଧ ସଙ୍କଟ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଉପସାଗରୀୟ ଯୁଦ୍ଧ, ବିଦେଶୀ ମୁଦ୍ରାର ଅଭାବ ଏବଂ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ରୁ ଆର୍ଥିକ ସହାୟତା ପାଇବାରେ ବିଳମ୍ବ ଯୋଗୁଁ ଦେଶକୁ କଞ୍ଚାମାଲ ଓ ଚିକିତ୍ସା ଉପକରଣ ଆମଦାନୀରେ ବାଧା ସୃଷ୍ଟି ହୋଇଛି। ଫଳରେ ଔଷଧ ଉତ୍ପାଦନ ହ୍ରାସ ପାଇବା ସହ ବଜାରରେ ଔଷଧର ଅଭାବ ଦେଖାଦେଇଛି। ଏପରିକି ବିଭିନ୍ନ ଡାକ୍ତରଖାନାରେ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରୋପଚାରକୁ ସ୍ଥଗିତ ରଖିବାକୁ ପଡ଼ୁଛି।
ରିପୋର୍ଟ ଅନୁଯାୟୀ, ଗତ କିଛି ମାସ ମଧ୍ୟରେ ପାକିସ୍ତାନରେ ଔଷଧ ଉତ୍ପାଦନ ୨୧.୫ ପ୍ରତିଶତ ହ୍ରାସ ପାଇଛି। ଔଷଧ ପ୍ରସ୍ତୁତି ପାଇଁ ଆବଶ୍ୟକ କଞ୍ଚାମାଲ ଆମଦାନୀ ନିମନ୍ତେ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଲେଟର ଅଫ୍ କ୍ରେଡିଟ୍ (ଏଲ୍‌ସି) ଜାରି କରିବାକୁ ମନା କରୁଥିବାରୁ ଏହି ସ୍ଥିତି ଉପୁଜିଛି। ପାକିସ୍ତାନ ଫାର୍ମାସ୍ୟୁଟିକାଲ୍ ମ୍ୟାନୁଫାକ୍‌ଚରର୍ସ ଆସୋସିଏସନ୍‌ର ଅଧ୍ୟକ୍ଷ ସୟଦ ଫାରୁକ୍ ବୁଖାରୀଙ୍କ କହିବା ଅନୁଯାୟୀ, ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ ରହିଥିବାରୁ ବ୍ୟାଙ୍କଗୁଡ଼ିକ ଏଲ୍‌ସି ପାଇଁ ଆସୁଥିବା ଆବେଦନ ମଧ୍ୟରୁ ପ୍ରାୟ ଅଧାକୁ ହିଁ ମଞ୍ଜୁରି ଦେଉଛନ୍ତି। ଏଲ୍‌ସି ହେଉଛି ଏକ ଆର୍ଥିକ ଦସ୍ତାବିଜ, ଯାହା ଆମଦାନୀକାରୀଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅର୍ଥ ପୈଠ କରିବାର ଗ୍ୟାରେଣ୍ଟି ଦେଇଥାଏ। ଏହା ଜାରି ନହେଲେ ବିଦେଶରୁ ଔଷଧ କଞ୍ଚାମାଲ ଆମଦାନୀ ସମ୍ଭବ ହେଉନାହିଁ। ଅନ୍ୟପକ୍ଷରେ ହୋଲସେଲର୍ ଓ ଖୁଚୁରା ବ୍ୟବସାୟୀମାନେ ଔଷଧ ମହଜୁଦ ରଖୁଥିବାରୁ ବଜାରରେ ସଙ୍କଟ ଆହୁରି ବଢ଼ୁଛି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଆମଦାନୀ ହେଉଥିବା ଅକ୍ସିଜେନେଟର, କରୋନାରୀ ଷ୍ଟେଣ୍ଟ, ଅଙ୍ଗ ପ୍ରତିରୋପଣ କିଟ୍ ଏବଂ ସିରିଞ୍ଜ୍ ଆଦିର ଅଭାବ ଯୋଗୁଁ ସରକାରୀ ଡାକ୍ତରଖାନାଗୁଡ଼ିକରେ ଅନେକ ଜରୁରୀ ଅସ୍ତ୍ରୋପଚାରକୁ ସ୍ଥଗିତ ରଖାଯାଇଛି ।
ଆଇଏମ୍‌ଏଫ୍ ପକ୍ଷରୁ ୧.୧ ବିଲିୟନ ଡଲାରର ଆର୍ଥିକ ସହାୟତା ମିଳିବା ପର୍ଯ୍ୟନ୍ତ ଏହି ସମସ୍ୟା ଲାଗି ରହିବ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି। ଗତ ମାସରେ ଆଇଏମ୍‌ଏଫ୍‌ର ଏକ ଆଲୋଚନାକାରୀ ଦଳ ଇସଲାମାବାଦରେ ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ୍ ଡାର୍‌ଙ୍କ ସହ ଆଲୋଚନା କରିଥିଲେ। ତେବେ ଆର୍ଥିକ ସହାୟତାର ପରବର୍ତ୍ତୀ କିସ୍ତି ମଞ୍ଜୁର କରିବା ନେଇ କୌଣସି ଚୁକ୍ତି ନ ହୋଇ ସେମାନେ ଆମେରିକା ଫେରିଯାଇଥିଲେ।